Home News in Odia ଦଳଡିଆଁ ନେତାଙ୍କ ପାଇଁ ଚିନ୍ତାରେ କର୍ମୀ

ଦଳଡିଆଁ ନେତାଙ୍କ ପାଇଁ ଚିନ୍ତାରେ କର୍ମୀ

ଭୁବନେଶ୍ୱର : ଦଳ ବଦଳ କରୁଥିବା ନେତାଙ୍କୁ ନେଇ ସେମାନଙ୍କ କର୍ମୀ ଓ ସମର୍ଥକମାନେ ଅକଳରେ ପଡୁଛନ୍ତି । ବିଶେଷକରି ଦଳବଦଳ ପରେ ଟିକଟ ପାଉନଥିବା ଏବଂ ନିର୍ବାଚନମଣ୍ଡଳୀ ବଦଳାଇ ଦେଉଥିବା ନେତାଙ୍କ କର୍ମୀମାନେ ଅଧିକ ସମସ୍ୟା ଭୋଗୁଛନ୍ତି ।

ରାଜ୍ୟରେ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ତାରିଖ ଯେତିକି ଯେତିକି ପାଖେଇ ଆସୁଛି ସେତିକି ଜୋରରେ ଦଳ ବଦଳ ଚାଲିଛି । ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସରେ ପ୍ରତିଦିନ ମିଶ୍ରଣପର୍ବ ଅନୁଷ୍ଠିତ ହେଉଛି । ପୂର୍ବତନ ମନ୍ତ୍ରୀଙ୍କ ଠାରୁ ଆରମ୍ଭକରି ବିଧାୟକ, ସାଂସଦ, ଜିଲ୍ଲା ସ୍ତରର ନେତା ଦଳ ଦଳ ହୋଇ ଅନ୍ୟ ଦଳରେ ଯୋଗ ଦେଉଛନ୍ତି । ତେବେ ଦଳ ବଦଳ କରୁଥିବା ବଡ ବଡ ନେତାଙ୍କ ଲକ୍ଷ୍ୟ ହେଉଛି କୌଣସି ପ୍ରକାରେ ଟିକଟ ପାଇ ନିର୍ବାଚନ ଲଢିବା ।

ହେଲେ ଦଳ ବଦଳ କରୁଥିବା କିଛି ନେତାଙ୍କୁ ଏଭଳି ସୁଯୋଗ ମିଳୁନାହିଁ । ଯେଉଁମାନେ ସୁଯୋଗ ପାଉଛନ୍ତି ସେମାନଙ୍କୁ ନିର୍ବାଚନମଣ୍ଡଳୀ ବାହାରକୁ ପଠାଇ ଦିଆଯାଉଛି । ଏଭଳି ସ୍ଥଳେ ସେମାନଙ୍କ ସହିତ ମିଶ୍ରଣପର୍ବରେ ସାମିଲ ହୋଇଥିବା ନେତା ଓ କର୍ମୀମାନେ ଅକଳରେ ପଡୁଥିବା ଲକ୍ଷ୍ୟ କରାଯାଉଛି । ଏଭଳି ଦୁଇଟି ଦୃଶ୍ୟ ଦେଖିବାକୁ ମିଳିଛି ଅବିଭକ୍ତ କଟକ ଜିଲ୍ଲାରେ । ଜଗତ୍‍ସିଂହପୁର ନିର୍ବାଚନମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ବିଜେଡିରେ ଯୋଗ ଦେବାପରେ ତାଙ୍କୁ ତାଙ୍କର ଜଗତ୍‍ସିଂହପୁର ଆସନରୁ ଟିକଟ ମିଳିନାହିଁ । ଫଳରେ ତାଙ୍କ ସହିତ ମିଶ୍ରଣପର୍ବରେ ସାମିଲ ହୋଇଥିବା କଂଗ୍ରେସ କର୍ମୀମାନେ ଏବେ ଚିନ୍ତାରେ ।

