Home General ତିନି ଲକ୍ଷ ଗାଡିଚାଳକ ତାଲିମ ପାଇବେ

ତିନି ଲକ୍ଷ ଗାଡିଚାଳକ ତାଲିମ ପାଇବେ

ଭୁବନେଶ୍ୱର : ଗାଡି ଚାଳକମାନଙ୍କୁ ସରକାର ତାଲିମ ଦେବେ । ରାଜ୍ୟରେ ଯାନ ବାହାନ ଦୁର୍ଘଟଣା ହ୍ରାସ ସହିତ ଚାଳକମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଏଭଳି ପଦକ୍ଷେପ ନିଆଯିବାର ସୂଚନା ମିଳିଛି ।

ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୩ଲକ୍ଷ ଗାଡିଚାଳକଙ୍କୁ ସରକାରୀ ସ୍ତରରେ ତାଲିମ ପ୍ରଦାନ କରିବେ । ପ୍ରତ୍ୟେକ ଜିଲ୍ଲାରେ ଏହି ତାଲିମ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି । ବିଶେଷକରି ଯେଉଁ ଗାଡିଚାଳକମାନେ ସରକାରୀ ତାଲିମ କେନ୍ଦ୍ରରୁ ତାଲିମ ପାଇ ନାହାନ୍ତି ସେମାନଙ୍କୁ ଚିହ୍ନଟ ସହିତ ଏହି ତାଲିମ କାର୍ଯ୍ୟକ୍ରମରେ ସାମିଲ କରାଯିବ ।

ବର୍ତ୍ତମାନ ରାଜ୍ୟରେ ଯେଉଁ ଗାଡିଚାଳକମାନେ ଅଛନ୍ତି ସେମାନଙ୍କ ମଧ୍ୟରୁ ଅନେକ ଅଣତାଲିପ୍ରାପ୍ତ । ଅର୍ଥାତ ଗାଡି ଚାଳନା ସହିତ ଟ୍ରାଫିମ ନିୟମ ସଂକ୍ରାନ୍ତରେ ତାଲିମ ପାଇନାହାନ୍ତି । ଏମାନଙ୍କ ମଧ୍ୟରୁ ଅନେକ ପ୍ରଥମେ ଗାଡିରେ ହେଲପର ଭାବେ କିଛିଦିନ କାର୍ଯ୍ୟ କରିବାପରେ ପରବର୍ତ୍ତୀ ସମୟରେ ଡ୍ରାଇଭର ହୋଇ ଗାଡି ଚଳାଉଛନ୍ତି । ବିଶେଷକରି ରାଜ୍ୟରେ ଚଳାଚଳ କରୁଥିବା ଭାରିଯାନ କ୍ଷେତ୍ରରେ ଏହା ଲକ୍ଷ୍ୟ କରାଯାଇଛି ।

ରାଜ୍ୟରେ ଘଟୁଥିବା ଅଧିକାଂଶ ସଡକ ଦୁର୍ଘଟଣା ପାଇଁ ଏହି ଅଣତାଲିମପ୍ରାପ୍ତ ଚାଳକମାନେ ଦାୟୀ ବୋଲି ସରକାର ଅନୁଭବ କରିବାପରେ ଏବେ ସେମାନଙ୍କୁ ତାଲିମ ପାଇଁ ପଦକ୍ଷେପ ଆରମ୍ଭ ହୋଇଛି । ଜିଲ୍ଲା ସ୍ତରରେ ଏହି ତାଲିମ କେନ୍ଦ୍ର ଖୋଲାଯିବା ସହିତ ପର୍ଯ୍ୟାୟକ୍ରମେ ଗାଡିଚାଳକମାନଙ୍କୁ ଏଠାରେ ପ୍ରଶିକ୍ଷଣ ପ୍ରଦାନ କରାଯିବ ।

ଉଲ୍ଲେଖନୀୟ ଯେ ରାଜ୍ୟରେ ପ୍ରତିବର୍ଷ ଦୁର୍ଘଟଣାରେ ପାଖାପାଖି ୫ହଜାର ଲୋକ ପ୍ରାଣ ହରାଉଥିବାବେଳେ ଏକାଧିକ ଲୋକ ଆଘାତପ୍ରାପ୍ତ ଓ ଅର୍କମଣ୍ୟ ହୋଇଯାଉଛନ୍ତି । ଏଥିଯୋଗୁଁ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ବି ହେଉଛି । ସୁପ୍ରିମ୍‍କୋର୍ଟ ମଧ୍ୟ ରାଜ୍ୟରେ ଦୁର୍ଘଟଣା ହ୍ରାସ ପାଇଁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ନିକଟରେ ଦୁର୍ଘଟଣାଗ୍ରସ୍ତ ଲୋକଙ୍କ ଜୀବନ ରକ୍ଷାପାଇଁ ରାଜ୍ୟ ସରକାର ରାସ୍ତାପାଶ୍ୱର୍ ବ୍ୟବସାୟୀଙ୍କୁ ପ୍ରାଥମିକ ଚିକିତ୍ସା ତାଲିମ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

ସେହିଭଳି ସରକାର ଛତିଆ ଠାରେ ପିପିପି ମୋଡ୍‍ରେ ଭାରିଯାନ ତାଲିମ କେନ୍ଦ୍ର ଖୋଲିଥିବାବେଳେ ଏଥିପ୍ରତି ଯୁବବର୍ଗଙ୍କ ମଧ୍ୟରେ ଆଗ୍ରହ ପରିଲକ୍ଷିତ ହେଉଛି । ତେବେ ରାଜ୍ୟରେ ଥିବା ଲକ୍ଷାଧିକ ଗାଡିଚାଳକ ଠିକଣା ଭାବେ ଟ୍ରାଫିକ ଓ ଅନ୍ୟାନ୍ୟ ତାଲିମ ନେଇନଥିବାରୁ ସେମାନଙ୍କୁ ପର୍ଯ୍ୟାୟକ୍ରମେ ତାଲିମ ପ୍ରଦାନ ପାଇଁ ସରକାର ଏବେ ଯୋଜନା ପ୍ରସ୍ତୁତ କରିଛନ୍ତି । ଏହାଦ୍ୱାରା ରାଜ୍ୟରେ ସଡକ ଦୁର୍ଘଟଣା ସହିତ ଧନ ଜୀବନ ହାନିକୁ ରୋକାଯାଇ ପାରିବ ବୋଲି କର୍ତ୍ତୃପକ୍ଷ ଆଶା କରୁଛନ୍ତି । (ତଥ୍ୟ)