Home Assembly ତୃତୀୟ ଦିନରେ ଗୃହ ଅଚଳ

ତୃତୀୟ ଦିନରେ ଗୃହ ଅଚଳ

ଭୁବନେଶ୍ୱର: ଇଡି ଓ ଗଞ୍ଜାମ ମଦମୃତ୍ୟୁ କୁ ନେଇ ବିରୋଧୀ କଂଗ୍ରେସ ଓ ବିଜେଡି ସଭ୍ୟମାନେ ଗୃହ ମଝିରେ ହଟ୍ଟଗୋଳ କରିବା ରୁ ଆଜି ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନର ତୃତୀୟ ଦିନରେ ବିଧାନସଭା ଏକ ପ୍ରକାର ଅଚଳ ରହିଛି

କଂଗ୍ରେସ ଇଡି ଓ ସିବିଆଇ ଭଳି କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର ଉଠାଇଥିବା ବେଳେ ବିଜେଡି ଚିକିଟି ମଦ ଦୁର୍ଘଟଣାରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଇସ୍ତଫା ଦାବି କରିଛି।

ପୂର୍ବାହ୍ନ ସାଢ଼େ ୧୦ଟାରେ ଗୃହ ଆରମ୍ଭ ହେବା ମାତ୍ରେ ବିରୋଧୀ କଂଗ୍ରେସ ଓ ବିଜେଡି ସଭ୍ୟମାନେ ନିଜ ନିଜ ଆସନରୁ ଉଠି ଗୃହ ମଝିକୁ ଯାଇ ସେମାନଙ୍କ ପ୍ରସଙ୍ଗରେ ସ୍ଲୋଗାନ ଦେଇଥିଲେ।

ଉଭୟ କଂଗ୍ରେସ ଓ ବିଜେଡି ସଦସ୍ୟ ନାରାବାଜି କରିବା ସହ ପ୍ରଶ୍ନକାଳ ବାଧାପ୍ରାପ୍ତ କରିବାରୁ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ପୂର୍ବାହ୍ନ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ।

ପୂର୍ବାହ୍ନ ସାଢ଼େ ୧୧ଟାରେ ବିଧାନସଭା ଆରମ୍ଭ ହେବା ପରେ ବିରୋଧୀ ସଦସ୍ୟମାନେ ପୁଣି ଗୃହ ମଝିକୁ ଆସି ଦାବି ସପକ୍ଷରେ ନାରାବାଜି ଜାରି ରଖିଥିଲେ। ପରିସ୍ଥିତି ଅପରିବର୍ତ୍ତିତ ରହିବାରୁ ବାଚସ୍ପତି ଅଧିବେଶନକୁ ପୂର୍ବାହ୍ନ ୧୧ଟା ୪୫ ପର୍ଯ୍ୟନ୍ତ ୧୫ ମିନିଟ୍ ପାଇଁ ମୁଲତବୀ ରଖିଥିଲେ। ଏହାପରେ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା।

ଯଦିଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିରୋଧୀ ସଦସ୍ୟମାନଙ୍କୁ ନିଜ ଆସନକୁ ଫେରି ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ ଏବଂ କହିଥିଲେ ଯେ ସରକାର ସେମାନଙ୍କ ଦ୍ୱାରା ଉଠାଯାଇଥିବା ପ୍ରସଙ୍ଗଉପରେ ଆଲୋଚନା କରିବାକୁ ଇଚ୍ଛୁକ ଅଛନ୍ତି, କିନ୍ତୁ କେହି ତାଙ୍କ କଥା ଶୁଣୁନାହାନ୍ତି।

ଗତ ଦୁଇ ଦିନ ମଧ୍ୟରେ ମଧ୍ୟ ବିରୋଧୀ କଂଗ୍ରେସ ଓ ବିଜେଡି ସଭ୍ୟମାନେ ସେମାନଙ୍କ ନିର୍ଦ୍ଦିଷ୍ଟ ଦାବିକୁ ନେଇ କାର୍ଯ୍ୟରେ ବାଧା ସୃଷ୍ଟି କରିଥିବାରୁ ବିଧାନସଭାରେ ହଙ୍ଗାମା ହୋଇଥିଲା।

 ବିଜେଡି ର ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, କ୍ଷମତାକୁ ଆସିଥିବା ବିଜେପି ସରକାର ମଦ କାରବାରକୁ ନିୟନ୍ତ୍ରଣ କରିବାକୁ ଆହ୍ୱାନ ଦେଇଛନ୍ତି। ଗଞ୍ଜାମରେ ମଦ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ପାଇଁ ବିଜେପି ସରକାରଙ୍କୁ ଦାୟୀ କରିଛି ବିଜେଡି ।

ବରିଷ୍ଠ କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତି କିନ୍ତୁ ଗଞ୍ଜାମ ଜିଲ୍ଲାରେ ନକଲି ମଦ ବ୍ୟାପକ ପ୍ରଚଳନ ପାଇଁ ଉଭୟ ବିଜେଡି ଓ ବିଜେପିକୁ ଦାୟୀ କରିଛନ୍ତି।

ଅପରାହ୍ନ ଅଧିବେଶନରେ ମଧ୍ୟ ବିରୋଧି ସଦସ୍ୟମାନେ ହଟ୍ଟଗୋଳ କରିଥିଲେ ା ହଟ୍ଟଗୋଳ ମଧ୍ୟରେ ଶାସକଦଳ ସଦସ୍ୟମାନେ ବଜେଟ୍‍ ଆଲୋଚନା ଜାରି ରଖିବାରୁ ଉଭୟ କଂଗ୍ରେସ ଓ ବିଜେଡି ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ ।