ଭୁବନେଶ୍ୱର : ଲମ୍ବା ଛୁଟିପରେ ଏବେ ବିଦ୍ୟାଳୟ ଖୋଲିଥିବାବେଳେ ମଧ୍ୟାହ୍ନଭୋଜନକୁ ନେଇ ଶିକ୍ଷକ ଶିକ୍ଷୟତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟିର ଚିନ୍ତା ବଢିଛି । ବଜାରରେ ହରଡଡାଲିର ଚଢା ଦର ସାଙ୍ଗକୁ ପନିପରିବାର ଆକାଶଛୁଆଁ ଦରରେ ପିଲାଙ୍କୁ କିଭଳି ମଧ୍ୟାହ୍ନଭୋଜନ ଯୋଗାଯିବ ତାହା ଚିନ୍ତାର କାରଣ ପାଲଟିଛି ।
ପ୍ରାଥମିକ ବିଦ୍ୟାଳୟରେ ଏବେ ପ୍ରତ୍ୟେକ ପିଲାଙ୍କ ପାଇଁ ୧୦୦ ଗ୍ରାମ ଚାଉଳ ବାଦ୍ ଡାଲି, ତେଲ, ପନିପରିବା ଓ ଅନ୍ୟାନ୍ୟ ବାବଦକୁ ୫ ଟଙ୍କା ୯୦ ପଇସା ପ୍ରଦାନ କରାଯାଉଛି । ସେହିଭଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରତି ପିଲାଙ୍କ ପାଇଁ ୧୫୦ଗ୍ରାମ ଚାଉଳ ବାଦ୍ ସରକାର ୮ଟଙ୍କା ୮୨ ପଇସା ଯୋଗାଇ ଦେଉଛନ୍ତି ।
ତେବେ ମଧ୍ୟାହ୍ନଭୋଜନରେ ପିଲାଙ୍କୁ ସପ୍ତାହରେ ୪ଦିନ ନିରାମିଷ ଖାଦ୍ୟ ଦିଆଯାଉଥିବାବେଳେ ଦୁଇ ଦିନ ଭାତ ସହିତ ଅଣ୍ଡା ତରକାରୀ ଯୋଗାଯାଉଛି । ନିରାମିଷ ଖାଦ୍ୟରେ ପିଲାଙ୍କୁ ସାଧାରଣତଃ ଭାତ ସହିତ ଡାଲମା ଦିଆଯାଇଥାଏ । ଡାଲମା ପ୍ରସ୍ତୁତର ମୁଖ୍ୟ ଉପାଦାନ ହରଡଡାଲି କିଲୋ ଏବେ ଅତି କମ୍ରେ ୧୪୦ ଟଙ୍କା । କେତେକ ସ୍ଥାନରେ ଏହା ୧୫୦ଟଙ୍କା ଛୁଇଁଲାଣି । କେବଲ ଡାଲି ନୁହେଁ, ଡାଲମାରେ ପଡିବାକୁ ଥିବା ପନିପରିବାର ଦର ବି କିଲୋପ୍ରତି ପ୍ରାୟ ୫୦ ଟଙ୍କା ରହିଛି । ଡାଲି ଓ ପନିପରିବାର ଏଭଳି ଚଢା ମୂଲ୍ୟରେ ପିଲାଙ୍କୁ କିଭଳି ଡାଲମା ପରସା ଯିବା ତାହା ଚିନ୍ତାର କାରଣ ପାଲଟିଛି ।
