Home Election ଦଳଡିଆଁଙ୍କ ଆଖଡାଶାଳ

ଦଳଡିଆଁଙ୍କ ଆଖଡାଶାଳ

ଭୁବନେଶ୍ୱର : କେନ୍ଦ୍ରାପଡା ଏମିତି ଏକ ନିର୍ବାଚନମଣ୍ଡଳୀ ଯେଉଁଠି ବିଭିନ୍ନ ଦଳର ପ୍ରାର୍ଥୀମାନେ ଚିନ୍ତାରେ ଥିବାବେଳେ ସେମାନଙ୍କ ସମର୍ଥକ ଓ ସାଧାରଣ ଭୋଟରମାନେ ଦ୍ୱନ୍ଦରେ ଅଛନ୍ତି । କେନ୍ଦ୍ରାପଡା ବିଧାନସଭା ଆସନରେ ତିନି ପ୍ରମୁଖ ରାଜନୈତିକଦଳ ଯେଉଁମାନଙ୍କ ପ୍ରାର୍ଥୀ ଘୋଷଣା କରିଛନ୍ତି ସେ ସମସ୍ତେ ଦଳଡିଆଁ । ପୂର୍ବରୁ ସେମାନେ ଯେଉଁ ଦଳରେ ଥିଲେ ସେ ଦଳର ପ୍ରଶଂସା ସହ ବର୍ତ୍ତମାନ ଯେଉଁ ଦଳକୁ ଆସିଛନ୍ତି ତାହାର କଟୁ ସମାଲୋଚନା କରୁଥିଲେ । ଏ ପରିପ୍ରେକ୍ଷୀରେ ଏଠାକାର ଭୋଟରମାନେ ଦଳଡିଆଁ ନେତା କି ସେମାନଙ୍କ ଦଳ ଓ ଚିହ୍ନକୁ କିଭଳି ଗ୍ରହଣ କରିବେ ସେଥିଘେନି ଦ୍ୱନ୍ଦରେ ରହିବା ସ୍ୱାଭାବିକ ।

ପୂର୍ବରୁ କଂଗ୍ରେସ ଟିକଟରେ ଜିଣି କଂଗ୍ରେସ ସରକାରରେ ମନ୍ତ୍ରୀ ଥିବା ଗଣେଶ୍ୱର ବେହେରା ଦୀର୍ଘବର୍ଷ ଧରି ପ୍ରଦେଶ କଂଗ୍ରେସର ମୁଖପାତ୍ର ଭାବେ କାମ କରୁଥିଲେ । ସେତେବେଳେ ସେ ବିଜେଡି ଓ ବିଜେପିକୁ କଟୁ ସମାଲୋଚନା କରିବା ସହ ଏହି ଦଳର ନେତାମାନଙ୍କ ଆଚରଣ ଓ ଉଚାରଣ ଘେନି ବାରମ୍ବାର ପ୍ରଶ୍ନ ଉଠାଉଥିଲେ । କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇ ତତ୍‍କ୍ଷଣାତ୍‍ ସେ ଦଳର କେନ୍ଦ୍ରାପଡା ବିଧାନସଭାଆସନ ପାଇଁ ପ୍ରାର୍ଥୀ ଘୋଷିତ ହୋଇଛନ୍ତି । ଏ ପରିପ୍ରେକ୍ଷୀରେ ତାଙ୍କ ସହିତ କେତେ କଂଗ୍ରେସ ସମର୍ଥକ ରହିବେ ଓ ବିଜେଡିର କେତେ ସମର୍ଥକ ତାଙ୍କୁ ସମର୍ଥନ ଦେବେ ସେଥିଘେନି ଦ୍ୱନ୍ଦ ରହିଛି ।

ସେହିଭଳି ବିଜେଡିର ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ ବର୍ଷ ବର୍ଷ ଧରି ଗଣମାଧ୍ୟମରେ ବିଜେଡି ସରକାର ଓ ଦଳ ସପକ୍ଷରେ ଯୁକ୍ତି କରିବା ସହିତ ବିଜେପି ଓ କଂଗ୍ରେସକୁ ଖୋଲା ବିରୋଧ କରୁଥିଲେ । ଏବେ ସିପ୍ରା ବିଜେଡି ଛାଡି କେନ୍ଦ୍ରାପଡା ବିଧାନସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷିତ ହୋଇଛନ୍ତି । ତାଙ୍କ ସାଙ୍ଗରେ ବିଜେଡିର କେଉଁ ସମର୍ଥକ ଆସିବେ ଓ କଂଗ୍ରେସର କେଉଁମାନେ ରହିବେ ସେଥିଘେନି ବି ସାଧାରଣରେ ଚର୍ଚ୍ଚା ଚାଲିଛି ।

