Home Assembly ହଟଗୋଳ ଯୋଗୁଁ ଚାଲିପାରିଲାନି ଗୃହ

ହଟଗୋଳ ଯୋଗୁଁ ଚାଲିପାରିଲାନି ଗୃହ

ଭୁବନେଶ୍ୱର : ଲଗାତାର ତୃତୀୟ ଦିନ ପାଇଁ ଆଜି ବିଧାନସଭା ଚାଲିପାରି ନାହିଁ । ରାଜ୍ୟପାଳଙ୍କ ପୁଅ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବିଜେଡି ସଦସ୍ୟମାନେ କକ୍ଷତ୍ୟାଗ କରିଥିବାବେଳେ କେନ୍ଦ୍ର ସରକାରଙ୍କ ଅବହେଳା ବିରୁଦ୍ଧରେ କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟରେ ହଟଗୋଳ କରିବାରୁ ବାଚସ୍ପତି ସୁରମା ପାଢୀ ଗୃହକୁ ବାରମ୍ବାର ମୁଲତବି ରଖିଥିଲେ ।

ଆଜି ପ୍ରଶ୍ନକାଳ ଆରମ୍ଭରୁ ବାଚସ୍ପତି ଶ୍ରୀମତୀ ପାଢୀ ଉତ୍ତର ରଖିବାପାଇଁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଡାକିଥିଲେ । ଶ୍ରୀ ସିଂହଦେଓ ତାଙ୍କର ଉତ୍ତର ରଖୁଥିବାବେଳେ ବିରୋଧିଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ ନିଜ ଆସନରେ ଛିଡାହୋଇ କିଛି କହିବାକୁ ଚାହିଁଥିଲେ । ହେଲେ ବାଚସ୍ପତି ଏଥିପାଇଁ ତାଙ୍କୁ ଅନୁମତି ନଦେବାରୁ ଏହାର ପ୍ରତିବାଦରେ ବିଜେଡି ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ ।

ଏହି ସମୟରେ କଂଗ୍ରେସ ସଦସ୍ୟମାନେ କେନ୍ଦ୍ରୀୟ ଅବହେଳା ଅଭିଯୋଗ ଆଣି ଗୃହ ମଧ୍ୟଭାଗକୁ ଆସି ହଟଗୋଳ କରିଥିଲେ । ହଟଗୋଳ ମଧ୍ୟରେ ମନ୍ତ୍ରୀଙ୍କ ଉତ୍ତର ଶୁଣାଯାଉନଥିଲା । ଗୃହ କାର୍ଯ୍ୟରେ ସହଯୋଗ ଲାଗି ବାଚସ୍ପତି ବାରମ୍ବାର କଂଗ୍ରେସ ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ ମଧ୍ୟ ସେମାନେ ହଟଗୋଳ ଜାରି ରଖିଥିଲେ ।

ଗୃହରେ ହଟଗୋଳ ଯୋଗୁଁ ବାଚସ୍ପତି ଗୃହକୁ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବି ରଖିଥିଲେ । ପୁର୍ନବାର ଗୃହକାର୍ଯ୍ୟ ଆରମ୍ଭ ହେବାରୁ କଂଗ୍ରେସ ସଦସ୍ୟମାନେ ହଟଗୋଳ କରିଥିଲେ । ଗୃହକାର୍ଯ୍ୟ ସ୍ୱାଭାବିକ ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିବା ସହିତ ଗୃହକୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବି ରଖିଥିଲେ । ତେବେ ସର୍ବଦଳୀୟ ବୈଠକରୁ କୌଣସି ସୁଫଳ ନମିଳିବାରୁ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି ।