ଭୁବନେଶ୍ୱର : ଓଡିଶାରେ ହେବାକୁ ଯାଉଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆସନ୍ତା କାଲି ପ୍ରଚାର ଶେଷ ହେବ । ଚଳିତ ମାସ ୨୫ତାରିଖରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ଲୋକସଭା କ୍ଷେତ୍ର ସହିତ ଏଗୁଡିକର ଅର୍ନ୍ତଭୁକ୍ତ ୪୨ଟି ବିଧାନସଭା ଆସନ ଲାଗି ମତଗ୍ରହଣ କରାଯିବ ।
ଏହି ନିର୍ବାଚନରେ ବିଭିନ୍ନ ଦଳର ବହୁ ଓଜନଦାର ପ୍ରାର୍ଥୀ ଲଢେଇ ମଇଦାନରେ ଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସୁକତା ରହିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଥିବାବେଳେ ତାଙ୍କ ବିରୁଦ୍ଧରେ ମୁଖ୍ୟ ପ୍ରତିଦ୍ୱନ୍ଦୀ ରିହଛନ୍ତି ବିଜେଡିର ସଂଗଠନ ସମ୍ପାଦକ ତଥା ଯାଜପୁରର ବିଧାୟକ ପ୍ରଣବ ପ୍ରକାଶ ଦାସ । ଏଠି ବି କଂଗ୍ରେସ ସମେତ ଅନ୍ୟ ପ୍ରାର୍ଥୀମାନେ ଅଛନ୍ତି । ଏହି ନିର୍ବାଚନମଣ୍ଡଳୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହାଙ୍କ ସମେତ ବିଜେପିର ବହୁ ନାମୀ ଦାମୀ ନେତା ପ୍ରଚାର ପାଇଁ ଆସିଥିବାବେଳେ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡିର ଅନ୍ୟତମ ତାରକା ପ୍ରଚାରକ ଭି.କାର୍ତ୍ତିକେୟନ ପାଣ୍ଡିଆନ ଏକାଧିକ ସଭା, ସମାବେଶ କରିଛନ୍ତି ।
ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଓଡିଶାର ଯେଉଁ ଓଜନଦାର ନେତାମାନଙ୍କ ରାଜନୈତିକ ଭାଗ୍ୟ ଭବିଷ୍ୟତ ଲୋକେ ନିର୍ଦ୍ଧାରଣ କରିବେ ସେମାନଙ୍କ ମଧ୍ୟରେ ଅଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବାସନ୍ତି ହେମ୍ବ୍ରମ, ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ରୋହିତ ପୂଜାରୀ, ଦେବୀ ପ୍ରସାଦ ମିଶ୍ର, ସଞ୍ଜୟ କୁମାର ଦାଶବର୍ମା, ଅରୁଣ ସାହୁ, ବଦ୍ରି ପାତ୍ରଙ୍କ ସମେତ ସଂତୃପ୍ତ ମିଶ୍ର, ଅରୂପ ପଟ୍ଟନାୟକ, ନଳିନୀ ପ୍ରଧାନ, ମହେଶ ସାହୁ, ସନାତନ ମହାକୁଡ, ବ୍ରଜ କିଶୋର ପ୍ରଧାନ, ଅନନ୍ତ ନାରାୟଣ ଜେନା ଆଦି ଅଛନ୍ତି ।
ସେହିଭଳି ବିଜେପିର ଯେଉଁ ଓଜନଦାର ପ୍ରାର୍ଥୀମାନେ ଚର୍ଚ୍ଚାର ବଳୟ ଭିତରେ ଅଛନ୍ତି ସେମାନେ ହେଲେ ବିରୋଧିଦଳ ନେତା ଜୟନାରାୟଣ ମିଶ୍ର, ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ, ସୁରମା ପାଢୀ ଓ ଅରବିନ୍ଦ ଢାଲିଙ୍କ ସମେତ ରୁଦ୍ର ନାରାୟଣ ପାଣି, ଭର୍ତ୍ତୃହରି ମହାତାବ, ଅପରାଜିତା ଷଡଙ୍ଗୀ, ଡାକ୍ତର ସସ୍ମିତ ପାତ୍ର, ପୃଥୀରାଜ ହରିଚନ୍ଦନ, ଜୟନ୍ତ ଷଡଙ୍ଗୀ, ସୀମାରାଣୀ ନାୟକ, ନାଉରୀ ନାୟକ, ପ୍ରଶାନ୍ତ ଜଗଦ୍ଦେବ ପ୍ରମୁଖ । ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଜୟଦେବ ଜେନା ଏବଂ ସ୍ୱାଧୀନ ପ୍ରାର୍ଥୀଭାବେ ଘଷିପୁରାରୁ ଲଢୁଥିବା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ରାଜନୈତିକ ଭାଗ୍ୟ ମଧ୍ୟ ଆସନ୍ତା ୨୫ତାରିଖରେ ନିର୍ଦ୍ଧାରିତ ହେବାକୁ ଯାଉଛି ।
ଆସନ୍ତା କାଲି ଅର୍ଥାତ୍ ମଇ ୨୩ ତାରିଖରେ ଏହି ଆସନଗୁଡିକ ପାଇଁ ପ୍ରଚାର ଶେଷ ହେଉଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡିର ଅନ୍ୟତମ ଆକର୍ଷଣ ଶ୍ରୀ ପାଣ୍ଡିଆନ ଧୂଆଁଧାର ପ୍ରଚାର ଚଳାଇଥିବାବେଳେ ବିଜେପି ପ୍ରାର୍ଥୀମାନଙ୍କ ସପକ୍ଷରେ ପ୍ରଚାର ଲାଗି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗ୍ୟ ଆଦିତ୍ୟନାଥଙ୍କ ସମେତ ଅନେକ ସର୍ବଭାରତୀୟ ନେତା ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ।
ପୂର୍ବରୁ ରାଜ୍ୟରେ ଦୁଇଟି ପର୍ଯ୍ୟାୟର ର୍ନିବାଚନ ଶେଷ ହୋଇଥିବାବେଳେ ସାରା ଦେଶରେ ୫ଟି ପର୍ଯ୍ୟାୟ ନିର୍ବାଚନ ସରିଛି । ଯେଉଁସବୁ ଅଞ୍ଚଳରେ ର୍ନିବାଚନ ସରିଯାଇଛି ସେଠାକାର ଟାଣୁଆ ନେତାମାନଙ୍କୁ ଓଡିଶାର ଶେଷ ଦୁଇ ପର୍ଯ୍ୟାୟ ର୍ନିବାଚନ ପାଇଁ ସମ୍ପୃକ୍ତ ଦଳମାନେ ପଠାଉଛନ୍ତି । ଏହି କ୍ରମରେ ପୁଣି ଥରେ କଂଗ୍ରେସ ସଭାପତି ମଲିକାର୍ଜୁନ ଖଡ୍ଗେ ଓ ଦଳର ଅନ୍ୟତମ ଷ୍ଟାର ପ୍ରଚାରକ ରାହୁଳ ଗାନ୍ଧୀଙ୍କର ଓଡିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ଓଡିଶାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜନୈତିକ ପାଣିପାଗ ବେଶ୍ ସରଗରମ ଥିବାବେଳେ ଜୁନ୍୧ରେ ହେବାକୁ ଥିବା ଅନ୍ତିମ ପର୍ଯ୍ୟାୟର ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନ ପାଇଁ ଏବେ ଠାରୁ ପ୍ରସ୍ତୁତି ବେଶ୍ ସରଗରମ ହେବାରେ ଲାଗିଛି । (ତଥ୍ୟ)