ଭୁବନେଶ୍ୱର : ବାହାନଗା ରେଳ ଦୁର୍ଘଟଣାରେ ମୃତାହତଙ୍କୁ ଉଦ୍ଧାର କରିବା କ୍ଷେତ୍ରରେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଠାରୁ ମୁଖ୍ୟମନ୍ତ୍ରୀ, ବିଭିନ୍ନ ରାଜ୍ୟର ନେତୃବୃନ୍ଦ ଓ ରେଳମନ୍ତ୍ରୀ ପ୍ରଶଂସାରେ ପୋତି ପକାଇଥିବାବେଳେ ଏବେ ବାହାନଗାବାସୀଙ୍କୁ ପୁରସ୍କାର ମିଳିବା ପରିବର୍ତ୍ତେ ରେଳ ବିଭାଗ ଏକ ପ୍ରକାର ଦଣ୍ଡିତ କରିଛି । ବାହାନଗା ଦେଇ ରେଳ ଚାଲୁଥିବାବେଳେ ଏହି ଷ୍ଟେସନରେ କିନ୍ତୁ ଏବେ କୌଣସି ରେଳଗାଡି ରହୁନାହିଁ । ଫଳରେ ବାଲେଶ୍ୱର, ସୋରୋ, ଭଦ୍ରକ ଆଦି ପଟୁ ବାହାନଗାର ଯେଉଁମାନେ ରେଳରେ ଯାତାୟତ କରୁଥିଲେ ଏମିତିକି ଏଥିଲାଗି ସିଜିନ ଟିକଟ ଆଗୁଆ ପଇସା ଦେଇ କିଣିଥିଲେ ସେମାନଙ୍କୁ ଏବେ ବାହାନଗାରେ ରେଳଯାତ୍ରା ମନା ।
ବାହାନଗା ବଜାର ରେଳଷ୍ଟେସନରେ ସାଧାରଣତଃ ପାସେଞ୍ଜର ଟ୍ରେନ ରହଣୀ କରିଥାଏ । ବାହାନଗାରୁ ଯେଉଁମାନେ ସୋର, ବାଲେଶ୍ୱର, ଭଦ୍ରକ, ଯାଜପୁରରୋଡ, ଜଳେଶ୍ୱର ଆଦିକୁ ଯାତାୟତ କରିଥାନ୍ତି ସେମାନେ ଏବେ କୌଣସି ପାସେଞ୍ଜର ଟ୍ରେନରେ ବାହାନଗାକୁ ଆସିପାରୁ ନାହାନ୍ତି କିମ୍ବା ବାହାନଗାରୁ ବାହାରକୁ ଯାଇପାରୁ ନାହାନ୍ତି । ଚଢା ଦରରେ ବସ୍, ଅଟୋ ଆଦିରେ ଏମାନଙ୍କୁ ଅସହ୍ୟ ଗରମ ଓ ଗୁଳୁଗୁଳି ଭିତରେ ଯିବାକୁ ପଡୁଛି ।
ବାହାନଗାବାସୀ ପ୍ରଶ୍ନ କରୁଛନ୍ତି ଯେ ରେଳବାଇର ଭୁଲ୍ ଯୋଗୁଁ ଏଠାରେ ରେଳ ଦୁର୍ଘଟଣା ଘଟି ସରକାରୀ ହିସାବ ମୁତାବକ ୨୮୮ ଲୋକ ମଲେ ଏବଂ ସହସ୍ରାଧିକ ଆହତ ହେଲେ । ସରକାରୀ ଭାବେ ଏକଥା ସ୍ୱୀକାର କରାଯାଇଛି ଯେ ସରକାରୀ ଉଦ୍ଧାରକାରୀଦଳ ଘଟଣାସ୍ଥଳରେ ପହଞ୍ଚିବାର ଢେର ପୂର୍ବରୁ ଦୁର୍ଘଟଣା ପରେ ପରେ ସ୍ଥାନୀୟ ଲୋକେ ନିଜ ଜୀବନକୁ ପାଣିଛଡାଇ ଉଦ୍ଧାରକାର୍ଯ୍ୟ ଚଳାଇଥିଲେ ଯେଉଁଥିପାଇଁ ୧୨୦୦ରୁ ଅଧିକ ଲୋକଙ୍କ ଜୀବନ ରକ୍ଷା ହୋଇଗଲା ।
ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଲେ, ମୃତ ବ୍ୟକ୍ତିଙ୍କ ଶବକୁ ଗାଁ ସ୍କୁଲରେ ସମ୍ମାନର ସହ ରଖିଲେ, ଆହତମାନଙ୍କ ଲାଗି ବିଶ୍ରାମ ଓ ଖାଦ୍ୟ ପେୟର ବନ୍ଦୋବସ୍ତ ବି କଲେ ଏବଂ ଉଦ୍ଧାରକାରୀଦଳଙ୍କୁ ବି ବାହାନଗା ଓ ଆଖପାଖ ଅଞ୍ଚଳର ଲୋକେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଦେଲେ । ଏମିତିକି ଏ ଅଞ୍ଚଳର ଛାତ୍ରଛାତ୍ରୀ ଓ ମହିଳାଗୋଷ୍ଠି ମଧ୍ୟ ଏ ସମୟରେ ଯେଭଳି କାମ କଲେ ତାହା ସବୁ ମହଲରେ ପ୍ରଶଂସା ସାଉଁଟିଛି । ଏ ଅଞ୍ଚଳର ଅନେକ ଯୁବକ ଡାକ୍ତରଖାନାରେ ଆହତମାନଙ୍କ ପାଇଁ ବି ରକ୍ତ ଦେଇଛନ୍ତି । କେବଳ ସେତିକି ନୁହେଁ, ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କ ଲାଗି ବାହାନଗାବାସୀ ଦଶାହ ପାଳନ କରି ଲଣ୍ଡା ମଧ୍ୟ ହୋଇଛନ୍ତି ।
ଏତେ ସବୁ ସେବା ଦେବାପରେ ରେଳବାଇ କର୍ତ୍ତୃପକ୍ଷ ବାହାନଗା ରେଳ ଷ୍ଟେସନର ଉନ୍ନତିକରଣ ସହ ଏଠାରେ ଅଧିକ ଯାତ୍ରୀବାହୀ ରେଳଗାଡିର ରହଣୀ ପାଇଁ ହୋଇ ଆସୁଥିବା ଦୀର୍ଘଦିନର ଦାବିକୁ ପୂରଣ କରିବା ପରିବର୍ତ୍ତେ ଏକ ତରଫା ଭାବେ ସିବିଆଇ ତଦନ୍ତ ଆଳରେ ବାହାନଗାରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ରେଳ ରହଣୀକୁ ନିଷିଦ୍ଧ କରିଛନ୍ତି ।
ସ୍ଥାନୀୟ ଅଞ୍ଚଳର ଯୁବକମାନେ ଏଥିଘେନି ଗଭୀର ଅସନ୍ତୋଷ ବ୍ୟକ୍ତ କରିବା ସହ ପ୍ରଧାନମନ୍ତ୍ରୀ ଏବଂ ରେଳମନ୍ତ୍ରୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଏବଂ ଓଡିଶା ତଥା ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ବାହାନଗା ଗସ୍ତ ଏବଂ କେନ୍ଦ୍ର ଓ ରାଜ୍ୟ ସରକାର ତଥା ରେଳବାଇର ବରିଷ୍ଠ ଅଧିକାରୀମାନଙ୍କ ଘନ ଘନ ବାହାନଗା ଗସ୍ତ ପରେ ଏଠାରେ ଯାତ୍ରୀବାହୀ ରେଳଗାଡିର ରହଣି ବ୍ୟବସ୍ଥାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବାତିଲ କରାଯିବା ଘଟଣାରେ ଦୁଃଖପ୍ରକାଶ କରୁଛନ୍ତି । (ତଥ୍ୟ)