Home General ଦମ୍ଭ ଦେଲେ ପ୍ରଧାନମନ୍ତ୍ରୀ

ଦମ୍ଭ ଦେଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ମର୍ମନ୍ତୁଦ ରେଳ ଦୁର୍ଘଟଣାର ଆହତମାନଙ୍କୁ ଭେଟି ଦମ୍ଭ ଦେଇଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ । ଡାକ୍ତରଖାନାରେ ସେମାନଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ପଚାରି ବୁଝିବା ସହିତ ସମସ୍ତ ପ୍ରକାର ସମ୍ଭାବ୍ୟ ସହାୟତା ଦିଆଯିବ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏଭଳି କଥା ଦୁଇପଦ ଆହତଙ୍କ ମନୋବଳ ବୃଦ୍ଧି କରିଛି ।

ପ୍ରଧାମନ୍ତ୍ରୀ ଆଜି ନୂଆଦିଲ୍ଲୀ ଠାରେ ରେଳ ଦୁର୍ଘଟଣା ସଂକ୍ରାନ୍ତରେ ସମୀକ୍ଷା କରିବାପରେ ସିଧା ଦୁର୍ଘଟଣାସ୍ଥଳ ବାହାନଗାକୁ ଆସିଥିଲେ । ତାଙ୍କ ସହିତ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ.ମିଶ୍ର ପ୍ରମୁଖ ଥିଲେ ।

ଶ୍ରୀ ମୋଦୀ ଦୁର୍ଘଟଣା ସ୍ଥଳରେ ଭାଙ୍ଗିରୁଜି ଯାଇଥିବା ରେଳଡବାଗୁଡିକୁ ବୁଲି ଦେଖିବା ସହିତ ବରିଷ୍ଠ ଅଧିକାରୀମାନଙ୍କ ସହିତ ଦୁର୍ଘଟଣା ଓ ଉଦ୍ଧାର କାର୍ଯ୍ୟ ସଂକ୍ରାନ୍ତରେ ସିଧାସଳଖ ଆଲୋଚନା କରିଥିଲେ । ଆଲୋଚନା ସମୟରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

ସେହିଠାରୁ ଶ୍ରୀ ମୋଦୀ ସିଧାସଳଖ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ସହିତ ଟେଲିଫୋନ୍‍ ଯୋଗେ ଆଲୋଚନା କରି ଆହତମାନଙ୍କୁ ଉନ୍ନତି ଚିକିତ୍ସା ଯୋଗାଇବାପାଇଁ ପଦକ୍ଷେପ ନେବାକୁ କହିଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ଯାଇ ଆହତମାନଙ୍କୁ ଭେଟିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଗଣମାଧ୍ୟମକୁ କହିଥିଲେ ଯେ ଏହି ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦାୟକ ଓ ହୃଦୟ ବିଦାରକ । ଏହାକୁ ବର୍ଣ୍ଣନା କରିବାପାଇଁ ତାଙ୍କ ନିକଟରେ ଶବ୍ଦ ନାହିଁ । ତେବେ ଏଭଳି ଦୁର୍ଘଟଣା ପାଇଁ ଯେଉଁମାନେ ଦୋଷୀ ସେମାନଙ୍କୁ ଆଦୌ ଛଡାଯିବ ନାହିଁ ବୋଲି ସେ ଦୃଢଭାବେ କହିଥିଲେ ।

ଦୁର୍ଘଟଣା ପରେ ଯେଭଳି ଉଦ୍ଧାର କାର୍ଯ୍ୟ ଚଳାଯାଇଛି ସେଥିପାଇଁ ପ୍ରଧାନମନ୍ତ୍ରୀ ଓଡିଶା ସରକାର, ସ୍ଥାନୀୟ ଲୋକେ ଓ ସୁରକ୍ଷାବଳଙ୍କୁ ଧନ୍ୟବାଦ ଦେଇଛନ୍ତି ।