Home Environment ଦକ୍ଷିଣ ଆଣ୍ଡାମାନରେ ଆଉ ଏକ ଲଘୁଚାପ

ଦକ୍ଷିଣ ଆଣ୍ଡାମାନରେ ଆଉ ଏକ ଲଘୁଚାପ

ଭୁବନେଶ୍ୱର : ନଭେମ୍ବର ୨୯ କିମ୍ବା ୩୦ ତାରିଖ ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହେବା ସହ ଏହା ପଶ୍ଚିମ-ଉତର-ପଶ୍ଚିମ ଦିଗ ଆଡକୁ ଗତି କରିବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ମୁହାଁ ହୋଇ ଡିସେମ୍ବର ୩ ତାରିଖ ସୁଦ୍ଧା ଦକ୍ଷିଣ ଓଡ଼ିଶା ଉପକୂଳ ଛୁଇଁପାରିବ ବୋଲି ସିଇସି ନିର୍ଦ୍ଦେଶକ ଡଃ ଶରତ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।

ପ୍ରାଥମିକ ଆକଳନ ଅନୁଯାୟୀ ଏହାର ପ୍ରଭାବରେ ଡିସେମ୍ବର ୩ – ୫ ତାରିଖ ମଧ୍ୟରେ ଉପକୂଳ ଜିଲ୍ଲାଗୁଡ଼ିକରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଉତର-ପଶ୍ଚିମ ଭାରତରୁ ଏକ ଅପର୍ ଏୟାର ଟ୍ରଫ୍ ଆଭ୍ୟନ୍ତରୀଣ ଓଡ଼ିଶା ଆଡକୁ ମୁହାଁଉଥିବା ବେଳେ ଏହି ଦୁଇଟି ସିଷ୍ଟମ୍‌ର ମିଳିତ ପ୍ରଭାବରେ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ଥିବା ସେ କହିଛନ୍ତି ।

ଗଞ୍ଜାମ, ନୟାଗଡ, ଖୋର୍ଦ୍ଧା, ପୁରୀ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର ଏବଂ ଜଗତସିଂହପୁର ଜିଲ୍ଲାଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ରହିଛି ।

ଡଃ ସାହୁ କହିଛନ୍ତି ଯେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସହ ଏହା ତାମିଲ୍‌ନାଡୁ-ଆନ୍ଧ୍ରପ୍ରଦେଶ ଉପକୂଳ ଆଡକୁ ଗତି କରୁଥିବାରୁ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲା ଏବଂ ଏହା ନିକଟବର୍ତୀ ଉତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ନଭେମ୍ବର ୨୯ ତାରିଖରୁ ମେଘାଚ୍ଛନ୍ନ ରହିବ, ସେହିପରି ସେହିଦିନ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ହେବାର ସମ୍ଭବନା ରହିଛି ।

ବର୍ତମାନ ଜାରୀ ରହିଥିବା ଥଣ୍ଡାର ପ୍ରକୋପ ନଭେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ବଳବତର ରହିବ । ଏହା ପରେ ରାତିର ତାପମାତ୍ରା ବୃଦ୍ଧି ପାଇବ । ବର୍ଷା ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି କୃଷକମାନେ ସେମାନଙ୍କର ଅମଳ ହୋଇଥିବା ଫସଲଗୁଡ଼ିକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ଡଃ ସାହୁ କହିଛନ୍ତି ।