ଭୁବନେଶ୍ୱର : ବିଜେଡି ସରକାର ସମୟରେ ବିଭିନ୍ନ ସରକାରୀ ସଂସ୍ଥାରେ ରାଜନୈତିକ ନିଯୁକ୍ତି ପାଇଥିବା ବ୍ୟକ୍ତିମାନେ ତୁରନ୍ତ ଇସ୍ତଫା ଦେବାପାଇଁ ନବୀନ ନିବାସରୁ ନିର୍ଦ୍ଦେଶ ଦିଆଯାଇଛି । ଫୋନ୍ ଯୋଗେ ଖବର ପାଇବାପରେ ଜଣକ ପରେ ଜଣେ ନେତା ଇସ୍ତଫା ଦେଇ ଚାଲିଛନ୍ତି ।
ପୂର୍ବରୁ ଅବସରପ୍ରାପ୍ତ ଆଇଏଏସ୍ ସୁରେଶ ଚନ୍ଦ୍ର ମହାପାତ୍ର, ଆର.ବାଲକ୍ରିଷ୍ଣନ ଓ ଠିକା ନିଯୁକ୍ତି ପାଇଥିବା ମନୋଜ ମିଶ୍ରଙ୍କ ସମେତ ଆଉ କେତେଜଣ ଓଏସ୍ଡି ଇସ୍ତଫା ଦେଇସାରିଛନ୍ତି । ରାଜ୍ୟର ବିଭିନ୍ନ ବିଭାଗ ଓ ଦପ୍ତରରେ ଉପଦ୍ଦେଷ୍ଟା ଭାବେ ବିଜେଡିର ଯେଉଁ ନେତା ଓ ନେତ୍ରୀମାନେ ନିଯୁକ୍ତି ପାଇଥିଲେ ସେମାନେ ବି ଇସ୍ତଫା ଦେବାରେ ଲାଗିଛନ୍ତି ।
ରାଜ୍ୟ ଯୋଜନା ବୋର୍ଡ, ସ୍ୱାସ୍ଥ୍ୟ ମିଶନ ଆଦିରେ ଥଇଥାନ ହୋଇଥିବା ରାଜନୈତିକ ନେତାମାନେ ନିଜ ଆଡୁ ଓହରି ନଗଲେ ସେମାନଙ୍କୁ ନୂଆ ସରକାର ବିଦା କରିବାର ଆଶଙ୍କା ରହିଛି । ଏହାଛଡା ବିଭିନ୍ନ ନିଗମ, ବୋର୍ଡ ଆଦିରେ ଯେଉଁମାନେ ଅଧ୍ୟକ୍ଷ ଓ କାର୍ଯ୍ୟକାରୀ ସମିତିର ନିର୍ଦ୍ଦେଶକ ଓ ସଦସ୍ୟ ଭାବରେ ରାଜନୈତିକ ନିଯୁକ୍ତି ପାଇଛନ୍ତି ସେ ସମସ୍ତେ ଆସନ୍ତା କାଲି ସୁଦ୍ଧା ଇସ୍ତଫା ଦେଇ ଦେବାପାଇଁ ମୌଖିକ ନିର୍ଦ୍ଦେଶ ଦିଆଯାଇଛି ।
ତେବେ ପୌର ଓ ପଞ୍ଚାୟତିରାଜ ଏବଂ ସମବାୟ ସଂସ୍ଥା ଆଦିରେ ଯେଉଁ ରାଜନୈତିକ ବ୍ୟକ୍ତିମାନେ ନିର୍ବାଚିତ ହୋଇ ପଦ ପଦବୀରେ ରହିଛନ୍ତି ସେମାନେ କିନ୍ତୁ ଇସ୍ତଫା ଦେବେନାହିଁ । ଏଠାରେ ଉଲ୍ଲେଖନୀୟ ଯେ ରାଜ୍ୟର ୩୦ଟି ଯାକ ଜିଲ୍ଲା ପରିଷଦ ଏବଂ ସଂଖ୍ୟାଧିକ ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି ଓ ପୌରସଂସ୍ଥାଗୁଡିକ ନିର୍ବାଚିତ ବିଜେଡି ନେତାଙ୍କ ନିୟନ୍ତ୍ରଣରେ ରହିଛି । ଏମାନେ ବିଧି ବ୍ୟବସ୍ଥା ଅନୁଯାୟୀ ଲୋକ ପ୍ରତିନିଧିଭାବେ ନିର୍ବାଚିତ ହୋଇଥିବାରୁ ସେମାନେ ଇସ୍ତଫା ଦେବାର ଆବଶ୍ୟକତା ନାହିଁ ।