ବିଜେଡି ପ୍ରାର୍ଥୀ ଭାବେ ଜିଲ୍ଲା ପରିଷଦ ନିର୍ବାଚନ ଜିଣି କେନ୍ଦ୍ରାପଡା ଜିଲ୍ଲା ପରିଷଦର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିବା ଗୀତାଞ୍ଜଳି ସେଠୀ କେନ୍ଦ୍ରାପଡା ରାଜନୀତିରେ ଜଣେ ଆଗଧାଡିର ବିଜେଡି ନେତ୍ରୀଭାବେ ବେଶ୍‍ ଜଣାଶୁଣା । ଏବେ ସେ ବିଜେଡି ଓ ଜିଲ୍ଲା ପରିଷଦରୁ ଇସ୍ତଫା ଦେଇ ବିଜେପି ଟିକଟରେ କେନ୍ଦ୍ରାପଡା ବିଧାନସଭା ଆସନରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି । ଗୀତାଞ୍ଜଳି ନୂଆକରି ବିଜେପିରେ ପାଦ ଦେବାପରେ ବିଜେଡିକୁ କେତେ ମାତ୍ରାରେ ସମାଲୋଚନା କରିବେ ଏବଂ ବିଜେପି କର୍ମୀମାନଙ୍କୁ କିଭଳି ସାଥିରେ ନେବେ ତାହା ଉପରେ ସମସ୍ତଙ୍କ ନଜର ।

ଏକଦା ମନ୍ତ୍ରୀପଡା ଭାବେ ଚର୍ଚ୍ଚିତ କେନ୍ଦ୍ରାପଡା ଏବେ ଦଳଡିଆଁ ନେତାଙ୍କ ଆଖଡାରେ ପରିଣତ ହୋଇଛି ବୋଲି ସାଧାରଣ ମତଦାତାମାନେ ବ୍ୟଙ୍ଗୋକ୍ତି କରୁଛନ୍ତି । ପୂର୍ବତନ ମନ୍ତ୍ରୀ ନଳିନୀ ମହାନ୍ତି ବିଜେଡି ଛାଡି କଂଗ୍ରେସରେ ଥିଲେ । ତାଙ୍କ ଦେହାନ୍ତ ପରେ ପୁଅ ଅଂଶୁମାନ ମହାନ୍ତି କଂଗ୍ରେସ ଟିକଟରେ ରାଜନଗରର ବିଧାୟକ ହୋଇଥିଲେ । ଏବେ ଅଂଶୁମାନ କଂଗ୍ରେସ ଛାଡି ବିଜେଡିର ଲୋକସଭା ପ୍ରାର୍ଥୀ ହେଉଛନ୍ତି । ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଏଠାରୁ ବିଜେପି ପ୍ରାର୍ଥୀ ଘୋଷିତ ହୋଇଥିବାବେଳେ କଂଗ୍ରେସ ସିଦ୍ଧାର୍ଥ ଦାସଙ୍କ ଉପରେ ଭରସା କରିଛି । ମୋଟାମୋଟି ଭାବେ କେନ୍ଦ୍ରାପଡା ସଂସଦୀୟ ଆସନର ପ୍ରାର୍ଥୀମାନେ ମୁଖ୍ୟତଃ ବିଧାୟକ ପ୍ରାର୍ଥୀମାନଙ୍କ ଉପରେ ନିର୍ଭର କରିବେ ।

ପାଟକୁରାରେ ପୂର୍ବତନ ବିଜେଡି ମୁଖପାତ୍ର ତେଜେଶ୍ୱର ପରିଡା ବିଜେପି ପ୍ରାର୍ଥୀ ଥିବାବେଳେ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ବିଜେଡିରୁ ଲଢୁଛନ୍ତି । ରାଜନଗର, ମହାକାଳପଡା, ପାଟକୁରା, ଆଳି, କେନ୍ଦ୍ରାପଡା, ମାହାଙ୍ଗା ଓ ସାଲେପୁର ବିଧାନସଭା କ୍ଷେତ୍ରଗୁଡିକୁ ନେଇ ଗଠିତ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରେ ଏଥର ଦଳଡିଆଁ ଓ ବିଦ୍ରୋହୀମାନେ ପ୍ରମୁଖ ଭୂମକା ଗ୍ରହଣ କରିବେ ବୋଲି କୁହାଯାଉଛି । (ତଥ୍ୟ)