ସେହିଭଳି ସପ୍ତାହରେ ପିଲାଙ୍କୁ ଦୁଇ ଦିନ ଅଣ୍ଡା ତରକାର ଦିଆଯାଉଛି । ବର୍ତ୍ତମାନ ବଜାରରେ ଗୋଟିଏ ଅଣ୍ଡାର ଦାମ୍ ୬ ରୁ ୭ଟଙ୍କା ଦରରେ ବିକ୍ରି ହେଉଛି । ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କୁ ମିଳୁଥିବା ସବୁତକ ପଇସା ଅଣ୍ଡାରେ ସରି ଯାଉଥିବାବେଳେ ଉଚ୍ଚପ୍ରାଥମିକରେ ଅଣ୍ଡାଟିଏ କିଣିବାପରେ ପିଲାପିଛା ମିଳୁଥିବା ଅର୍ଥରୁ ପାଖାପାଖି ୨ଟଙ୍କା ବଳି ପଡୁଛି । ତେବେ ଏତିକି ଅର୍ଥରେ କିଭଳି ଅଣ୍ଡାଝୋଳ ହେବ ତାହାକୁ ନେଇ ଚିନ୍ତା ବଢିବାରେ ଲାଗିଛି । କାରଣ ଅଣ୍ଡା ତରକାରୀ ପାଇଁ ପିଆଜ, ରସୁଣ, ଅଦା ସହିତ ତେଲ ଓ ଅନ୍ୟାନ୍ୟ ମସଲାଗୁଣ୍ଡ ଦରକାର । ବଜାରରେ ଏବେ ଅଦା କିଲୋ ୩୦୦ ଟଙ୍କା ଛୁଇଁଥିବାବେଳେ ରସୁଣ କିଲୋ ପ୍ରାୟ ୧୫୦ଟଙ୍କା ରହିଛି । ସେହିଭଳି ସୋରିଷତେଲ ଦର ଲିଟର ପିଛା ପ୍ରାୟ ଦେଢ ଶହ ଟଙ୍କା ।
ଦରଦାମରେ ଏଭଳି ବୃଦ୍ଧି ଯୋଗୁଁ ଗାଁ ଗହଳରେ ଥିବା ବିଦ୍ୟାଳୟରେ ପିଲାଙ୍କୁ କିଭଳି ଭାତ ସହିତ ଡାଲମା ଓ ଅଣ୍ଡା ତରକାରୀ ଦିଆଯିବ ତାହାକୁ ନେଇ ଶିକ୍ଷକ ଶିକ୍ଷୟତ୍ରୀମାନେ ଚିନ୍ତାରେ ଅଛନ୍ତି । ସେହିଭଳି ରାଜ୍ୟର ସହରାଞ୍ଚଳ ସମେତ ଅନ୍ୟ ଯେଉଁସବୁ ସ୍ଥାନରେ ସ୍ୱେଚ୍ଛାସେବୀ ସଂସ୍ଥାମାନେ ମଧ୍ୟାହ୍ନଭୋଜ ଯୋଗାଉଛନ୍ତି ସେମାନେ ବି ଦରଦାମକୁ ନେଇ ଚିନ୍ତାରେ ପଡିଗଲେଣି ।
ଉଲ୍ଲେଖନୀୟ ଯେ ରାଜ୍ୟର ସରକାରୀ ବିଦ୍ୟାଳୟଗୁଡିକରେ ଏବେ ପ୍ରଥମରୁ ଅଷ୍ଟମଶ୍ରେଣୀ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯାଉଛି । ପ୍ରାଥମିକ ବିଦ୍ୟାଳୟରେ ପିଲାମାନେ ସରକାରୀ ବିଦ୍ୟାଳୟକୁ ଅଧିକ ସଂଖ୍ୟାରେ ଆସିବାପାଇଁ ମଧ୍ୟାହ୍ନଭୋଜନ ବିଶେଷକରି ସପ୍ତାହରେ ମିଳୁଥିବା ଦୁଇଟି ଅଣ୍ଡା ପ୍ରମୁଖ ଆକର୍ଷଣ ପାଲଟିଥିବାବେଳେ ଦରଦାମ ବୃଦ୍ଧି ଏବେ ଏ କ୍ଷେତ୍ରରେ ବଡ ସମସ୍ୟା ଭାବେ ଉଭା ହେଲାଣି । (ତଥ୍ୟ)