ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୭୨୧୦ କୋଟି ଟଙ୍କାର ଆର୍ଥିକ ବ୍ୟୟ ଅଟକଳ ସହିତ ତୃତୀୟ ପର୍ଯ୍ୟାୟକୁ ଇ-କୋର୍ଟ ପ୍ରକଳ୍ପକୁ ମଞ୍ଜୁରି ମିଳିଛି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ “ସବକା ସାଥ, ସବକା ବିକାଶ ଏବଂ ସବକା ବିଶ୍ୱାସ”ର ପରିକଳ୍ପନା ଅନୁରୂପ, ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ନ୍ୟାୟ ପ୍ରଦାନରେ ଉନ୍ନତି ଆଣିବା ପାଇଁ ‘ଇ-କୋର୍ଟ ମିଶନ ମୋଡ୍ ପ୍ରକଳ୍ପ’ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।
ଭାରତୀୟ ନ୍ୟାୟପାଳିକାର ଆଇସିଟି ସକ୍ଷମତା ନିମନ୍ତେ ଜାତୀୟ ଇ-ଗଭର୍ଣ୍ଣାନ୍ସ ଯୋଜନାର ଏକ ଅଂଶବିଶେଷ ଭାବରେ, ଇ-କୋର୍ଟ ପ୍ରକଳ୍ପ ୨୦୦୭ ମସିହାରୁ କାର୍ଯ୍ୟକାରୀ ହେଉଛି, ଯାହାର ଦ୍ୱିତୀୟ ପର୍ଯ୍ୟାୟ ୨୦୨୩ରେ ଶେଷ ହୋଇଛି। ଭାରତରେ ଇ-କୋର୍ଟ ପ୍ରକଳ୍ପର ତୃତୀୟ ପର୍ଯ୍ୟାୟ ‘‘ପ୍ରାପ୍ତି ଏବଂ ଅନ୍ତର୍ଭୁକ୍ତୀକରଣ’’ର ଦର୍ଶନ ଉପରେ ଆଧାରିତ।
ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟର ଲାଭକୁ ଇ-କୋର୍ଟ ଫେଜ୍-୩ ପରବର୍ତ୍ତୀ ସ୍ତରକୁ ନେଇଯିବ । ଏହାର ଲକ୍ଷ୍ୟ ହେଉଛି ଇ-ସେବା କେନ୍ଦ୍ର ସମେତ ସମଗ୍ର ଅଦାଲତ ରେକର୍ଡର ଡିଜିଟାଲକରଣ କରିବା ଏବଂ ଡିଜିଟାଲ, ଅନଲାଇନ୍ ଓ କାଗଜବିହୀନ ଅଦାଲତ ଆଡକୁ ଅଗ୍ରସର ହେବା। ଇ-ସେବା କେନ୍ଦ୍ର ସହିତ ସମସ୍ତ ଅଦାଲତ ପରିସରର ସାର୍ବଜନୀନକରଣ ମାଧ୍ୟମରେ ଇ-ଫାଇଲିଂ/ଇ-ପେମେଣ୍ଟର ସାର୍ବଜନୀନକରଣ କରି ସର୍ବାଧିକ ସହଜ ନ୍ୟାୟ ବ୍ୟବସ୍ଥା ଆରମ୍ଭ କରିବା।
ଏଥିରେ ଅତ୍ୟାଧୁନିକ ସ୍ମାର୍ଟ ସିଷ୍ଟମ ସ୍ଥାପନ କରାଯିବ, ଯେଉଁଥିରେ ବିଚାରପତି ଏବଂ ରେଜିଷ୍ଟ୍ରିମାନଙ୍କ ପାଇଁ ମାମଲାଗୁଡ଼ିକର ସମୟ ନିର୍ଦ୍ଧାରଣ କିମ୍ବା ପ୍ରାଥମିକତା ସମୟରେ ତଥ୍ୟ ଭିତ୍ତିକ ନିଷ୍ପତ୍ତି ନେବାକୁ ସକ୍ଷମ କରାଯିବ। ତୃତୀୟ ପର୍ଯ୍ୟାୟ ଇ-କୋର୍ଟର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନ୍ୟାୟପାଳିକା ପାଇଁ ଏକ ସମନ୍ୱିତ ପ୍ରଯୁକ୍ତିଭିତ୍ତିକ ପ୍ଲାଟଫର୍ମ ସୃଷ୍ଟି କରିବା, ଯାହା ଅଦାଲତ, ଆବେଦନକାରୀ ଏବଂ ଅନ୍ୟ ଅଂଶୀଦାରଙ୍କ ମଧ୍ୟରେ ଏକ ନିରବଚ୍ଛିନ୍ନ ଏବଂ କାଗଜବିହୀନ ଇଣ୍ଟରଫେସ୍ ପ୍ରଦାନ କରିବ ।
କେନ୍ଦ୍ର ପ୍ରାୟୋଜିତ ତୃତୀୟ ପର୍ଯ୍ୟାୟ ଇ-କୋର୍ଟ ଯୋଜନା ଭାରତ ସରକାରଙ୍କ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ଅଧୀନ ନ୍ୟାୟ ବିଭାଗ ଏବଂ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ଇ-କମିଟିର ମିଳିତ ଭାଗିଦାରୀରେ କାର୍ଯ୍ୟକାରୀ କରାଯାଉଛି । ସବୁ ଅଂଶୀଦାରଙ୍କ ପାଇଁ ନ୍ୟାୟିକ ବ୍ୟବସ୍ଥାକୁ ଅଧିକ ସୁଲଭ, ଭରସାଯୋଗ୍ୟ, ଆକଳନଯୋଗ୍ୟ ଓ ପାରଦର୍ଶୀ କରିବା ଜରିଆରେ ସହଜ ନ୍ୟାୟ ପ୍ରଦାନକୁ ପ୍ରୋତ୍ସାହିତ କରୁଥିବା ଏକ ନ୍ୟାୟପାଳିକା ପ୍ରଣାଳୀ ବିକଶିତ କରିବା ଲାଗି ସମ୍ପୃକ୍ତ ହାଇକୋର୍ଟମାନେ ଏହାକୁ ବିକେନ୍ଦ୍ରିକୃତ ଢଙ୍ଗରେ କାର୍ଯ୍ୟକାରୀ କରୁଛନ୍ତି ।