Home Culture ତୋଷାଳି ମେଳା ଉଦ୍‌ଘାଟିତ

ତୋଷାଳି ମେଳା ଉଦ୍‌ଘାଟିତ

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ ସପ୍ତଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆଜି ସନ୍ଧ୍ୟାରେ ଜନତା ମଇଦାନରେ ଉଦ୍‌ଘାଟିତ ହୋଇଯାଇଛି ।

ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାରିଗର ଓ ବୁଣାକାରମାନଙ୍କ ଉଦ୍ଦେଶ୍ୟରେ ଦେଇଥିବା ବାର୍ତ୍ତକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ପାଠ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଥିଲେ ଯେ “ଓଡ଼ିଶା କଳାର ରାଜ୍ୟ । କଳାଭୂମି । ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତତନ୍ତ ଦେଶବିଦେଶରେ ଗୌରବ ବଢ଼ାଇଛି ।

ଆମର କାରିଗରମାନଙ୍କ ପାଇଁ ସମ୍ମାନ ଆଣିଛି । ଏ ମାଟିର କାରିଗରମାନଙ୍କ ଦକ୍ଷତାର ତୁଳନା ନାହିଁ । ମୁଁ ବହୁତ ଖୁସି ଯେ ଆମର ୪୭ ଜଣ ଶିଳ୍ପୀଙ୍କୁ କ୍ରାଫଫ ଆୱାର୍ଡରେ ସମ୍ମାନିତ କରାଗଲା । ଓଡ଼ିଶାର କଳା ଓ ସଂସ୍କୃତି କ୍ଷେତ୍ରରେ ସେମାନଙ୍କର ମହତ୍ତ୍ୱପୂର୍ଣ୍ଣ ଅବଦାନ ପାଇଁ ୩ ଜଣ ବିଶିଷ୍ଟ ଶିଳ୍ପୀ ପଦ୍ମ ବିଭୂଷଣ ଶ୍ରୀ ସୁଦର୍ଶନ ସାହୁ, ଶ୍ରୀ ଦେବେନ୍ଦ୍ର ମିଶ୍ର ଓ ଶ୍ରୀ ବେଣୁଧର ମହାପାତ୍ରଙ୍କୁ ଲାଇଫ୍‌ ଟାଇମ୍‌ ଏଚିଭ୍‌ମେଣ୍ଟ ଆୱାର୍ଡରେ ସମ୍ମାନିତ କରାଗଲା ।’’ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ପ୍ରତିଭାଧରମାନଙ୍କୁ ବିଶେଷ ଅଭିନନ୍ଦନ ଜ୍ଞାପନ କରିଥିଲେ ।

“ଆଜି ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାରେ ସାରା ଦେଶର ବିଭିନ୍ନ ରାଜ୍ୟର କାରିଗରମାନେ ଯୋଗଦେଇଛନ୍ତି ।’’ ବୋଲି ଉଲ୍ଲେଖ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଜଗନ୍ନାଥଙ୍କ ପବିତ୍ର ଭୂମ ଓଡ଼ିଶାକୁ ସ୍ୱାଗତ କରିଥିଲେ ।

ଉଦ୍‌ଘାଟନୀ ସଭାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରିତା ସାହୁ, ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର (ଉତ୍ତର) ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର (ମଧ୍ୟ ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଏବଂ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଓ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

ଏହି ଉତ୍ସବରେ ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ ସ୍ୱାଗତ ଭାଷଣ ଦେଇ କହିଲେ ଯେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ବୁଣାକାର ଓ କାରିଗରମାନଙ୍କୁ ସମୃଦ୍ଧ କରିବା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ବିଭାଗ ପକ୍ଷରୁ ବରିଷ୍ଠ କାରିଗରମାନଙ୍କ ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି । ଆଜି ଉଦ୍‌ଘାଟନୀ ଉତ୍ସବରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନପୂର୍ବକ ସମ୍ମାନିତ କରାଯାଇଥିଲା ଏବଂ ରୁଦ୍ରାକ୍ଷ ବୃକ୍ଷରେ ଅତିଥିମାନେ ଜଳ ପ୍ରଦାନ କରିଥିଲେ ।

ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ ପଣ୍ଡା ଏହି ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ କହିଲେ ଯେ ଆମର ହସ୍ତଶିଳ୍ପ, ସ୍ଥାପତ୍ୟ, ହସ୍ତତନ୍ତ ସବୁଥିରେ ଓଡ଼ିଶାର କାରିଗରମାନଙ୍କର ହସ୍ତର ନମୁନା ରହିଛି । ତୋଷାଳି ମେଳା ହେଉଛି ଭାବଗତ ସଂହତି । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ସାହୁ ତାଙ୍କ ଭାଷଣରେ ତୋଷାଳି ହସ୍ତଶିଳ୍ପ ମେଳାରେ ରାଜ୍ୟରେ କାର୍ଯ୍ୟରତ, ଶିଳ୍ପୀ, କାରିଗର, ବୁଣାକାର ଓ ଅଭିଜ୍ଞ ବ୍ୟକ୍ତିମାନଙ୍କ ମଧ୍ୟରେ ଭାବର ଆଦାନପ୍ରଦାନ ସୃଷ୍ଟି କରିବା ସହିତ ଭାରତୀୟ ପାରମ୍ପାରିକ କଳା, ହସ୍ତଶିଳ୍ପ ଏବଂ ହସ୍ତତନ୍ତର ସଂରକ୍ଷଣ ହୋଇପାରିବ ବୋଲି କହିଥିଲେ ।

ଭୁବନେଶ୍ୱର (ମଧ୍ୟ) ବିଧାୟକ ଶ୍ରୀ ଜେନା ତାଙ୍କ ଅଭିଭାଷଣରେ କହିଥିଲେ ଯେ ଏହି ମେଳା ବୁଣାକାର, କାରିଗରମାନଙ୍କୁ ଜ୍ଞାନ ଆହରଣ କରିବାରେ ସହାୟକ ହେବ । ଭୁବନେଶ୍ୱର (ଉତ୍ତର) ବିଧାୟକ ଶ୍ରୀ ରାଉତ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଏହି ମେଳାରେ ଅଂଶଗ୍ରହଣକାରୀମାନେ ଭାବର ବିନିମୟ ସହିତ ବୁଣାକାର ଓ କାରିଗରମାନଙ୍କ ଆୟ ବୃଦ୍ଧି ପାଇବ ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ୨୦୧୯, ୨୦୨୦, ୨୦୨୧ ବର୍ଷ ପାଇଁ ହସ୍ତଶିଳ୍ପ କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପୁରସ୍କାର ଓ ହସ୍ତତନ୍ତ ରାଜ୍ୟ ପୁରସ୍କାରପ୍ରାପ୍ତ କାରିଗରମାନଙ୍କୁ ସମ୍ମାନିତ କରାଯିବା ସହ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ରୀ ଶ୍ୟାମଭକ୍ତ ମିଶ୍ର, ସ୍ୱତନ୍ତ୍ର ସଚିବ ଶ୍ରୀ ସରୋଜ କୁମାର ପଟେଲ, ସ୍ୱତନ୍ତ୍ର ସଚିବ ଶ୍ରୀକାନ୍ତ ପୃଷ୍ଟି ଅତିଥି ଭାବେ ଯୋଗଦାନ କରିଥିଲେ । ଶେଷରେ ବୟନ ଓ ହସ୍ତତନ୍ତ ନିର୍ଦ୍ଦେଶକ ଶ୍ରୀ ଶୋଭନ କ୍ରୀଷ୍ଣା ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପ ଇଲିୟାନା ସିତାରିଷ୍ଟ ଓ ସାଥୀମାନେ ଚିତ୍ତାକର୍ଷକ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ ।

ଏହି ମେଳାରେ ମୋଟ ୫୬୦ଟି ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ଷ୍ଟଲ ସ୍ଥାନ ପାଇଛି । ଚଳିତ ବର୍ଷ ଫୁଡ୍‌ କୋର୍ଟରେ ଓଡ଼ିଶାରେ ପାରମ୍ପରିକ ଖାଦ୍ୟ ପରିବେଷଣ ହେବା ସହିତ ବିଭିନ୍ନ ରାଜ୍ୟର ସୁସ୍ୱାଦୁ ଖାଦ୍ୟର ଆସର ଜମିଛି । ମେଳାର ଅନ୍ୟତମ ଆକର୍ଷଣ ସାଜିଛି ମିଲେଟ୍‌ ଫୁଡ୍‌ ଷ୍ଟଲ । ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଫେବୃଆରୀ ୧୨ ତାରିଖ ପର୍ଯ୍ୟନ୍ତ ଦିବା ୨.୩୦ରୁ ରାତି ୯.୩୦ ପର୍ଯ୍ୟନ୍ତ ଖୋଲାରହିବ ।