ଭୁବନେଶ୍ୱର : ନୂଆଦିଲ୍ଲୀ-ଭୁବନେଶ୍ୱର ମଧ୍ୟରେ ଚଳାଚଳ କରୁଥିବା ରାଜଧାନୀ (ବର୍ତ୍ତମାନ ତେଜସ ରାଜ) ସୁଫରଫାଷ୍ଟ ଟ୍ରେନର ଯାତ୍ରୀମାନେ ଏବେ ନାକେଦମ ହେଉଛନ୍ତି । ବହୁ ପୂର୍ବରୁ ସଂରକ୍ଷଣ ଟିକଟ କାଟିଥିଲେ ମଧ୍ୟ ସେମାନେ ସହଜରେ ନିଜ ଆସନରେ ଟିକେ ବସିପାରୁ ନାହାନ୍ତି । ବିନା ଟିକଟରେ ଯାତ୍ରୀମାନେ ମନଇଚ୍ଛା ପ୍ରବେଶ କରୁଥିବାରୁ ଏଭଳି ସ୍ଥିତି ଉପୁଜିଛି ।
ନିକଟରେ ଏହି ଟ୍ରେନରେ ନୂଆଦିଲ୍ଲୀରୁ ଭୁବନେଶ୍ୱର ଆସିଥିବା ଜଣେ ଯାତ୍ରୀ କହିଛନ୍ତି ଯେ ରାଜଧାନୀର ନୂଆ ନାମକରଣ ହୋଇଥିବା ଟ୍ରେନରେ ନୂଆଦିଲ୍ଲୀ ଷ୍ଟେସନରୁ ମନଇଚ୍ଛା ଯାତ୍ରୀମାନେ ଚଢି ଯାଉଛନ୍ତି । ସେମାନଙ୍କୁ ବାରଣ କରିବାକୁ କେହି ନାହିଁ । ଟ୍ରେନ ଚାଲିଲା ପରେ ଏମାନେ ଯେଉଁଠି ପାରୁଛନ୍ତି ସେଠାରେ ବସିଯାଉଛନ୍ତି । ଏପରିକି ସଂରକ୍ଷଣ ଟିକଟ କାଟିଥିବା ଲୋକଙ୍କ ଆସନକୁ ଦଖଲ କରି ନେଉଛନ୍ତି । ଅଧାବାଟରେ ଓହ୍ଲାଇବାକୁ ଥିବା ଅଧିକାଂଶ ଅଣଓଡିଆ ଯାତ୍ରୀମାନଙ୍କୁ କେହି ସାହସରେ କିଛି କହିପାରୁ ନାହାନ୍ତି ।
ଏହି ସୁପରଫାଷ୍ଟ ଟ୍ରେନରେ ବିନା ଟିକଟରେ ଚଢିବା ଏକ ପ୍ରକାର ଦଣ୍ଡନୀୟ ଅପରାଧ । ତଥାପି ଟ୍ରେନରେ ଥିବା ସୁରକ୍ଷାକର୍ମୀ ଓ ଟିଟି ମାନଙ୍କର କୋହଳ ପଣ ଯୋଗୁଁ ବିନା ଟିକଟରେ ଯାତ୍ରୀମାନେ ପ୍ରାୟ ସବୁ ବଗିରେ ଚଢି ଯାଉଛି । ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରଣିତ ତୃତୀୟଶ୍ରେୀ ବଗିରେ ଅଧିକ ସଂଖ୍ୟାରେ ବିନା ଟିକେଟ ଯାତ୍ରୀ ଚଢୁଥିବା ଦେଖିବାକୁ ମିଳୁଛି । ଏମାନେ ନିଜ ସଂରକ୍ଷିତ ଟିକଟଧାରୀଙ୍କ ଆସନକୁ ଦଖଲ କରିବା ସହିତ ସେମାନଙ୍କର ବ୍ୟାଗ ଆଦି ରଖି ଦେଉଛନ୍ତି ।
ରେଳବଗିର ସୁରକ୍ଷା ଦାୟିତ୍ୱରେ ଥିବା ବନ୍ଧୁକଧାରୀ ପୁଲିସ୍ ଓ ଟିଟି ମାନଙ୍କୁ ହାତଗୁଞ୍ଜା ଦେଇ ଏମାନେ ବିଭିନ୍ନ ବଗିରେ ତଳେ ବସି ରହୁଛନ୍ତି । ଫଳରେ ଯେଉଁ ବୟସ୍କ ଓ ମହିଳାମାନେ ତଳ ଆସନଟି ସଂରକ୍ଷିତ କରିଛନ୍ତି ସେମାନେ ପାଦ ପକାଇବାକୁ ସ୍ଥାନ ଟିକେ ପାଉନାହାନ୍ତି । ରାତି ହେଲେ ଚୋରି ଭୟରେ ଅନେକ ବୟସ୍କ ଓ ମହିଳା ଶୋଇପାରୁ ନଥିବା କହିଛନ୍ତି ।
ବର୍ତ୍ତମାନ ବିମାନ ଟିକଟ ଦର ଦୁଇ ତିନିଗୁଣା ବୃଦ୍ଧି ପାଇଥିବାରୁ ରାଜଧାନୀ ଭଳି ଟ୍ରେନରେ ଅଧିକ ଲୋକ ଯିବାକୁ ଚାହୁଁଛନ୍ତି । ଫଳରେ ଯେଉଁମାନେ ପୂର୍ବରୁ ଟିକଟ ସଂରକ୍ଷଣ କରିନାହାନ୍ତି ସେମାନେ ବି ଷ୍ଟେସନରୁ ଟିକଟକାଟି ସଂଗେ ସଂଗେ ଟ୍ରେନରେ ଚଢୁଛନ୍ତି । ଏସବୁ ରେଳ ସୁରକ୍ଷାକର୍ମୀ ଓ ଟିଟିଇ ମାନଙ୍କ ଜ୍ଞାତସାରରେ ଘଟୁଛି । ସେମାନେ ଭଲ ଭାବେ ହାତ ଚିକ୍କଣ କରୁଥିବାବେଳେ ମାସେ ଦୁଇମାସ ତଳୁ ପଇସା ଦେଇ ସଂରକ୍ଷିତ ଟିକଟ କାଟିଥିବା ଲୋକେ ହଇରାଣ ହରକତ ହେଉଛନ୍ତି ।
ଆସନ ଠାରୁ ଅଧିକଯାତ୍ରୀ ଯାତ୍ରା କରୁଥିବା ଏହି ସୁପରଫାଷ୍ଟ ଟ୍ରେନରେ ଖାଦ୍ୟ ଓ ପାନୀୟ ସମସ୍ୟା ମଧ୍ୟ ଦେଖା ଦେଉଛନ୍ତି । ସମସ୍ତ ଯାତ୍ରୀଙ୍କ ଟିକଟରେ ଖାଦ୍ୟ ବ୍ୟବସ୍ଥା ଥିବାବେଳେ ରେଳବାଇ କର୍ମୀମାନେ କେତେକ ସମୟରେ ଜାଣିଶୁଣି ଖାଇବା ଦେଉନାହାନ୍ତି ନଚେତ ବିଳମ୍ବ କରୁଛନ୍ତି । ଏହାକୁ ମଧ୍ୟ ମଧ୍ୟ ସଂରକ୍ଷିତ ଯାତ୍ରୀ ଓ ରେଳ କର୍ମଚାରୀଙ୍କ ମଧ୍ୟରେ ଉଚ୍ଚବାଚ ହେଉଛି । ତେଣୁ ଦେଶର ସମ୍ମାନ କୁହାଯାଉଥିବା ଏହି ସୁପରଫାଷ୍ଟ ଟ୍ରେନରେ କିଭଳି ଯାତ୍ରୀମାନେ ନିରାପଦ ଓ ଆନନ୍ଦଦାୟକ ଯାତ୍ରା କରିବେ ତାହା ଉପରେ ରେଳବାଇ କର୍ତ୍ତୃପକ୍ଷ ନଜର ଦେବାକୁ ଦାବି ହେଉଛି । (ତଥ୍ୟ)