Home General ଦର ନବଢିଲେ ସଂସ୍ଥା ବୁଡିବ

ଦର ନବଢିଲେ ସଂସ୍ଥା ବୁଡିବ

ଭୁବନେଶ୍ୱର : ଓମଫେଡ୍‍ କର୍ତ୍ତୃପକ୍ଷ ଗୋଟିଏ ଲିଟର କ୍ଷୀରରେ ୧୭ ରୁ ୨୧ ଟଙ୍କା ପର୍ଯ୍ୟନ୍ତ ଅଧିକ ପାଉଥିବାବେଳେ ଚାଷୀମାନଙ୍କ ଦାବିକୁ କିନ୍ତୁ ଦୀର୍ଘଦିନ ହେଲା ମାନୁ ନାହାନ୍ତି । କ୍ଷୀର ଲିଟର ପିଛା ଚାଷୀଙ୍କୁ ଅତି କମ୍‍ରେ ୫ଟଙ୍କା ଅଧିକ ପ୍ରଦାନ ନକଲେ ରାଜ୍ୟରେ ବହୁ ଚାଷୀ ଦୁଗ୍ଧ ଚାଷରୁ ମୁହଁ ଫେରାଇନେବେ ଏବଂ ଓମଫେଡ୍‍ ବୁଡିଯିବ ବୋଲି ଦୁଗ୍ଧଚାଷୀ ମହାସଂଘ ପକ୍ଷରୁ ଚେତାଇ ଦିଆଯାଇଛି ।

ଦୁଗ୍ଧଚାଷୀ ମହାସଂଘର ସଭାପତି ରବି ବେହେରା କହିଛନ୍ତି ଯେ ବଜାରରେ ଅନ୍ୟାନ୍ୟ ଖାଉଟି ସାମଗ୍ରୀ ସହିତ ତାଳଦେଇ ଗୋଖାଦ୍ୟର ଦର ବଢି ବଢି ଚାଲିଛି । ଦୁଗ୍ଧଚାଷୀମାନେ ବାଧ୍ୟହୋଇ ଅଧିକ ଦରରେ କୁଣ୍ଡା, ଚୋକଡ, ଚୁନି ଆଦି ଖରିଦ କରୁଛନ୍ତି । ଅନ୍ୟ ରାଜ୍ୟରୁ ଏଗୁଡିକ ଆମଦାନୀ ହେଉଥିବାରୁ ଗାଡିଭଡା ବାବଦରେ ଚାଷୀମାନେ ବିପୁଳ ଅର୍ଥ ଗଣୁଛନ୍ତି । କେବଳ ଗୋଖାଦ୍ୟ ନୁହେଁ ଗାଈଗୋରୁମାନଙ୍କର ଔଷଧ, ଇଞ୍ଜେକସନ, ଭିଟାମିନ୍‍ ଆଦିର ଦର ମଧ୍ୟ ବଢି ଚାଲିଛି ।

ହେଲେ ଓମ୍‍ଫେଡ୍‍ ସଂଗ୍ରହ କରୁଥିବା କ୍ଷୀରର ଦର ବଢାଉ ନାହିଁ । ବର୍ତ୍ତମାନ ଓମଫେଡ୍‍ ଚାଷୀଙ୍କ ଚାଷୀଙ୍କୁ ଲିଟର ପ୍ରତି ୩୫ଟଙ୍କା ୫ ପଇସା ଦରରେ କ୍ଷୀର କିଣୁଥିବାବେଳେ ତାହାକୁ ସର୍ବାଧିକ ଲିଟର ପ୍ରତି ୫୬ ଟଙ୍କା ଦରରେ ବିକ୍ରି କରୁଛି । ଏଥି ସହିତ ବିଭିନ୍ନ କିସମର କ୍ଷୀର ଲିଟର ବଜାରରେ ୪୬ରୁ ୫୨ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରୁଛି । କ୍ଷୀର ବ୍ୟତିତ ଓମଫେଡ୍‍ ଅନ୍ୟାନ୍ୟ କ୍ଷୀରଜାତ ପଦାର୍ଥ ଯଥା ବସାଦହି, ଘୋଳଦହି, ଛେନାପୋଡ, ପେଡା, ଘିଅ ଆଦି ବିକୁଛି । ଏଥିରୁ ମଧ୍ୟ ଢେର ଲାଭ କମାଉଛି ।

ହେଲେ ରାଜ୍ୟର ଚାଷୀମାନେ ଦୀର୍ଘଦିନରୁ କ୍ଷୀର ଲିଟର ପ୍ରତି ଅତି କମ୍‍ରେ ୫ଟଙ୍କା ବଢାଇବାପାଇଁ କରୁଥିବା ଦାବିକୁ ଓମଫେଡ୍‍ ଅଣଦେଖା କରିବାରେ ଲାଗିଛି । ଓମଫେଡ୍‍ର ଏଭଳି ମନୋଭାବ ଯୋଗୁଁ ଗାଁ ଗହଳର ଦୁଗ୍ଧଚାଷୀମାନେ ଏବେ ଲାଭ ପରିବର୍ତ୍ତେ କ୍ଷତି ସହିବାରେ ଲାଗିଛନ୍ତି । କେତେକ ଚାଷୀ ଯେହେତୁ ଏହି ପେଶାକୁ ଆପଣେଇଛନ୍ତି ତେଣୁ ବାଧ୍ୟହୋଇ ଓମଫେଡ୍‍କୁ କ୍ଷୀର ଦେଉଛନ୍ତି ।

ଓମଫେଡ୍‍ ସହିତ ବଜାରରେ ଅନ୍ୟାନ୍ୟ କ୍ଷୀର ସଂଗ୍ରହକାରୀ ସଂସ୍ଥା ଅଛନ୍ତି ଯେଉଁମାନେ ଓମଫେଡ୍‍ ତୁଳନାରେ ଲିଟର ପିଛା ଅଧିକ ୪ରୁ ୮ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରୁଛନ୍ତି । ଫଳରେ ଓମଫେଡ୍‍ର ଦୁଗ୍ଧଚାଷୀମାନେ ଏବେ ଘରୋଇ ସଂସ୍ଥାମୁହାଁ ହେବାରେ ଲାଗିଛନ୍ତି । ମହାସଂଘର ଦାବି ମୁତାବକ ଯଦି ଓମଫେଡ୍‍ କର୍ତ୍ତୃପକ୍ଷ ଦୁଗ୍ଧର ସର୍ବନିମ୍ନ ଦର ୪୦ ଟଙ୍କା ନକରନ୍ତି ତେବେ କେବଳ ଚାଷୀମାନେ କ୍ଷତିଗ୍ରସ୍ତ ହେବେନାହିଁ ସରକାରଙ୍କର ଲାଭଜନକ ସଂସ୍ଥା ଓମଫେଡ୍‍ ମଧ୍ୟ ଧିରେ ଦୁର୍ବଳ ହୋଇ ବନ୍ଦ ହୋଇଯିବ ବୋଲି ଶ୍ରୀ ବେହେରା ଚେତାଇ ଦେଇଛନ୍ତି । (ତଥ୍ୟ)