Home Health ଥାଲାସେମିଆ ଶିଶୁଙ୍କ ପାଇଁ ରକ୍ତ ସଙ୍କଟ

ଥାଲାସେମିଆ ଶିଶୁଙ୍କ ପାଇଁ ରକ୍ତ ସଙ୍କଟ

ଭୁବନେଶ୍ୱର : ରାଜ୍ୟ ରାଜଧାନୀରେ ଏବେ ରକ୍ତର ଘୋର ଅଭାବ । ସବୁଠାରୁ ବଡ କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାରରେ ରକ୍ତର ଏଭଳି ଅଭାବ ପରିଲକ୍ଷିତ ହୋଇଛି ଯେ ଥାଲାସେମିଆ ଶିଶୁମାନଙ୍କୁ କର୍ତ୍ତୃପକ୍ଷ ରକ୍ତ ଯୋଗାଇ ପାରୁନାହାନ୍ତି । ଅତି ଗୁରୁତର ଶିଶୁଙ୍କୁ ଚିହ୍ନଟ କରି ସେମାନଙ୍କୁ ହିଁ ରକ୍ତ ଯୋଗାଣ ହେଉଛି ।

ମିଳିଥିବା ସୂଚନା ଅନୁଯାୟୀ କ୍ୟାପିଟାଲ ହସ୍ପିଟାଲରେ ଦୈନିକ ୨୦ରୁ ୨୫ଜଣ ଥାଲାସେମିଆ ଆକ୍ରାନ୍ତ ଶିଶୁଙ୍କୁ ରକ୍ତଭଣ୍ଡାରରୁ ରକ୍ତଯୋଗାଣ ହୋଇଥାଏ । ରକ୍ତଭଣ୍ଡାର ଅଧିନରେ ପାଖାପାଖି ସାତ ଶହ ଥାଲାସେମିଆ ଆକ୍ରାନ୍ତ ଶିଶୁ ପଞ୍ଜିକୃତ ଅଛନ୍ତି । ଏମାନଙ୍କୁ ନିୟମିତ ଅନ୍ତରରେ ରକ୍ତ ଦିଆଯାଇଥାଏ । ଯଦି ରକ୍ତ ନେବାରେ ବିଳମ୍ବ ହେବ ତେବେ ଏମାନଙ୍କ ଜୀବନ ପ୍ରତି ବିପଦ ରହିଛି ।

ତେବେ କ୍ୟାପିଟାଲ ରକ୍ତଭଣ୍ଡାରରେ ଏବେ ରକ୍ତର ଘୋର ସଙ୍କଟ ଯୋଗୁଁ ଏହି ଥାଲାସେମିଆ ଶିଶୁମାନଙ୍କୁ ଆବଶ୍ୟକ ଅନୁଯାୟୀ ରକ୍ତ ଦିଆଯାଇ ପାରୁନାହିଁ । ରକ୍ତ ପାଇଁ ଆସୁଥିବା ଶିଶୁମାନଙ୍କର ହିମୋଗ୍ଳୋବିନ ପରୀକ୍ଷା ହେଉଛି । ଯେଉଁମାନଙ୍କର ହିମୋଗ୍ଲୋବିନ ସ୍ତରର ୨ କିମ୍ବା ୩ ରହୁଛି ସେମାନଙ୍କୁ ଅଗ୍ରାଧିକାର ଭାବେ ରକ୍ତ ଯୋଗାଣ ହେଉଛି । ଅନ୍ୟମାନେ ଅପେକ୍ଷାରେ ରହୁଛନ୍ତି ।

କେବଳ ସେତିକି ନୁହେଁ ଖୋଦ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ରୋଗୀଙ୍କୁ ମଧ୍ୟ ଆବଶ୍ୟକ ଅନୁଯାୟୀ ରକ୍ତଯୋଗାଣ ହୋଇପାରୁ ନାହିଁ । ଯଦି କାହାର ରକ୍ତ ଆବଶ୍ୟକ ତେବେ ତାଙ୍କ ସମ୍ପର୍କୀୟଙ୍କୁ ଗୋଟିଏ ଦିନ ପୂର୍ବରୁ ରକ୍ତ ଦେବାକୁ ପଡୁଛି । କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାରରେ ଦୈନିକ ଏକକାଳୀନ ୯୬ଟି ରକ୍ତନମୂନା ପରୀକ୍ଷା ହେବାର କ୍ଷମତା ଥିାବବେଳେ ଏବେ ମାତ୍ର ୩ରୁ ୩୫ଟି ପରୀକ୍ଷା ହେଉଛି ।

ମିଳିଥିବା ସୂଚନା ଅନୁଯାୟୀ ଗୋଟିଏ ପଟେ ପ୍ରଚଣ୍ଡ ରୌଦ୍ରତାପ ଓ ଅନ୍ୟପଟେ ପୂର୍ବଭଳି ରକ୍ତଦାନ ଶିବିର ଆୟୋଜନ ହେଉନଥିବାରୁ ଘୋର ରକ୍ତ ସଙ୍କଟ ସୃଷ୍ଟି ହୋଇଛି । ବିଶେଷକରି ରାଜ୍ୟର ଅଗ୍ରଣୀ ରକ୍ତସଂଗ୍ରହକାରୀ ସଂସ୍ଥା ଜୀବନ ବିନ୍ଦୁ ଓ କମିଶନରେଟ ପୁଲିସ୍‍ ରୁ ଯେତିକି ରକ୍ତ ଆସିବା କଥା ତାହା ଆସିପାରୁ ନାହିଁ ।

ଗୋଟିଏ ପଟେ ଆବଶ୍ୟକ ରକ୍ତ ସଂଗ୍ରହ ହୋଇପାରୁନଥିବାବେଳେ ଅନ୍ୟପଟେ ରକ୍ତର ଚାହିଦା ବଢିବାରେ ଲାଗିଛି । ତେଣୁ ଯଦି ତୁରନ୍ତ ସ୍ୱେଚ୍ଛାସେବୀ ସଂଗଠନ ଓ ଅନ୍ୟ ସଂସ୍ଥାମାନେ ରକ୍ତଦାନ ଶିବିର ଆୟୋଜନ ନକରନ୍ତି ତେବେ ପରିସ୍ଥିତି ଆହୁରି ବିଗିଡିଯିବ । ବର୍ତ୍ତମାନ କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାରରେ ରକ୍ତଦାନ ପାଇଁ ସମସ୍ତ ପ୍ରକାର ସୁବିଧା ରହିଥିବାରୁ ଆଗ୍ରହୀ ବ୍ୟକ୍ତି ବିଶେଷ ଓ ସଂସ୍ଥାମାନେ ଏଠାରେ ସୁବିଧାରେ ରକ୍ତଦାନ କରିପାରିବେ ବୋଲି କୁହାଯାଇଛି । (ତଥ୍ୟ)