ଭୁବନେଶ୍ୱର : ପାଠ୍ୟ ପୁସ୍ତକରେ ଓଡିଆ ଭାଷାର ବିକୃତିକୁ ନେଇ ଆରୋପ ପ୍ରତ୍ୟାରୋପ ଚାଲିଥିବାବେଳେ ଓଡିଆ ଭାଷାର ସୁରକ୍ଷା ସହିତ ପ୍ରଚାର ପ୍ରସାର ପାଇଁ ଥିବା ଓଡିଆ ଭାଷା ପ୍ରତିଷ୍ଠାନ ଏବେ ଏକ ପ୍ରକାର ଅଚଳ ଅବସ୍ଥାରେ । ତେଣୁ ପୂର୍ବଭଳି ଆଉ ଓଡିଆ ଭାଷା ପ୍ରତିଷ୍ଠାନରେ ପାଠ୍ୟପୁସ୍ତକର ଚୂଡାନ୍ତ ଯାଞ୍ଚ କରାଯାଉ ନାହିଁ ।
ଓଡିଆ ଭାଷା ପ୍ରତିଷ୍ଠାରେ ଗୋଟିଏ କାର୍ଯ୍ୟକାରୀ କମିଟି, ସାଧାରଣ ପରିଷଦ ସହିତ ବିଶେଷଜ୍ଞ କମିଟି ରହିବାର ବ୍ୟବସ୍ଥା ଅଛି । ଏହି ବିଶେଷଜ୍ଞମାନେ ଓଡିଆ ଭାଷାରେ ଦକ୍ଷ ହୋଇଥିବାରୁ ବିଭିନ୍ନ ପ୍ରକାର ପାଠ୍ୟପୁସ୍ତକ ଉପରେ ଚୂଡାନ୍ତ ନଜର ପକାଇଥାନ୍ତି । ଏଥି ସହିତ ସରକାରୀ ସ୍ତରରେ ହେଉଥିବା ଓଡିଆ ଭାଷାର ବିଭିନ୍ନ ପୁସ୍ତକ ପ୍ରସ୍ତୁତି, ଗବେଷଣା ଆଦିରେ ସହଯୋଗ କରିଥାନ୍ତି ।
ତେବେ ଗତ କିଛିଦିନ ହେଲା ଓଡିଆ ଭାଷା ପ୍ରତିଷ୍ଠାନ ଏକ ପ୍ରକାର ମୃତବତ୍ ଅବସ୍ଥାରେ । ଗୋଟିଏ ପଟେ ସ୍ଥାୟୀ ନିର୍ଦ୍ଦେଶକ ନଥିବାବେଳେ ଅନ୍ୟପଟେ କିନ୍ତୁ ପ୍ରତିଷ୍ଠାନର ଦପ୍ତରର ଓ ନିୟନ୍ତ୍ରଣ ବିଭାଗ ବାରମ୍ବାର ବଦଳିବାରେ ଲାଗିଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନର ପ୍ରଥମେ ଏହି ସଂସ୍ଥାଟି ରାଜ୍ୟ ଜନଶିକ୍ଷା ସାଧନ କେନ୍ଦ୍ରର ସୌଧରେ ଖୋଲିଥିଲା । ପରେ ଏହା ସଂସ୍କୃତି ବିଭାଗ ଅଧିନକୁ ଯିବାପରେ ଦପ୍ତରର ଠିକଣା ସଂସ୍କୃତି ଭବନ ହୋଇଥିଲା । ଏବେ ପୁଣି ଏହାର ଠିକଣା ବଦଳି ଖାରବେଳ ଭବନ ହୋଇଛି ।
ବାରମ୍ବାର ଠିକଣା ବଦଳୁଥିବାବେଳେ ଏହି ସଂସ୍ଥାରେ ଏବେ ନିୟମିତ ନିର୍ଦ୍ଦେଶକ ନାହାନ୍ତି । ଅନ୍ୟ କର୍ମଚାରୀଙ୍କର ବି ଗୁରୁତର ସଙ୍କଟ । ଦପ୍ତରରେ କାହାରି ଦେଖାଦର୍ଶନ ବି ନାହିଁ । ଖାରବେଳଭବନକୁ ଦପ୍ତର ଆସିବାପରେ ସାହିତ୍ୟିକ କିମ୍ବା ସାହିତ୍ୟପ୍ରେମୀମାନେ ଏଠାରେ ଆଉ ପାଦ ପକାଉ ନାହାନ୍ତି । କାରଣ ଏଠାକୁ ଯିବାପାଇଁ ପାଶ୍ ଦରକାର ହେଉଛି । ପୂର୍ବରୁ ସଂସ୍କୃତି ବିଭାଗରେ ଦପ୍ତର ଥିବାବେଳେ ପାଶ୍ ଆବଶ୍ୟକ ହେଉନଥିବାରୁ ବହୁ ସାହିତ୍ୟାନୁରାଗୀ ସେଠାକୁ ଯାଉଥିଲେ ।
ସେହିଭଳି ଓଡିଆ ଭାଷା ପ୍ରତିଷ୍ଠାନ ର ନିଜସ୍ୱ ଦପ୍ତର ନିର୍ମାଣ ପାଇଁ ରାଜ୍ୟ ସରକାର ଜମି ଓ ଅର୍ଥ ଯୋଗାଇ ଦେଇଥିଲେ ମଧ୍ୟ ତାହା ନିର୍ମାଣ ହୋଇପାରୁ ନାହିଁ । ସ୍ମାର୍ଟସିଟି କର୍ତ୍ତୃପକ୍ଷ ଏହାର ନିର୍ମାଣ କାର୍ଯ୍ୟରେ କେଁ ପୂରାଇବାରୁ ଟେଣ୍ଡର ସ୍ଥିତିରେ ତାହାକୁ ÷ଅଟକାଯାଇଥିଲା । ଏହାପରେ କିନ୍ତୁ ଆଉ କେହି ଏହାର ନିଜସ୍ୱ ଦପ୍ତର ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି ।
ଅନ୍ୟ ପକ୍ଷରେ ଭାଷା ପ୍ରତିଷ୍ଠାନ ସଂସ୍ଥାଟି ଅଚଳ ହୋଇ ପଡିଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତ ପାଠ୍ୟପୁସ୍ତକ ଆଉ ପ୍ରତିଷ୍ଠାନର ଯାଞ୍ଚ ହୋଇପାରୁ ନାହିଁ । ବିଶେଷଜ୍ଞମାନଙ୍କ କହିବାକଥା ଯେ ଯଦି ଓଡିଆ ଭାଷା ପ୍ରତିଷ୍ଠାନରେ ପୂର୍ବଭଳି ଚଳିତବର୍ଷ ପାଠ୍ୟପୁସ୍ତକ ଯାଞ୍ଚ ହୋଇଥାନ୍ତା ତେବେ ହଜାର ହଜାର ସଂଖ୍ୟାରେ ତ୍ରୁଟି ପରିଲକ୍ଷିତ ହୋଇନଥାନ୍ତା କି ସରକାର ଅଡୁଆରେ ପଡିନଥାନ୍ତେ । ତେଣୁ ଓଡିଆ ଭାଷା ପ୍ରତିଷ୍ଠାନ ପ୍ରତି ସରକାର ଦୃଷ୍ଟି ଦେବା ଜରୁରୀ ହୋଇପଡିଛି । (ତଥ୍ୟ)

