Home Education ତେଜୁଛି ରମାଦେବୀ ସ୍ଥାନାନ୍ତର ବିବାଦ

ତେଜୁଛି ରମାଦେବୀ ସ୍ଥାନାନ୍ତର ବିବାଦ

ଭୁବନେଶ୍ୱର : ୟୁନିଟ୍‍-୯ ସ୍ଥିତ ସରକାରୀ ବାଳିକା ହାଇସ୍କୁଲ ସ୍ଥାନାନ୍ତର ନକରି ସେହି ପରିସରରେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଖୋଲିବା ପାଇଁ ବିଭିନ୍ନ ମହଲରୁ ମତ ପ୍ରକାଶ ପାଉଛି । ଏଠାରେ ଉଲ୍ଲେଖନୀୟ ଯେ ଏହି ବାଳିକା ହାଇସ୍କୁଲଟିକୁ ଅନ୍ୟଏକ ବାଳକ ହାଇସ୍କୁଲରେ ମିଶାଇ ଦେବାଲାଗି ସରକାରଙ୍କ ନିକଟରେ ପ୍ରସ୍ତାବ ଥିବା ପରିପ୍ରେକ୍ଷୀରେ ଛାତ୍ରୀ, ଅଭିଭାବକ ଓ ଦଳମତ ନିର୍ବିଶେଷରେ ବୁଦ୍ଧିଜୀବୀ ମହଲରୁ ପ୍ରତିକୂଳ ପ୍ରତିକ୍ରିୟା ପ୍ରକାଶ ପାଉଛି ।

ଏଠାରେ ଉଲ୍ଲେଖନୀୟ ଯେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟକୁ ଲାଗି ଏହି ବାଳିକା ହାଇସ୍କୁଲଟି ରହିଛି । ୭ବର୍ଷ ତଳୁ ରମାଦେବୀ ସ୍ୱୟଂଶାସିତ କଲେ ବିଶ୍ୱବିଦ୍ୟାଳୟରେ ପରିଣତ ହୋଇଥିଲେ ମଧ୍ୟ ଏହାର ସମ୍ପ୍ରସାରିତ ନୂତନ କ୍ୟାମ୍ପସ୍‍ ପାଇଁ ଏଯାବତ୍‍ କର୍ତ୍ତୃପକ୍ଷ ରାଜଧାନୀରେ ଜାଗା ଖଣ୍ଡେ ଯୋଗାଇ ଦେଇପାରୁନାହାନ୍ତି । ଫଳରେ ରମାଦେବୀ କଲେଜ କ୍ୟାମ୍ପସ୍‍ରେ ଏବେ ବିଶ୍ୱବିଦ୍ୟାଳୟର ଦପ୍ତର ସହିତ ଯୁକ୍ତ୨ରୁ ପିଜି ପର୍ଯ୍ୟନ୍ତ ଶ୍ରେଣୀକକ୍ଷ ରହୁଛି । ଉଚ୍ଚଶିକ୍ଷା ବିଭାଗରୁ ଯୁକ୍ତ୨ ପାଠ୍ୟକ୍ରମକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସ୍ଥାନାନ୍ତର କରାଯାଇଥିବା ପରିପ୍ରେକ୍ଷୀରେ ମହିଳା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କ କ୍ୟାମ୍ପସ୍‍ରୁ ଯୁକ୍ତ ୨ ଶ୍ରେଣୀଗୁଡିକୁ ଅନ୍ୟତ୍ର ଉଠାଇ ନେବାପାଇଁ ବାରମ୍ବାର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି ।

ଇତିମଧ୍ୟରେ ୯ନଂ. ୟୁନିଟ୍‍ ସ୍ଥିତ ସରକାରୀ ବାଳିକା ବିଦ୍ୟାଳୟକୁ ରମାଦେବୀର ଯୁକ୍ତ୨ ଶ୍ରେଣୀକୁ ସ୍ଥାନାନ୍ତର ସହ ଏହି ବାଳିକା ବିଦ୍ୟାଳୟକୁ ବାଳକ ବିଦ୍ୟାଳୟରେ ମିଶାଇ ଦେବାପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତାବ ରହିଛି । ଏହା ଜଣାପଡିବା ପରେ ଛାତ୍ରୀ, ଅଭିଭାବକ, ପୁରାତନ ଛାତ୍ରୀ ଓ ବୁଦ୍ଧୀଜୀବୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ୯ନଂ. ଫ୍ଲାଟ୍‍ରେ ଥିବା ବାଳକ ସ୍କୁଲରେ ଇତି ମଧ୍ୟରେ ଦୁଇଟି ପ୍ରାଥମିକ ବିଦ୍ୟାଳୟକୁ ମିଶାଇ ଦିଆଯାଇଛି । ସେଠାରେ ବାଳିକା ହାସ୍କୁଲର ମିଶ୍ରଣ କରାଗଲେ ଗୁରୁତର ସ୍ଥାନାଭାବ ସୃଷ୍ଟି ହୋଇ ପାଠପଢା ବ୍ୟାହାତ ହେବବୋଲି ଅଭିଯୋଗ ହେଉଛି । ଫଳରେ ଉଭୟ ସ୍କୁଲର ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେବେ ।

ବାଳିକା ହାଇସ୍କୁଲକୁ ସ୍ଥାନାନ୍ତର ନକରି ତାହାରି ପରିସରରେ ଯୁକ୍ତ-୨ ପାଠ୍ୟକ୍ରମ ପାଇଁ ଶ୍ରେଣୀଗୃହ, ବିଜ୍ଞାନାଗାର ଆଦି ନିର୍ମାଣ କରାଗଲେ ସମସ୍ୟା ସମାଧାନ ହୋଇପାରନ୍ତା । ଏହାଫଳରେ ରମାଦେବୀ ଯୁକ୍ତ ଦୁଇ ବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସହିତ ବାଳିକା ହାଇସ୍କୁଲର ମିଶ୍ରଣ ହୋଇପାରନ୍ତା ଏବଂ ଷଷ୍ଠରୁ ଦ୍ୱାଦଶ ପର୍ଯ୍ୟନ୍ତ ଛାତ୍ରୀମାନେ ଗୋଟିଏ କ୍ୟାମ୍ପସ୍‍ରେ ପାଠ ପଢିପାରନ୍ତେ ।

ପ୍ରଶାସନିକ ଅଧିକାରୀମାନେ ସଚିବାଳୟରେ ବାଳିକା ହାଇସ୍କୁଲ ସ୍ଥାନାନ୍ତର ପାଇଁ ଏକତରଫା ନିଷ୍ପତ୍ତି ନନେଇ ଏହି ସମସ୍ୟା ସମ୍ପର୍କରେ ଆଲୋଚନା ଲାଗି ଏକ କମିଟି ଗଠନ କରିବା ସହ ଛାତ୍ରୀମାନଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ଆଲୋଚନା ମାଧ୍ୟମରେ ସକାରାତ୍ମକ ପଦକ୍ଷେପ ନେବାକୁ ଦାବି ହେଉଛି । ଏହି ବାଳିକା ହାଇସ୍କୁଲରେ ଏବେ ୪୦୦ରୁ ଅଧିକ ଛାତ୍ରୀ ପଢୁଛନ୍ତି । ଏମାନଙ୍କୁ ଯେଉଁ ବାଳକ ହାଇସ୍କୁଲରେ ମିଶାଇବା ପାଇଁ ଯେଉଁ ପ୍ରସ୍ତାବ ରହିଛି ସେଠାରେ ବି ୪୦୦ରୁ ଅଧିକ ଛାତ୍ର ଅଛନ୍ତି । ଏ ପରିପ୍ରେକ୍ଷୀରେ ଦୁଇଟି ଯାକ ବାଳିକା ହାଇସ୍କୁଲକୁ ସ୍ଥାନାନ୍ତର ନକରିବା ଦାବିରେ ଛାତ୍ରୀ ଓ ଅଭିଭାବକମାନେ ଇତିମଧ୍ୟରେ ଆନ୍ଦୋଳନ କରିଛନ୍ତି ।

ରମାଦେବୀ ବିଶ୍ୱ ବିଦ୍ୟାଳୟ ପରିସରରେ ଯୁକ୍ତ ଦୁଇ ପଢୁଥିବା ବହୁ ଛାତ୍ରୀ କିନ୍ତୁ ବିଶ୍ୱ ବିଦ୍ୟାଳୟ ପରିସରରେ ଥିବା ସେମାନଙ୍କ କଲେଜ କ୍ୟାମ୍ପସ୍‍ ଛାଡ଼ିବାକୁ ଅନିଚ୍ଛୁକ । ବିଜେପି, ରାଜଧାନୀ ଆଦି ସରକାରୀ କଲେଜରେ ସ୍ନାତକୋତ୍ତର ଓ ଯୁକ୍ତ ତିନି ସହିତ ଯୁକ୍ତ ଦୁଇ ଶ୍ରେଣୀ ରହିଥିବାବେଳେ ରମାଦେବୀରୁ ଯୁକ୍ତ ଦୁଇ ଶ୍ରେଣୀକୁ ଅନ୍ୟତ୍ର ବିଦା କରିବା ଅଯୌକ୍ତିକ ବୋଲି ସେଠାରେ ପଢୁଥିବା ଛାତ୍ରୀମାନେ ମଧ୍ୟ ଅଭିଯୋଗ କରୁଛନ୍ତି ।

ରାଜ୍ୟ ସରକାର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପାଇଁ ସ୍ୱତନ୍ତ୍ର ଜମି ବ୍ୟବସ୍ଥା କରି ବର୍ଷକ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କଲେ ଏହି ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ ବୋଲି ରମାଦେବୀର ବହୁ ଛାତ୍ରୀ ମତ ଦେଉଛନ୍ତି । (ତଥ୍ୟ)