Home General ଥମୁନି ଗଞ୍ଜେଇ ଚାଷ

ଥମୁନି ଗଞ୍ଜେଇ ଚାଷ

ଭୁବନେଶ୍ୱର : ଚଳିତବର୍ଷ ଏଯାବତ୍‍ ଓଡିଶା ପୁଲିସ୍‍ ପାଖାପାଖି ୧୧ଟନ୍‍ ଗଞ୍ଜେଇ ଜବତ କରିଥିବାବେଳେ ୨୦କୋଟି ଟଙ୍କାରୁ ଉର୍ଦ୍ଧ ମୂଲ୍ୟର ଗଞ୍ଜେଇ କ୍ଷେତ ନଷ୍ଟ କରିସାରିଲେଣି । ଏହା ସତ୍ୱେ ବି ଗଞ୍ଜେଇ ଚାଷ କି ଗଞ୍ଜେଇର ଚୋରା ଚାଲାଣ କମିବାର ନାଁ ଧରୁନି

ଅବିଭକ୍ତ ଗଞ୍ଜାମ, କୋରାପୁଟ, ଫୁଲବାଣୀ ଠାରୁ ଆରମ୍ଭକରି ସମ୍ବଲପୁର, ଢେଙ୍କାନାଳ ଏମିତିକି ନୟାଗଡ ଜିଲ୍ଲାରେ ବ୍ୟାପକ ଗଞ୍ଜେଇ ଚାଷ ଚାଲୁଛି । ଅନ୍ୟାନ୍ୟ ଅବିଭକ୍ତ କଳାହାଣ୍ଡି, ବଲାଙ୍ଗିର ଭଳି ଅନେକ ଆଦିବାସୀ ବହୁଳ ଜିଲ୍ଲାରେ ବର୍ଷ ବର୍ଷ ଧରି ଗଞ୍ଜେଇ ଚାଷ ହୋଇଆସୁଛି । ପୁଲିସ୍‍ ଓ ଅବକାରୀ ବିଭାଗ ଯେତେ ପରିମାଣର ଗଞ୍ଜେଇ କ୍ଷେତ ନଷ୍ଟ କରୁଛନ୍ତି ତାହାର ଢେର ଅଧିକଗୁଣ କ୍ଷେତରେ କିନ୍ତୁ ଗଞ୍ଜେଇ ଉତ୍ପାଦିତ ହେଉଛି ।

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ସରକାର ଗଞ୍ଜେଇକୁ ନିଷିଦ୍ଧ କରିଥିବାବେଳେ ଲାଇସେନ୍ସପ୍ରାପ୍ତ ଦୋକାନ ମାଧ୍ୟମରେ ଭାଙ୍ଗ ବିକୁଛନ୍ତି । ଯେଉଁ ଗଛର ଫୁଲକୁ ଗଞ୍ଜେଇ କୁହାଯାଏ ସେହି ଗଛର ପତ୍ରରୁ ଭାଙ୍ଗ ନିଶା ପ୍ରସ୍ତୁତ ହୁଏ । ଗଞ୍ଜେଇ ଓ ଭାଙ୍ଗ ମଣିଷ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥିଲେ ମଧ୍ୟ କେତେକ ନିର୍ଦ୍ଦିଷ୍ଟ ରୋଗ ନିୟନ୍ତ୍ରଣ ପାଇଁ ଏହାର ଔଷଧିୟ ଗୁଣ ବି ରହିଛି । ଓଡିଶାରୁ ଦେଶର ବିଭିନ୍ନ ରାଜ୍ୟକୁ ଏମିତିକି ବିଦେଶକୁ ବି ଚୋରାରେ ଗଞ୍ଜେଇ ପଠା ଚାଲିଛି । ଓଡିଶାରୁ ଯାଉଥିବା ଗଞ୍ଜେଇ ବିଭିନ୍ନ ରାଜ୍ୟରେ ଜବତ ହେଉଛି ।