ସେହିଭଳି କଟକ ଜିଲ୍ଲା ବିଜେପି ସଭାପତି ଥିବା ପ୍ରକାଶ ଚନ୍ଦ୍ର ବେହେରା ଦଳ ବଦଳ କରି ବିଜେଡିରେ ଯୋଗ ଦେବାପରେ ତାଙ୍କୁ କଟକ-ବାରବାଟୀ ଆସନରୁ ବିଜେଡି ପ୍ରାର୍ଥୀ କରିଛି । ପ୍ରକାଶ ହେଉଛନ୍ତି ସାଲେପୁରର ପୂର୍ବତନ ବିଧାୟକ । ବର୍ତ୍ତମାନ ପ୍ରକାଶ କଟକ ମୁହାଁ ହେବା ଫଳରେ ସାଲେପୁରରେ ତାଙ୍କ ସହିତ ଥିବା କର୍ମୀମାନେ ହତାଶ ହୋଇଛନ୍ତି ।

ତେବେ ଯେଉଁସବୁ ନେତାମାନେ ଦଳ ବଦଳ କରିବାପରେ ନୂଆ ଦଳରୁ ନିଜ ଅଞ୍ଚଳରେ ଟିକଟ ପାଉଛନ୍ତି ସେମାନଙ୍କ କର୍ମୀମାନେ କିନ୍ତୁ ଆଶ୍ୱସ୍ତ । ଏହିସବୁ ନେତାଙ୍କ ମଧ୍ୟରେ ସାଂସଦ ଭର୍ତ୍ତୃହରି ମହତାବ, ବିଧାୟକ ଅରବିନ୍ଦ ଢାଲି, ବିଧାୟକ ଅଧିରାଜ ପାଣିଗ୍ରାହୀ, ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ, ବିଜେପିରୁ ବିଜେଡିକୁ ଆସିଥିବା ଭୃଗୁ ବକ୍ସିପାତ୍ର ପ୍ରମୁଖ ରହିଛନ୍ତି । ଏମାନେ ଦଳ ବଦଳାଇଥିଲେ ସୁଦ୍ଧା ନିଜର ସ୍ଥାନ ବଜାୟ ରଖିଥିବାରୁ ଦୀର୍ଘଦିନ ଧରି ଏମାନଙ୍କ ସହିତ ଥିବା କର୍ମୀମାନେ ଆଶ୍ୱସ୍ତ ଥିବା ଲକ୍ଷ୍ୟ କରାଯାଉଛି ।

ତେବେ ଦଳ ବଦଳ ପ୍ରକ୍ରିୟା ଏବେ ଜୋରସୋରରେ ଚାଲିଥିବା ଏବଂ ତିନି ପ୍ରମୁଖ ଦଳରେ ଅନେକ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହେବାପାଇଁ ଥିବାରୁ ଆଉ କିଛି ଦଳବଦଳ କରୁଥିବା ନେତା ଟିକଟରୁ ବାଦ୍‍ ପଡିବା କିମ୍ବା ଅନ୍ୟ ସ୍ଥାନରେ ଟିକଟ ପାଇବାର ସମ୍ଭାବନା ରହିଛି । ତେଣୁ ଏଭଳି ଅନେକ ନେତାଙ୍କ ସମର୍ଥକ ଓ କର୍ମୀମାନେ ଏବେ ଆଶା ଓ ଆଶଙ୍କା ଭିତରେ ରହିଛନ୍ତି ।

ଉଲ୍ଲେଖନୀୟ ଯେ ଏବେ ବି ବିଜେଡି ଗୋଟିଏ ଲୋକସଭା ସହିତ ୩୯ଟି ବିଧାନସଭା, ବିଜେପି ୩୫ଟି ବିଧାନସଭା ଏବଂ କଂଗ୍ରେସ ୧୩ଟି ଲୋକସଭା ସହିତ ୯୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବାର ଅଛି । ଏହି ତିନି ଦଳକୁ କିଏସବୁ ଦଳଡିଆଁ କରୁଛନ୍ତି ସେମାନଙ୍କୁ କେଉଁଠାରୁ ଟିକଟ ମିଳୁଛି ତାହା ଉପରେ ଏବେ ଦଳୀୟ କର୍ମୀ ତୀକ୍ଷ୍ଣ ନଜର ରଖିଛନ୍ତି । (ତଥ୍ୟ)