ଭୁବନେଶ୍ୱର : ରାଜଧାନୀ ଉପକଣ୍ଠରେ ସୋମପୁର ଠାରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଶହ ଶହ ଘର ଭାଙ୍ଗି ସରକାରୀ ଜମିକୁ ଜବଦରଖଲମୁକ୍ତ କରୁଥିବାବେଳେ ସରକାରଙ୍କର ତିନି ତିନିଟି ସ୍କ୍ୱାଡ୍ ରହିଥିବାବେଳେ ଏତେ ସଂଖ୍ୟକ ଘର କିଭଳି ନିର୍ମାଣ ହେଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଘର ତିଆରି ଆରମ୍ଭରୁ ଏହାକୁ ରୋକିବାରେ ବିଫଳ ହୋଇଥିବା ପ୍ରଶାସନ ଏବେ ଲକ୍ଷାଧିକ ଟଙ୍କା ଖର୍ଚ୍ଚକରି ଜବରଦଖଲ ହଟାଇବାରେ ଲାଗିଛି । ଏ ନେଇ ପ୍ରଶାସନ ସାଧାରଣ ଲୋକଙ୍କ ବିରୋଧର ସମ୍ମୁଖୀନ ହେବା ସହିତ ଆଇନ୍ ଅଦାଲତରେ ମଧ୍ୟ ମାମଲା ଲଢିବାକୁ ବାଧ୍ୟ ହେଉଛି ।
ରାଜଧାନୀରେ ସରକାରୀ ଜମିକୁ ଜବରଦଖଲମୁକ୍ତ କରିବାପାଇଁ ସାଧାରଣ ପ୍ରଶାସନ ବିଭାଗ, ବିଡିଓ ଓ ବିଏମ୍ସିର ଜବରଦଖଲ ଉଚ୍ଛେଦ ସ୍କ୍ୱାଡ୍ ରହିଛି । କୌଣସି ଠାରେ ସରକାରୀ ଜମି ଜବରଦଖଲ ହେଲେ ଏମାନେ ତାହାକୁ ମୁକ୍ତ କରିବାକଥା । ଜବରଦଖଲ ମୁକ୍ତ ସମୟରେ କମିଶନରେଟ ପୁଲିସ୍ ପକ୍ଷରୁ ଏମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଥାଏ । ହେଲେ ସୋମପୁର ମୌଜାରେ କିଭଳି ସରକାରୀ ଜମି ବିକ୍ରି ହୋଇଗଲା ଓ ଏହା ଉପରେ ଶହ ଶହ ଘର ଗଢି ଉଠିଲା ଓ ତାହାକୁ ଦାୟିତ୍ୱରେ ଥିବା କୌଣସି ସରକାରୀ କର୍ମଚାରୀ ଦେଖିପାରିଲେ ନାହିଁ ତାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।
କେବଳ ଏହି ଗୋଟିଏ ସ୍ଥାନ ନୁହେଁ, ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରାୟ ୪୦୦ ଏକର ସରକାରୀ ଜମି ଜବଦରଖଲ ହୋଇଥିବାବେଳେ ଜବରଦଖଲକାରୀମାନେ ସରକାରଙ୍କ ବିରୁଦ୍ଧରେ ପାଖାପାଖି ୧୦ହଜାର ମାମଲା ରୁଜୁ କରିଛନ୍ତି । ସରକାର ବି ନିଜ ଜମି ଫେରିପାଇବାପାଇଁ ରାଜକୋଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚକରି ମାମଲା ଲଢୁଛନ୍ତି । ହେଲେ ଜବରଦଖଲକାରୀମାନେ ସରକାରୀ ଜମି ଉପରୁ ଭଡା ଆଦାୟ କରି ସେହି ଅର୍ଥରେ ସରକାରଙ୍କୁ ସାମ୍ନା କରୁଛନ୍ତି ।
ସୋମପୁର ମୌଜାରୁ ବିଡିଏ ଯେଭଳି ଯୁଦ୍ଧକାଳୀନ ଭିତ୍ତିରେ ଜବରଦଖଲ ଉଚ୍ଛେଦ କରୁଛି, ସହରର ଅନ୍ୟାନ୍ୟ ସ୍ଥାନରେ ଅନୁରୂପ ପଦକ୍ଷେପ ଗ୍ରହଣ କରିବାକୁ ମତପ୍ରକାଶ ପାଉଛି । ବିଶେଷଶକରି ରାଜ୍ୟ ସଚିବାଳୟ, ରାଜଭବନ, ବିମାନବନ୍ଦର, ରେଳଷ୍ଟେସନ ନିକଟରେ ଜବରଦଖଲ ହୋଇଥିବା ଜମିକୁ ଉଚ୍ଛେଦ ପାଇଁ ଲୋକେ ମତ ଦେଉଛନ୍ତି ।
ବିଡିଏ କର୍ତ୍ତୃପକ୍ଷ ସୋମପୁର ମୌଜାରେ ବୁଲଡୋଜର ଚଳାଉଥିବାବେଳେ ସଚିବାଳୟରୁ ଅନତି ଦୂରରେ ପୋଖରୀପୁଟ ଅଞ୍ଚଳରେ ଖଦିବୋର୍ଡର ମୂଲ୍ୟବାନ ଜମିକୁ କିନ୍ତୁ ଉଦ୍ଧାର କରାଯାଇ ପାରୁନାହିଁ । ଏଠାରେ ବୋର୍ଡର ପ୍ରାୟ ୨ଏକର ଜମି ଜବଦରଖଲ ହୋଇଥିବାବେଳେ ବିଭିନ୍ନ ଆଳ ଦେଖାଇ ତାହାକୁ ମୁକ୍ତ କରାଯାଇ ପାରୁନଥିବାବେଳେ ସହରର ଆଉ କେତେକ ସ୍ଥାନରେ ମଧ୍ୟ ଅନୁରୂପ ଜବରଦଖଲ ଏବେ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । (ତଥ୍ୟ)