ଇତି ମଧ୍ୟରେ ଆଡଭୋକେଟ ଜେନେରାଲ ଇସ୍ତଫା ଦେଇ ସାରିଥିଲେ ମଧ୍ୟ ରାଜନୈତିକ ଭିତ୍ତିରେ ଯେଉଁମାନଙ୍କୁ ହାଇକୋର୍ଟ ଓ ଅନ୍ୟ ଅଦାଲତଗୁଡିକରେ ନିଯୁକ୍ତି ଦିଆଯାଇଛି ସେମାନଙ୍କ ମଧ୍ୟରୁ ଅଧିକାଂଶ କିନ୍ତୁ ଇସ୍ତଫା ଦେଇନାହାନ୍ତି । ନୂଆ ସରକାର ଦାୟିତ୍ୱ ଗ୍ରହଣ କରିବା ପରେ ପରେ ନୂଆ ଆଡଭୋକେଟ ଜେନେରାଲ ନିଯୁକ୍ତି ହେବେ ଏବଂ ପରେ ପରେ ସରକାର ହାଇକୋର୍ଟ ଏବଂ ଅନ୍ୟ ଅଦାଲତ ଓ ସଂସ୍ଥାଗୁଡିକରେ ନୂଆ ଓକିଲ ପ୍ୟାନେଲ ନିଯୁକ୍ତ କରିବେ ।
ନିର୍ବାଚନରେ ବିଜେପିର ଯେଉଁ ଛାମୁଆ ନେତାମାନେ ପରାଜିତ ହୋଇଛନ୍ତି, ଯେଉଁମାନେ ଟିକଟ ପାଇନାହାନ୍ତି ଓ ଆଉ ଯେଉଁମାନେ ଭିନ୍ନ ଦଳରୁ ଆସି ନିର୍ବାଚନ ସମୟରେ ଭଲ କାମ କରିଛନ୍ତି ସେମାନଙ୍କୁ ନୂଆ ବିଜେପି ସରକାର ସମ୍ମାନଜନକ ପଦ ପଦବୀରେ ନିଯୁକ୍ତି ଦେବ । ଏ ପରିପ୍ରେକ୍ଷୀରେ ସରକାରୀ ପଦ ପଦବୀ ହାତେଇବା ଲାଗି ବି ଆଶାୟୀମାନେ ଜୋରଦାର ଲବି ଚଳାଇଥିବା ଲକ୍ଷ୍ୟ କରାଯାଉଛି । ଏମିତିକି ଉତ୍କଳ ପ୍ରସଙ୍ଗ ଓ ଓଡିଶା ରିଭ୍ୟୁ ଭଳି ସରକାରୀ ମାସିକ ପତ୍ରିକାର ସମ୍ପାଦନା ଦାୟିତ୍ୱ ନେବାପାଇଁ ବି ଏକାଧିକ ଆଶାୟୀ ଥିବା ଜଣାପଡିଛି ।
ଜଣେ ବରିଷ୍ଠ ବିଜେପି କର୍ମକର୍ତ୍ତା କହିଛନ୍ତି ଯେ ସରକାରୀ ପଦ ପଦବୀରେ ଏଭଳି ନିଯୁକ୍ତି ଦିଆଯିବାର ପରମ୍ପରା ରହିଛି । ତେବେ ନୂଆ ସରକାର ଦାୟିତ୍ୱ ଗ୍ରହଣ କରିବାପରେ ସାଂଗଠନିକ ଅଧିକାରୀ, କେନ୍ଦ୍ରୀୟ ପ୍ରଭାରୀ ଓ ଅନ୍ୟ ମନ୍ତ୍ରୀ ଓ ନେତାମାନଙ୍କ ସହ ବିଚାର ଆଲୋଚନା ପରେ ନୂଆ ମୁଖ୍ୟମନ୍ତ୍ରୀ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେଇ ତୃତୀୟ ବ୍ୟକ୍ତିମାନଙ୍କୁ ଉପଯୁକ୍ତ ସ୍ଥାନରେ ନିଯୁକ୍ତି ଦେଇ ସରକାରକୁ ଅଧିକ କ୍ରିୟାଶୀଳ କରାଇବେ । (ତଥ୍ୟ)