ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପୁରୀରେ କାର୍ତ୍ତିକ ବ୍ରତ କରିବାକୁ ଆସିଥିବା ହବିଷ୍ୟାଳୀ ମା’ ମାନଙ୍କୁ ବ୍ରତ ସରଞ୍ଜାମ ପ୍ରଦାନ କରିଛନ୍ତି। ଏଥିରେ ଶାଢୀ, ଚଦର, ଉତ୍ତରୀୟ, ରାଇ ଦାମୋଦର ବ୍ରତ ବହି, ଶୁଖିଲି ମହାପ୍ରସାଦ ପ୍ରଭୃତି ରହିଛି। ପ୍ରାୟ ୩୦୦୦ ହବିଷ୍ୟାଳୀ ମା’ଙ୍କ ପାଇଁ ରହିବାର ବ୍ୟବସ୍ଥା କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ହବିଷ୍ୟାଳୀ ମା’ ମାନଙ୍କୁ ଦଣ୍ଡବତ ହୋଇ ଆଶୀର୍ବାଦ କାମନା କରିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ଏସବୁ ପ୍ରଦାନ କରି ଏହା ମୋ ନିଜର ମା’ଙ୍କୁ ଦେବା ପରି ଅନୁଭବ କରୁଛି’। ସେ କହିଛନ୍ତି ଯେ, ଆପଣ ମାନେ ସମସ୍ତେ ଏହାକୁ ବ୍ରତ ପାଳନ ବେଳେ ବ୍ୟବହାର କରିବେ।
ଏ ମାସ ସାରା ଆପଣ ମାନେ ଯେପରି ଖୁବ୍ ଭଲ ଭାବରେ ହବିଷ କରିବେ, ମହାପ୍ରଭୁଙ୍କ ଦର୍ଶନ କରିବେ, ମହାପ୍ରସାଦ ସେବନ କରିବେ, ଭଜନ କୀର୍ତ୍ତନ ଶୁଣିବେ ଓ ଖୁସି ମନରେ ଘରକୁ ଫେରିବେ, ସେଥିପ୍ରତି ଯତ୍ନବାନ ହେବାକୁ ମୁଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି ବୋଲି ସେ କହିଥିଲେ। ମା’ ମାନଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଡାକ୍ତର ବ୍ୟବସ୍ଥା ମଧ୍ୟ କରାଯାଇଛି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆପଣମାନେ ଭଲରେ ରୁହନ୍ତୁ, ଆନନ୍ଦରେ ରୁହନ୍ତୁ। ନିଜ ପରିବାର ତଥା ରାଜ୍ୟର ସମୃଦ୍ଧି ଓ ବିକାଶ ପାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା କରନ୍ତୁ। ଓଡିଶା ବାହାରେ ଥିବା ସମୟରେ କିଛି ହବିଷ୍ୟାଳୀ ମା’ ମାନଙ୍କ ଅସୁବିଧା ସମ୍ପର୍କରେ ସୂଚନା ପାଇବା ପରେ ସେ ତୁରନ୍ତ ଏହାର ସମାଧାନ କରିବାକୁ ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ତଥା ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ବୋଲି ସେ ପ୍ରକାଶ କରିଥିଲେ। ସେ ସବୁର ସମାଧାନ ହୋଇଯିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆପଣମାନଙ୍କ ସୁବିଧା ପାଇଁ ସ୍ବତନ୍ତ୍ର ଭାବେ ବୃନ୍ଦାବତୀ ନିବାସ ନାମରେ ଏକ ହବିଷ୍ୟାଳୀ ଭବନ କରାଯାଇଛି। ଚଳିତ ବର୍ଷ ବୃନ୍ଦାବତୀ ଭବନ ସହିତ ଅନ୍ୟ ତିନୋଟି କେନ୍ଦ୍ର ଯଥା – ଅକ୍ଷୟ ପାତ୍ର ପାଉଣ୍ଡେସନ, ବଗଲା ଧର୍ମଶାଳା, ମୋଚି ସାହି କଲ୍ୟାଣ ମଣ୍ଡପରେ ହବିଷ୍ୟାଳୀ ମା’ ମାନଙ୍କୁ ରଖାଯାଇଛି। ପୁରୀ ଜିଲ୍ଲା ପ୍ରଶାସନକୁ ମା’ ମାନଙ୍କର ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ମୁଁ ନିର୍ଦ୍ଦେଶ ଦେଇଛି।
ଜଗନ୍ନାଥଙ୍କ କୃପାରୁ ଆମ ସରକାର ରାଜ୍ୟର ସମସ୍ତ ବର୍ଗର ଲୋକଙ୍କ ପାଇଁ କାର୍ଯ୍ୟକରୁଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ବିଭିନ୍ନ ବର୍ଗର କଲ୍ୟାଣ ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ମହିଳା ମାନଙ୍କ ପାଇଁ ସୁଭଦ୍ରା ଯୋଜନା, ଚାଷୀମାନଙ୍କ ପାଇଁ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ଏବଂ ଲୋକଙ୍କ ସୁଖଦୁଃଖ ବୁଝିବା ପାଇଁ ନିୟମିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ।
କାର୍ଯ୍ୟକ୍ରମରେ ଯୋଗଦେଇ ପୁରୀ ସାଂସଦ ଡ. ସମ୍ବିତ ପାତ୍ର କହିଲେ ଯେ, ନାରୀର ଜୀବନ ସାଧାରଣ ନୁହେଁ। ନାରୀମାନେ ତାଙ୍କ ଜୀବନ କାଳ ମଧ୍ୟରେ ପରିବାର ପାଇଁ, ସମାଜ ପାଇଁ ଅନେକ ତ୍ୟାଗ କରିଥାନ୍ତି। ମହାପ୍ରଭୁଙ୍କ ନିକଟରେ ଆପଣମାନେ ରାଜ୍ୟବାସୀଙ୍କ କଲ୍ୟାଣ କାମନା କରନ୍ତୁ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ପୁରୀ ବିଧାୟକ ଶ୍ରୀ ସୁନିଲ ମହାନ୍ତି ଯୋଗଦେଇଥିଲେ । ସତ୍ୟବାଦୀ ବିଧାୟକ ଶ୍ରୀ ଓମ୍ ପ୍ରକାଶ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ ଏବଂ ପିପିଲି ବିଧାୟକ
ଶ୍ରୀ ଆଶ୍ରିତ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଡି.ଆଇ.ଜି. ଶ୍ରୀ ଚରଣ ସିଂ ମୀନା, ପୁରୀ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।