Home News in Odia ତୁରନ୍ତ ସଂଶୋଧିତ ଓ ନିର୍ଭୁଲ ପାଠ୍ୟପୁସ୍ତକ ଯୋଗାଅ

ତୁରନ୍ତ ସଂଶୋଧିତ ଓ ନିର୍ଭୁଲ ପାଠ୍ୟପୁସ୍ତକ ଯୋଗାଅ

ଭୁବନେଶ୍ୱର : ଦୁର୍ନୀତି, ନାରୀ ନିର୍ଯାତନା, ବିଶୃଙ୍ଖଳା, ଚୋରି ଓ ରାହାଜାନି ଆଦି ସହିତ ଏବେ ଯୋଡି ହୋଇଯାଇଛି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ତାହା ହେଉଛି ପିଲାମାନଙ୍କ ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପୁସ୍ତକରେ ୧୭୬୦ରୁ ଅଧିକ ଭୁଲ୍ ରହିଛି । ଏହା ବିଜେପି ସରକାରର ଦାୟିତ୍ୱହୀନତା ଓ ପିଲାଙ୍କ ଭବିଷ୍ୟତ ସହ ଖେଳ ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି । ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ତୁରନ୍ତ ସଂଶୋଧିତ ଓ ନିର୍ଭୁଲ ପାଠ୍ୟପୁସ୍ତକ ପ୍ରସ୍ତୁତି କରାଯାଉ ନଚେତ ପୂର୍ବ ସିଲାବସର ପୁସ୍ତକରେ ପଢାଯାଉ । ଚଳିତବର୍ଷ ଛପା ଯାଇଥିବା ଭୁଲ୍ ପୁସ୍ତକ ପ୍ରସ୍ତୁତି ଖର୍ଚ୍ଚ ଦାୟିତ୍ୱରେ ଥିବା ବ୍ୟକ୍ତିମାନଙ୍କଠାରୁ ଆଦାୟ କରିବାକୁ ବିଜେଡି ଦାବି କରିଛି ।

ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ବିଧାୟକ ଶ୍ରୀ ଗୌତମବୁଦ୍ଧ ଦାସ, ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ଚିନ୍ମୟ ସାହୁ, ବିଜୁ ଯୁବ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ ଓ ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି, ରାଜ୍ୟ ସରକାର ପିଲାଙ୍କ ଭବିଷ୍ୟତ ସହ ଖେଳୁଥିବା ଅଭିଯୋଗ କରିଛନ୍ତି । ପୁସ୍ତକରେ ତ୍ରୁଟି ବାହାରିବା ପ୍ରମାଣ କରୁଛି ଯେ, ବିଜେପି ସରକାର ଦାୟିତ୍ୱହୀନତା ଭାବେ କାର୍ଯ୍ୟ କରୁଛି ।

ବିଧାୟକ ଶ୍ରୀ ଗୌତମ ବୁଦ୍ଧ ଦାସ କହିଛନ୍ତି, ଓଡିଆ ଅସ୍ମିତାର ଦ୍ୱାହି ଦେଇ ଶାସନକୁ ଆସିଥିବା ସରକାର ଆଜି ଓଡିଆ ଅସ୍ମିତାକୁ ଭ୍ରୁଲୁଣ୍ଠିତ କରିଛନ୍ତି । ସରକାର ଦୁଇ ବର୍ଷ ପୂର୍ତ୍ତି ପାଳନ ପାଇଁ ଉତ୍ସବରେ ବ୍ୟସ୍ତ ରହି ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକ ପିଲାଙ୍କୁ ବାଣ୍ଟି ଓଡିଶାର ଭବିଷ୍ୟତ ସହ ଖେଳୁଛନ୍ତି । ଦେଶ ସ୍ୱାଧୀନତା ହେବାର ୭୮ ବର୍ଷ ଭିତରେ ଏ ଜାତି କେବେ ହେଲେ ଏଭଳି ଭୁଲ୍ ଦେଖିନଥିଲା କି ଆଗକୁ ଦେଖିବ ବୋଲି ଆଶା ନାହିଁ ।

