ଭୁବନେଶ୍ୱର : କଂଗ୍ରେସ, ବିଜେପି ଓ ବିଜେଡିର ରାଜ୍ୟ ସଭାପତିମାନେ ଲୋକସଭା ପରିବର୍ତ୍ତେ ରାଜ୍ୟ ବିଧାନସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି । ଏ ପରିପ୍ରେକ୍ଷୀରେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ନୂଆପଡା ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିସାରିଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜି ଓ ହିଞ୍ଜିଳି ଭଳି ଦୁଇଟି ବିଧାନସଭା କ୍ଷେତ୍ରରୁ ପ୍ରାର୍ଥୀ ହେବାକୁ ଯାଉଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଚାନ୍ଦବାଲି ଆସନରୁ ବିଧାନସଭା ନିର୍ବାଚନ ଲଢିବେ ବୋଲି ଘୋଷଣା ହୋଇସାରିଛି ।
ବର୍ତ୍ତମାନର ପିସିସି ସଭାପତି ଶରତ ପଟ୍ଟନାୟକ, ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ବଲାଙ୍ଗୀରର ସାଂସଦ ଥିଲେ । ଗତଥର ବି ସେ ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢି ପରାସ୍ତ ହୋଇଥିଲେ । ଏଥର ସେ ଲୋକସଭା ପାଇଁ ନିର୍ବାଚନ ଲଢି ପ୍ରଥମ ପର୍ଯ୍ୟାୟରେ ମେ’ ୧୩ ତାରିଖରେ ନିର୍ବାଚନ ହେବାକୁ ଥିବା ନୂଆପଡା ବିଧାନସଭା ଆସନ ପାଇଁ ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୪ବର୍ଷ ଧରି ହିଞ୍ଜିଳି ବିଧାନସଭା ଆସନକୁ ପ୍ରତିନିଧିତ୍ୱ କରି ଆସୁଛନ୍ତି । ୧୯୯୭ରୁ ୨୦୦୦ ପର୍ଯ୍ୟନ୍ତ ସେ ଆସିକା ଲୋକସଭା ଆସନରୁ ଜିଣିଥିଲେ ଓ ପରବର୍ତ୍ତୀ ସମୟରେ କେନ୍ଦ୍ରରେ କ୍ୟାବିନେଟ୍ ମନ୍ତ୍ରୀ ମଧ୍ୟ ରହିଥିଲେ । ୨୦୧୯ରେ ଶ୍ରୀ ପଟ୍ଟନାୟକ ଏକସଙ୍ଗେ ହିଞ୍ଜିଳି ଓ ବିଜେପୁର ଭଳି ଦୁଇଟି ଆସନରୁ ନିର୍ବାଚନ ଜିଣିବା ପରେ ହିଞ୍ଜିଳିକୁ ରଖି ବିଜେପୁର ଆସନରୁ ଇସ୍ତଫା ଦେଇଥିଲେ । ବିଜେଡିର ଘୋଷିତ ପ୍ରାର୍ଥୀ ତାଲିକାରେ ଶ୍ରୀ ପଟ୍ଟନାୟକଙ୍କ ନାମ ହିଞ୍ଜିଳି ସହିତ କଣ୍ଟାବାଞ୍ଜି ପାଇଁ ରହିଛି । ଏହି ଦୁଇଟି ଯାକ ଆସନ ପାଇଁ ମଇ ୨୦ ତାରିଖରେ ମତ ଗ୍ରହଣ କରାଯିବ । ଏଥିଲାଗି ବିଜ୍ଞପ୍ତି ପ୍ରକାଶ ପାଇସାରିଛି ।
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପୂର୍ବରୁ ରାଜ୍ୟସଭା ସଦସ୍ୟ ଥିଲେ । ୨୦୦୪ରେ ପ୍ରଥମଥର ପାଇଁ ସେ ବିଧାନସଭାକୁ ନିର୍ବାଚିତ ହୋଇ ଆସିଥିଲେ । ୨୦୦୦ ମସିହାରେ ଶ୍ରୀ ସାମଲ ରାଜ୍ୟ ବିଜେପି ସଭାପତି ଥାଇ ଧାମନଗର ବିଧାନସଭା ଆସନରୁ ନିର୍ବାଚନ ଲଢି ପରାସ୍ତ ହୋଇଥିଲେ । ୨୦୦୪ରେ ସେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ମିଳିତ ସରକାରରେ ମନ୍ତ୍ରୀ ଥିଲେ । ଏଥର ଶ୍ରୀ ସାମଲ ଶେଷ ପର୍ଯ୍ୟାୟରେ ହେବାକୁ ଥିବା ଚାନ୍ଦବାଲି ବିଧାନସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀ ଘୋଷିତ ହୋଇଛନ୍ତି । ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳର ମୁଖିଆମାନଙ୍କ ନିର୍ବାଚନ ଫଳାଫଳ ଉପରେ ଏବେ ସମସ୍ତଙ୍କ ନଜର ।
ଏଠାରେ ଉଲ୍ଲେଖନୀୟ ଯେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଭଳି ଚାରୋଟି ଲୋକସଭା କ୍ଷେତ୍ର ଓ ତାହା ଅନ୍ତର୍ଭୁକ୍ତ ୨୮ଟି ବିଧାନସଭା ଆସନ ପାଇଁ ପ୍ରାର୍ôଥପତ୍ର ଦାଖଲ ଓ ଯାଞ୍ଚ କାମ ଶେଷ ହୋଇଛି । ଏପ୍ରିଲ ୨୯ରେ ଏହି ଆସନ ଗୁଡିକ ପାଇଁ ପ୍ରାର୍ଥିପତ୍ର ପ୍ରତ୍ୟାହାର ଲାଗି ଦିନଧାର୍ଯ୍ୟ ହୋଇଥିବାବେଳେ ମଇ୧୩ ତାରିଖରେ ମତଗ୍ରହଣ କରାଯିବ ।
କୋରାପୁଟ, ସୁନ୍ଦରଗଡ଼, ବଲାଙ୍ଗୀ, କନ୍ଧମାଳ ଓ ଆସିକା ଭଳି ୫ଟି ଲୋକସଭା କ୍ଷେତ୍ର ଓ ତାହା ପରିସରରେ ଆସୁଥିବା ୩୫ଟି ବିଧାନସଭା ଆସନ ପାଇଁ ଆଜିଠାରୁ ପ୍ରାର୍ôଥପତ୍ର ଦାଖଲ ଆରମ୍ଭ ହୋଇଛିଏବଂ ଏହା ମଇ ୩ ତାରିଖ ପର୍ଯ୍ୟନ୍ତ ଚାଳିବ । ଏହି ଆସନ ଗୁଡିକ ଲାଗି ମଇ ୨୦ ତାରିଖରେ ଭୋଟ ଗ୍ରହଣ କରାଯିବ ।
ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ଭଳି ୬ଟି ଲୋକସଭା କ୍ଷେତ୍ର ଓ ତାହା ପରିସରରେ ଆସୁଥିବା ୪୨ଟି ବିଧାନସଭା ଆସନ ପାଇଁ ଚଳିତ ମାସ ୨୯ ତାରିଖରୁ ମଇ ୬ ତାରିଖ ପର୍ଯ୍ୟନ୍ତ ପ୍ରାର୍ôଥପତ୍ର ଦାଖଲ ହେବ ଏବଂ ଏହି ଆସନ ଗୁଡିକ ଲାଗି ମଇ ୨୫ରେ ଭୋଟ ଗ୍ରହଣ ହେବ । ରାଜ୍ୟର ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଜୁନ୍ ୧ରେ ହେବାକୁ ଥିବାବେଳେ ଏଗୁଡିକ ପାଇଁ ମଇ ୭ରୁ ୧୪ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ ହେବ । ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର ଓ ଯାଜପୁର ଲୋକସଭା ଆସନ ପାଇଁ ଏହା ପରିସରରେ ଆସୁଥିବା ଆଉ ୪୨ଟି ବିଧାନସଭା ଆସନ ପାଇଁ ଶେଷ ପର୍ଯ୍ୟାୟରେ ନିର୍ବାଚନ ହେବ । ତେବେ ରାଜ୍ୟର ତିନୋଟି ଯାକ ପ୍ରମୁଖ ଦଳର ସଭାପତିମାନଙ୍କ ନିର୍ବାଚନ ଫଳାଫଳ କ’ଣ ହେବ ତାହା ଜୁନ୍ ୪ ତାରିଖରେ ଭୋଟ ଗଣତି ପରେ ଜଣାପଡିବ । (ତଥ୍ୟ)