ଭୁବନେଶ୍ୱର : ଭାରତରେ ଏବେ କରୋନାର ଦ୍ୱିତୀୟ ଲହରୀ ଭୟଙ୍କର ଭାବେ ବ୍ୟାପୁଥିବାବେଳେ କିଛିଦିନ ମଧ୍ୟରେ ପୁଣି ତୃତୀୟ ଲହର ଆସିପାରେ । ଏଥିପାଇଁ ଏବେ ଠାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ସାଧାରଣ ଲୋକେ ମନସ୍ଥିର କରି ପ୍ରସ୍ତୁତ ରହିବାକୁ ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ।
ଦୀର୍ଘ ବର୍ଷ ଧରି ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଉପରେ ଗଭୀର ଗବେଷଣା ସହ ମଡେର୍ଣ୍ଣା ଟିକା ତିଆରିରେ ସମ୍ପୃକ୍ତ ଥିବା ଓଡିଆ ବୈଜ୍ଞାନିକ ଡକ୍ଟର ସ୍ୱୟଂପ୍ରକାଶ ଏଭଳି ସତର୍କବାଣୀ ଶୁଣାଇଛନ୍ତି । ସେ ଏବେ ସେଠାରେ ଉଚ୍ଚମାନର କରୋନା ଟିକା ପ୍ରସ୍ତୁତି ପାଇଁ ଅନ୍ୟଏକ ଗବେଷଣାରେ ବ୍ରତୀ ଅଛନ୍ତି ଏବଂ ଏ ସଂକ୍ରାନ୍ତରେ ତାଙ୍କର ଆଉଏକ ଗବେଷଣାତ୍ମକ ନିବନ୍ଧ ଗତ ୨୮ ତାରିଖରେ ଆର୍ନ୍ତଜାତିକ ବିଜ୍ଞାନ ପତ୍ରିକାରେ ପ୍ରକାଶିତ ହୋଇଛି ।
ଡକ୍ଟର ସ୍ୱୟଂପ୍ରକାଶ କହିଛନ୍ତି ଯେ ବିଦେଶରେ ଥିଲେ ମଧ୍ୟ ଭାରତର ସ୍ଥିତି ସମ୍ପର୍କରେ ବିଜ୍ଞାନସମ୍ମତ ବିଶ୍ଳେଷଣ ସହ ଏହାର ନିୟନ୍ତ୍ରଣ ଉପରେ ସେ ଓ ତାଙ୍କ ସହକର୍ମୀମାନେ ଅଧ୍ୟୟନ କରୁଛନ୍ତି । କରୋନାର ଆଉ କେତେକ ନୂଆ ଷ୍ଟ୍ରେନ ଏବେ ଭାରତରେ ବ୍ୟାପିବାରେ ଲାଗୁଛି ଯାହାକି ଗତବର୍ଷର କରୋନା ଷ୍ଟ୍ରେନ ଠାରୁ ୧୦ରୁ ୨୦ଗୁଣ ଅଧିକ ପ୍ରାଣଘାତକ ହୋଇପାରେ ।
ଏଠାରେ ଉଲ୍ଲେଖନୀୟ ଯେ ଭାରତରେ ମାର୍ଚ୍ଚ-ଏପ୍ରିଲ୍ ବେଳକୁ ପୁଣି କରୋନା ତାହାର କରାଳ କାୟା ମେଲାଇ ପାରେବୋଲି ବୈଜ୍ଞାନିକମାନେ ଗତ ଅକ୍ଟୋବର-ନଭେମ୍ବର ମାସରୁ ଆଶଙ୍କାବ୍ୟକ୍ତ କରିଥିଲେ । ଯାହାକି ଏବେ ସତ୍ୟ ପ୍ରମାଣିତ ହୋଇଛି । ପୂର୍ବରୁ କୋଭିଡ ଭୂତାଣୁ ଶିଶୁ ଓ ଯୁବକମାନଙ୍କୁ କ୍ୱଚିତ ସଂକ୍ରମିତ ହେଉଥିଲା ଏବଂ ଏହା ସଂଖ୍ୟାଧିକ ବରିଷ୍ଠ ନାଗରିକଙ୍କୁ ସଂକ୍ରମଣ କରୁଥିଲା ।
ଏବେ କିନ୍ତୁ ଭାରତରେ ସଂକ୍ରମିତ ବ୍ୟକ୍ତିମାନଙ୍କ ମଧ୍ୟରେ ଯୁବବର୍ଗର ଅନେକ ଥିବାବେଳେ ଶିଶୁମାନଙ୍କୁ ବି ଏହା ସଂକ୍ରମିତ ହେବାରେ ଲାଗିଛି । ବର୍ତ୍ତମାନର ଦ୍ୱିତୀୟ ଲହର କିଛିଦିନ ମଧ୍ୟରେ ନିମ୍ନଗାମୀ ହୋଇ ପୁଣି ତୃତୀୟ ଲହର ସୃଷ୍ଟି କରିପାରେ । ଏବେ ୧୮ବର୍ଷରୁ କମ୍ ବୟସ୍କ ବିଶେଷକରି ଶିଶୁମାନଙ୍କ ପାଇଁ କରୋନା ଟିକା ଭାରତରେ ନଥିବା ପରିପ୍ରେକ୍ଷୀରେ ଭବିଷ୍ୟତର ସଙ୍କଟକୁ ଆଖିଆଗାରେ ରଖି ଏବେଠାରୁ ପ୍ରତିଷେଧାତ୍ମକ ଓ ପ୍ରତିକାରାତ୍ମକ ପଦକ୍ଷେପ ନେବାଲାଗି ସେ ମତ ଦେଇଛନ୍ତି ।
ଏବେ ଦେଶ ବିଦେଶରେ କରୋନା ଭୂତାଣୁ ପଶୁମାନଙ୍କୁ ମଧ୍ୟ ସଂକ୍ରମିତ ହେଉଥିବାରୁ ଏହା ରୋକାନଗଲେ ପଶୁମାନଙ୍କ ମାଧ୍ୟମରେ କରୋନା ଅଧିକ ବ୍ୟାପିପାରେ । ଏ ପରିପ୍ରେକ୍ଷୀରେ କିପରି ଅଧିକରୁ ଅଧିକ ସଂଖ୍ୟକ ଲୋକ ଠିକଣା ସମୟରେ ପ୍ରଥମ ଓ ଦ୍ୱିତୀୟ ଡୋଜ୍ କରୋନା ଟିକା ନେବେ ଏବଂ ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବାପାଇଁ ପ୍ରତ୍ୟେକ ଲୋକ ସଚେତନ ହୋଇ ମାସ୍କ ବ୍ୟବହାର କରିବା ସହିତ ଅନ୍ୟମାନଙ୍କ ସହିତ ମିଳାମିଶା ନକରିବା ଏବଂ କରୋନା ହୋଇଥାଉ ବା ନହୋଇଥାଉ ଯେକୌଣସି ପ୍ରକାରର ଶାରୀରିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ବିଶେଷଜ୍ଞ ଡାକ୍ତରମାନଙ୍କ ପରାମର୍ଶ ନେବ ସେ ଦିଗରେ ବ୍ୟବସ୍ଥା କରାଯିବା ଆବଶ୍ୟକ ।
ଲକ୍ଡାଉନ୍ ଓ ସଟ୍ଡାଉନ୍କୁ କଡାକଡି ଭାବେ ପାଳନ କରିବା ସହ ଏହି ସମସ୍ୟା ଦୀର୍ଘବର୍ଷ ଧରି ରହିବାର ଆଶଙ୍କା ଥିବାରୁ ଯୋଜନା ପ୍ରଣୟନକାରୀମାନେ ଜୀବିକାର ବିକଳ୍ପ ପନ୍ଥା ଚିନ୍ତା କରିବା ଏବଂ ଭାରତରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଅଧିକ ସୁଦୃଢ କରିବା ସହିତ ଏ ସଂକ୍ରାନ୍ତୀୟ ଗବେଷଣା ଉପରେ ଧ୍ୟାନ କେନ୍ଦ୍ରୀତ କରିବାକୁ ଡକ୍ଟର ସ୍ୱୟଂପ୍ରକାଶ କହିଛନ୍ତି । (ତଥ୍ୟ)