ଭୁବନେଶ୍ୱର: ତେଲ ଦର ବୃଦ୍ଧିକୁ ନେଇ ଆଜି ବିଧାନସଭାରେ ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରିବା ସହିତ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଗୃହ ମଝିରେ ଧାରଣାରେ ବସିଥିଲେ । ଉଭୟ ଖାଇବା ତେଲ ଓ ପେଟ୍ରୋଲ, ଡିଜେଲ ଦରବୃଦ୍ଧିକୁ ନେଇ ଏଭଳି ତାତି ଦେଖିବାକୁ ମିଳିଥିଲା ।
ଶୂନ୍ୟକାଳରେ ଶ୍ରୀ ବାହିନୀପତି କହିଥିଲେ ଯେ ଖାଇବା ତେଲ ଦର ଏବେ ଆକାଶଛୁଆଁ । ପେଟ୍ରୋଲ ଓ ଡିଜେଲ ଦର ଶହେ ଛୁଇଁଲାଣି । କେନ୍ଦ୍ର ସରକାର ଏକ୍ସାଇଜ୍ ଟିକସ ୩୩ ପ୍ରତିଶତ ଲଗାଇଛନ୍ତି । ରାଜ୍ୟ ସରକାର ବି ଟିକସ ନେଉଛନ୍ତି । ତେଣୁ ଦର ହ୍ରାସ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ୧୦ ଟଙ୍କାକରି ଟିକସ ହ୍ରାସ କରିବାକୁ ଶ୍ରୀ ବାହିନୀପତି ମତ ଦେଇଥିଲେ । ଏଥିସହିତ ଖାଇବା ତେଲ ଦର ନିୟନ୍ତ୍ରଣ ପାଇଁ ସେ ଦାବି କରିବା ସହିତ ଏ ସଂକ୍ରାନ୍ତରେ ବିଧାନସଭାରେ ସଂକଳ୍ପ ଆଣିବାକୁ ଦାବି କରିଥିଲେ ।
ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଥିଲେ ଯେକୌଣସି ଦଳ ଚାହିଁଲେ ସଂକଳ୍ପ ଆଣିପାରିବେ । ମୋର ଏଥିରେ କିଛି କହିବାର ନାହିଁ । ଏହି ସମୟରେ ଶ୍ରୀ ବାହିନୀପତି ସଂକଳ୍ପ ଆଣିବା ଲାଗି ହାତଯୋଡ଼ି ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କୁ ଅନୁରୋଧ କରିଥିଲେ ।
ବିଜେଡି ବିଧାୟକ ଭୂପିନ୍ଦର ସିଂ କହିଥିଲେ ଯେ ପେଟ୍ରୋଲ, ଡିଜେଲ ଦର ବଢ଼ୁଛି । ଏହାର ମୁଖ୍ୟ କାରଣ ହେଉଛି କେନ୍ଦ୍ର ସରକାରଙ୍କ ୩୩ ପ୍ରତିଶତ ଟିକସ । ତେବେ ଇତିମଧ୍ୟରେ ଏଚ୍ପିସିଏଲ ପେଟ୍ରୋଲରେ ୧୦ ପ୍ରତିଶତ ଇଥାନେଲ୍ ମିଶାଉଥିବା ବେଳେ ଏପ୍ରିଲ୍ ପହିଲାରୁ ବିପିସିଏଲ୍ ମଧ୍ୟ ଇଥାନେଲ୍ ମିଶ୍ରଣ କରିବ । ଏ ସଂକ୍ରାନ୍ତରେ ସରକାର ସାଧାରଣ ଲୋକଙ୍କୁ ସୂଚନା ଦେବା ଦରକାର ।
ଏହି ସମୟରେ ଶ୍ରୀ ବାହିନୀପତି କହିଥିଲେ ଯେ ସାଧାରଣ ଲୋକଙ୍କୁ ଦରଦାମ୍ ବାଧୁଥିବା ବେଳେ ବାଚସ୍ପତି ଯଦି କୌଣସି ରୁଲିଂ ନ ଦେବେ ତେବେ ସେ ଗୃହରେ ଧାରଣା ଦେବେ । ଏହି ସମୟରେ ବାଚସ୍ପତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ କହିବାକୁ ଡାକିବାରୁ ଶ୍ରୀ ବାହିନୀପତି ଗୃହ ମଧ୍ୟରେ ଧାରଣାରେ ବସିଥିଲେ ।
କଂଗ୍ରେସ ବିଧାୟକ ଶ୍ରୀ ମିଶ୍ର କହିଥିଲେ ଯେ ଖାଇବା ତେଲ, ଡିଜେଲ, ପେଟ୍ରୋଲ ଓ ରନ୍ଧନ ଗ୍ୟାସର ଦର ଅହେତକୁ ଭାବେ ବୃଦ୍ଧି ପାଉଥିବା ବେଳେ ସରକାର ଏହାକୁ ହାଲୁକା ଭାବେ ନେଉଛନ୍ତି । ଚଳିତ ଅଧିବେଶନରେ ଏହି ପ୍ରସଙ୍ଗ ତିନିଥର ଉଠିଲାଣି । ହେଲେ ଫଳ ଶୂନ । ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଲେ ବୁଲେଇ ବଙ୍କେଇ ଉତ୍ତର ଦେଉଛନ୍ତି । ଯଦି ପ୍ରଶ୍ନର ଉତ୍ତର ଠିକ୍ ଦିଆଯିବନି ଓ ସରକାର ପଦକ୍ଷେପ ଗ୍ରହଣ କରିବେନି ତେବେ ବିଧାନସଭା କାହିଁକି ବୋଲି ଶ୍ରୀ ମିଶ୍ର କହିଥିଲେ ।