ବିଜେପି ସରକାର ଓଡିଆ ଭାଷା ଜନନୀର ବସ୍ତ୍ରହରଣ କରିଛି । ଯାହା ଓଡିଆ ଭାଷା, ସାହିତ୍ୟ ଓ ଜାତି ପ୍ରତି ଘୋର ଅପମାନ । ସ୍ୱାଧୀନତା ସଂଗ୍ରାମୀ ମାଧୋ ସିଂ ବ୍ରିଟିସମାନଙ୍କ ବିରୋଧରେ ଲଢି ଫାଶୀ ପାଇଥିଲେ । ତାଙ୍କର ଜନ୍ମସ୍ଥାନ, ଫାଶୀ ପାଇଥିôବା ତାରିଖ ଓ ତାଙ୍କ ଉପରେ ସଂପୂର୍ଣ୍ଣ ବିବରଣୀ ତ୍ରୁଟି ପୂର୍ଣ୍ଣ ଭାବେ ଛପା ଯାଇଛି ବୋଲି ପଦ୍ମଶ୍ରୀ କବି ହଳଧର ନାଗ ମାସକ ତଳେ କହିଥିଲେ ମଧ୍ୟ ସରକାର ତାହାକୁ ଗ୍ରହଣ କଲେ ନାହିଁ । ଯଦି ସରକାର ସେ କଥାକୁ ଗୁରୁତ୍ୱର ସହ ନେଇଥାଆନ୍ତେ, ଆଜି ଏଭଳି ଦୁର୍ଭାଗ୍ୟଜନକ ସ୍ଥିତି ଦେଖିବାକୁ ପଡିନଥାଆନ୍ତା । ବହି ଛାପିବା ପାଇଁ ଯେଉଁ କମିଟି ଗଠନ ହୋଇଥିଲା ସେଥିରେ ସଭ୍ୟମାନଙ୍କ ଯୋଗ୍ୟତା ନମାପି ତାଙ୍କୁ ରାଜନୈତିକ ଚାପରେ ନିଯୁକ୍ତି ଦିଆଯାଇଛି । ଏହି ବ୍ୟକ୍ତିମାନଙ୍କ ମଧ୍ୟରୁ ଅଧିକାଂଶ ସଭ୍ୟ, ସଂଘ, ଓ ସରସ୍ୱତୀ ଶିଶୁ ମନ୍ଦିର ଶିକ୍ଷକମାନେ ଅନ୍ତର୍ଭୁକ୍ତ ।  

ବିଜୁ ଯୁବ ଜନତା ଦଳ ସଭାପତି ଶ୍ରୀ ଚିନ୍ମୟ ସାହୁ କହିଛନ୍ତି, ପାଠ୍ୟପୁସ୍ତକ ପ୍ରସ୍ତୁତି, ସମୀକ୍ଷା ଓ ସମ୍ପାଦନା ସହିତ ଜଡ଼ିତ ସମସ୍ତ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଠୋର ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନିଆଯାଉ । ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକକୁ ତୁରନ୍ତ ପ୍ରତ୍ୟାହାର କରାଯାଇ ନୂତନ ଓ ସଂଶୋଧିତ ପୁସ୍ତକ ଛପାଇ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯାଉ । ଏହାସହିତ ବର୍ତ୍ତମାନ ଛପାଯାଇଥିବା ଭୁଲ ପାଠ୍ୟପୁସ୍ତକକୁ କୌଣସି ବିଦ୍ୟାଳୟରେ ପଢ଼ାନଯାଉ । ରାଜ୍ୟର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ରାଜ୍ୟ ସରକାର ସତର୍କତା ଅବଲମ୍ବନ କରନ୍ତୁ, ନଚେତ ବିଜୁ ଯୁବ ଜନତା ଦଳ ଜୋରଦାର ବିରୋଧ କରିବ ।

ଅନ୍ୟପଟେ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ କହିଛନ୍ତି, ପାଠ୍ୟପୁସ୍ତକରେ ଏଭଳି ଭୁଲ୍ତ୍ରୁଟି ରଖି ପିଲାଙ୍କୁ ପାଠ ପଢାଇବା ଅର୍ଥ ସେମାନଙ୍କୁ ଅନ୍ଧାରକୁ ଠେଲି ଦେବା । ବିଜେପି ସରକାର ବାରମ୍ବାର ରାଜ୍ୟବାସୀଙ୍କୁ ଧୋକା ଦେଉଛି । ଯଦି ସରକାର ପାଖରେ ନୂତନ ଓ ନିର୍ଭୁଲ ପୁସ୍ତକ ଛପାଇବା ପାଇଁ ଅର୍ଥ ନାହିଁ । ତାହେଲେ ସରକାର ପୁରୁଣା ସିଲାବସର ବହିକୁ ଏ ବର୍ଷ ପଢିବା ପାଇଁ ପିଲାଙ୍କୁ ଅନୁମତି ଦିଅନ୍ତୁ । ତ୍ରୁଟିପୂର୍ଣ୍ଣ ପୁସ୍ତକରେ ପିଲା ପାଠ ପଢନ୍ତୁ ଏହା ଆମେ କୌଣସି ପରିସ୍ଥିିତିରେ ଗ୍ରହଣ କରିବୁ ନାହିଁ । ପିଲାଙ୍କ ଭବିଷ୍ୟତ, ଓଡିଆ ଭାଷା, ଓଡିଆ ଜାତି ପ୍ରତି ସରକାରଙ୍କ ଏଭଳି ଆଚରଣ ଆଦୌ ଗ୍ରହଣୀୟ ନୁହେଁ । ଏଥିରେ ସମ୍ପୃକ୍ତ ବିଭାଗର ମନ୍ତ୍ରୀ ନୈତିକ ଦାୟିତ୍ୱ ନେଇ ତୁରନ୍ତ ଇସ୍ତଫା ଦିଅନ୍ତୁ କିମ୍ୱା ମୁଖ୍ୟମନ୍ତ୍ରୀ ତାଙ୍କୁ ବରଖାସ୍ତ କରନ୍ତୁ । ମୁଖ୍ୟମନ୍ତ୍ରୀ ଖୋଦ୍ ଏହି ଘଟଣା ପାଇଁ ରାଜ୍ୟବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବା ସହିତ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ।