ଭୁବନେଶ୍ୱର : ରାଜ୍ୟରେ ଖାଲି ପଡିଥିବା ଗୁରତ୍ୱପୂର୍ଣ୍ଣ ପଦ ପଦବୀରେ ନିଯୁକ୍ତି ପାଇଁ ଏବେ ପୁଣିଥରେ ଲବି ଜୋରଦାର ହୋଇଛି । ବିଧାନସଭା ଅଧିବେଶନ ପୂର୍ବରୁ ଆଶାୟୀମାନେ ରାଜଧାନୀକୁ ଛୁଟିବାରେ ଲାଗିଛନ୍ତି ।
ନୂଆ ସରକାର ଗଠନକୁ ପାଞ୍ଚମାସ ପୂରିଥିବାବେଳେ ରାଜନୈତିକ ନେତାଙ୍କ ଦ୍ୱରା ପୂରଣ ହେବାକୁ ଥିବା ପଦ ପଦବୀଗୁଡିକ ଖାଲି ପଡିଛି । ଏଥିରେ ନିଯୁକ୍ତି ପାଇବାପାଇଁ ଆଶାୟୀମାନେ ଅପେକ୍ଷା କରି କରି ହତାଶ ହେବାପରେ ଏବେ ପୁଣିଥରେ କମର କଷିଛନ୍ତି । ସରକାରୀ ଓକିଲ ନିଯୁକ୍ତି ସରିଥିବାରୁ ଏବେ ଏହିସବୁ ପଦବୀରେ ନିଯୁକ୍ତି ହେବାନେଇ ଖବର ପ୍ରଚାରିତ ହେବାପରେ ଆଶାୟୀମାନେ ରାଜଧାନୀକୁ ଛୁଟିଛନ୍ତି ।
ରାଜନୈତିକ ନିଯୁକ୍ତି ପାଇଁ ଥିବା ରାଜ୍ୟ ଯୋଜନା ବୋର୍ଡ ଠାରୁ ଆରମ୍ଭକରି ପଶ୍ଚିମଓଡିଶା ବିକାଶ ପରିଷଦ ଏବଂ ଅନ୍ୟାନ୍ୟ ସରକାରୀ ନିଗମ ଓ ସଂସ୍ଥା ରହିଛି । ନୂଆ ସରକାର ଗଠନ ପରେ ପରେ ଏଥିରେ ତୁରନ୍ତ ନିଯୁକ୍ତି ହେବବୋଲି ଭାବି ଆଶାୟୀମାନେ ଲବି ଚଳାଇଥିଲେ । ହେଲେ ଏହା କିଛିଦିନ ପାଇଁ ଶୀତଳଭଣ୍ଡାରରେ ରହିବାପରେ ଏବେ ପୁଣିଥରେ ଆରମ୍ଭ ହୋଇଯାଇଛି ।
ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷଙ୍କ ସମେତ ସଦସ୍ୟ ପଦବୀରେ ରାଜ୍ୟନୈତିକ ନେତାମାନେ ନିଯୁକ୍ତି ହୋଇପାରିବେ । ଏମାନଙ୍କୁ କ୍ୟାବିନେଟ୍ ଓ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିବ । ସେହିଭଳି ପଶ୍ଚିମଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ମଧ୍ୟ ମନ୍ତ୍ରୀପାହ୍ୟା ପାଇଥାନ୍ତି । ଏଠାରେ ନିଯୁକ୍ତି ରାଜନୈତିକ ନେତାମାନଙ୍କୁ ରାଜଧାନୀରେ ବଙ୍ଗଳା ସହିତ ସରକାରୀ ଗାଡି, କର୍ମଚାରୀ ଆଦି ଯୋଗାଇ ଦିଆଯାଇଥାଏ । ତେଣୁ ସରକାର ଗଠନରେ ସକ୍ରିୟ ଭୂମିକା ଗ୍ରହଣ କରିଥିବା ନେତା ବିଶେଷକରି ନିର୍ବାଚନ ଠାରୁ ଦୂରରେ ଥିବା ନିର୍ବାଚନରେ ହାରି ଯାଇଥିବା ନେତାଙ୍କ ଆଖି ଏହିସବୁ ପଦବୀ ଉପରେ ରହିଛି । ତେଣୁ ନିଜ ନିଜର ଥଇଥାନ ପାଇଁ ଏମାନେ ଏବେ ପୁଣିଥରେ ସକ୍ରିୟ ହୋଇ ଉଠିଛନ୍ତି ।
ସେହିଭଳି ପୁରଣା ସରକାର ବିଦା ହେବାପରେ ମହିଳା କମିଶନ ଅଧ୍ୟକ୍ଷ ପଦବୀ ଖାଲି ପଡିବା ସହିତ ବିଭିନ୍ନ ନିଗମ ଓ ସରକାରୀ ସଂସ୍ଥାରେ ମଧ୍ୟ ଅଧ୍ୟକ୍ଷ ତଥା ଅନ୍ୟାନ୍ୟ ପଦ ପଦବୀ ଖାଲି ପଡିଛି । ମହିଳା କମିଶନ ଭଳି ପଦବୀ ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ ସେଠାରେ ଯେତେଶୀଘ୍ର ସମ୍ଭବ ନିଯୁକ୍ତିପାଇଁ ମତପ୍ରକାଶ ପାଉଛି । ତେଣୁ ଏହିସବୁ ପଦବୀ ପାଇଁ ଲବି ବଢିବାରେ ଲାଗିଛି ।
ରାଜ୍ୟରେ ଏକାଧିକ ନିଗମରେ ଓ ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡିଥିବାରୁ ଶାସକଦଳର ନେତାମାନେ ସେଠାରେ ନିଯୁକ୍ତି ପାଇଁ ଆଶାବାନ୍ଧି ବସିଛନ୍ତି । ଏଥିପାଇଁ ବିଭିନ୍ନ ସ୍ତରରେ ଜୋରଦାର ଲବି ଚାଲିଛି । ବର୍ତ୍ତମାନ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାରୁ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ ଓ ସରକାରୀଦଳର ବରିଷ୍ଠ ନେତାମାନେ ରାଜଧାନୀରେ ଉପସ୍ଥିତ ରହିବେ । ତେଣୁ ଆଶାୟୀମାନେ ନିଜ ନିଜ ସପକ୍ଷରେ ଲବି ପାଇଁ ଏବେ ରାଜଧାନୀକୁ ଆସିବାରେ ଲାଗିଛନ୍ତି ।
ତେବେ ସରକାର ଗଠନର ଦୀର୍ଘଦିନ ପରେ ଆଡଭୋକେଟ ଜେନେରାଲ ନିଯୁକ୍ତ ହୋଇଥିବାବେଳେ ଏହା ପରେ ସରକାରୀ ଓକିଲ ତାଲିକା ବାହାରିଥିଲା । ତେଣୁ ଯୋଜନା ବୋର୍ଡ ଠାରୁ ଆରମ୍ଭ କରି ମହିଳା କମିଶନ ପର୍ଯ୍ୟନ୍ତ ପଦ ପଦବୀ କେବେସୁଦ୍ଧା ପୂରଣ ହେବ ତାହାର ଉତ୍ତର କାହା ପାଖରେ ନାହିଁ । ତଥାପି ଆଶାୟୀମାନେ ବିଭିନ୍ନ ସ୍ତରରେ ଲବି ଜୋରଦାର କରୁଥିବାରୁ ଏହିସବୁ ଖାଲି ପଦବୀଗୁଡିକ ଖୁବଶୀଘ୍ର ପୂରଣ ହେବାର ଆଶା ସଞ୍ଚାର ହୋଇଛି । (ତଥ୍ୟ)