ରାଜଧାନୀ ସମେତ ବିଭିନ୍ନ ସ୍ଥାନକୁ ଏସ୍‍ୟୁଭି ଯାନରୁ ଆରମ୍ଭକରି ମାଲବାହୀ ଟ୍ରକ ଓ ଯାତ୍ରୀବାହୀ ବସ୍‍ରେ ବ୍ୟାପକ ଗଞ୍ଜେଇ ଚାଲାଣ ହେଉଛି ଏବଂ ବେଳେ ବେଳେ ଏଥିରୁ କେତେକ ଧରାପଡୁଛି । ତେବେ ସଂଖ୍ୟାଧିକ କ୍ଷେତ୍ରରେ ମୂଳ ଗଞ୍ଜେଇ ଚାଷୀ ଏବଂ ମୁଖ୍ୟ ଗଞ୍ଜେଇ ବେପାରୀ କିନ୍ତୁ ଧରାପଡୁ ନାହାନ୍ତି । ଗଞ୍ଜେଇ ବେପାର ସହ ଏବେ ରାଜ୍ୟରେ ବ୍ରାଉନସୁଗାର, ଚରସ, ହେରୋଇନ୍‍, ଚୋରାମଦ ଆଦିର କାରବାର ବି ବଢୁଛି ।

ଅବଶ୍ୟ ବେଳେବେଳେ ଏହି ଚୋରା ନିଶା ସାମଗ୍ରୀ ପୁଲିସ୍‍ ଜବତ କରି କିଛି ଲୋକଙ୍କୁ ଗିରଫ କରୁଛି । କିନ୍ତୁ ପୁଲିସ୍‍ କାର୍ଯ୍ୟାନୁଷ୍ଠାନ ସତ୍ୱେ ଏହି ଚୋରା ନିଶା ବେପାର କମିବା ପରିବର୍ତ୍ତେ ବଢୁଛି । ଏମିତିକି ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଜେଲ୍‍ ଉପରେ ଚଢାଉ କରାଯିବା ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରାବାସରୁ ଅନୁପ୍ରବେଶକାରୀଙ୍କୁ ହଟାଯିବା ଅଭିଯାନବେଳେ ବିପୁଳ ପରିମାଣର ଚୋରା ନିଶା ସାମଗ୍ରୀ ମଧ୍ୟ ଜବତ ହେଉଛି ।

ନାମୀ ଦାମୀ ବ୍ରାଣ୍ଡ୍‍ର ସିଗାରେଟଖୋଳ ଭିତରେ ଗଞ୍ଜେଇ, ଚରସ ଓ ବ୍ରାଉନସୁଗାର ମିଶ୍ରଣରେ ତିଆରି ହାତବଳା ସିଗାରେଟ ପ୍ରତି ନିଶାଗ୍ରସ୍ତ ଯୁବପୀଢିଙ୍କ ଆଗ୍ରହ ବଢୁଥିବାରୁ ଏଥିରୁ ଚୋରା ନିଶା ବେପାରୀମାନେ ଫାଇଦା ଉଠାଉଛନ୍ତି । ଗାଁ ଗହଳରୁ ଆରମ୍ଭକରି ରାଜଧାନୀରେ ଏହି ନିଶା ସାମଗ୍ରୀର ଅବାଧ ପ୍ରସାର ଚାଲିଛି । ଭୁବନେଶ୍ୱରର ବିଭିନ୍ନ ପାର୍କ ଓ ତାହାର ସନ୍ନିକଟ ଅଞ୍ଚଳରେ ସାଧାରଣ ଲୋକେ ଗଞ୍ଜେଇ ଧୂଆଁରେ ଅତିଷ୍ଠ ହୋଇପଡୁଥିବାବେଳେ ଏହାକୁ ଦମନ କରିବା ଦିଗରେ ସେତେଟା ଦୃଢ କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଦଶବର୍ଷ ତଳେ ରାଜଧାନୀକୁ ଧୂମମୁକ୍ତ କରିବାପାଇଁ ରାସ୍ତାଘାଟରେ ବିଡି, ସିଗାରେଟ ଟାଣୁଥିବା ଲୋକଙ୍କୁ ପୁଲିସ୍‍ ଧରି ଜୋରିମାନା କରୁଥିଲା । ଏବେ କିନ୍ତୁ ଚାରିଆଡେ ବ୍ୟାପକ ଗଞ୍ଜେଇ ମାଡ ହେଉଥିବାବେଳେ ଏହାକୁ ରୋକିବାଲାଗି ବିଭିନ୍ନ ମହଲରୁ ଦାବି ଉଠୁଛି ।