ଭୁବନେଶ୍ୱର : ରାଜ୍ୟର ତିନି ପ୍ରମୁଖ ରାଜନୈତିକ ସଂଗଠନ ଭିତରେ ଏବେ ନେତୃତ୍ୱ ଘେନି ଉଷ୍ମତା ବୃଦ୍ଧିପାଇଛି । ଛଅ ମାସ ଧରି ଚାଳକ ବିହୀନ ଭାବେ ପଡିଥିବା କଂଗ୍ରେସ ଗାଡି କିଏ ଚଳାଇବ ସେଥିଘେନି ଅଙ୍କ ଛିଡୁନଥିବାବେଳେ ବିଜେଡି ଓ ବିଜେପିରେ ନେତୃତ୍ୱ ପାଇଁ ବି ଜୋରଦାର ଲବି ଚାଲିଛି ।
ସଭ୍ୟ ସଂଗ୍ରହ ଅଭିଯାନ ପରେ ରାଜ୍ୟ ବିଜେଡିର କର୍ମକର୍ତ୍ତା ନିର୍ବାଚନ ହେବ । ୨୮ବର୍ଷ ଦରି ନବୀନ ପଟ୍ଟନାୟକ ଏହି ଦଳର ସଭାପତି ରହିଆସିଛନ୍ତି ଏବଂ ଏଥର ବି ସେ ସଭାପତି ରହିବା କ୍ଷେତ୍ରରେ କିଛି ବିବାଦ ନାହିଁ । କାରଣ ସେ ହିଁ ହେଉଛନ୍ତି ବିଜୁ ଜନତାଦଳର ପ୍ରତିଷ୍ଠାତା ଓ ର୍ନିବିବାଦୀୟ ନେତା । ତେବେ ନିର୍ବାଚନରେ ପରାଜୟ ପରେ ବିଜେଡି ତାହାର ସମସ୍ତ କମିଟି ଭାଙ୍ଗି ଦେଇଛି । ଏମିତିକି ଦଳର ଛାମୁଆ ସଂଗଠନ ଠାରୁ ଆରମ୍ଭକରି କ୍ଷେତ୍ର ସଂଗଠନ ପର୍ଯ୍ୟନ୍ତ ରାଜ୍ୟ ସଭାପତିଙ୍କ ଛଡା ଆଉ କେହି କର୍ମକର୍ତ୍ତା ନାହାନ୍ତି । ତେଣୁ ଛାତ୍ର, ଯୁବ, ମହିଳା ଆଦି ବିଭିନ୍ନ ଶାଖାରେ ଏବଂ ରାଜ୍ୟ କମିଟିରେ କିଏ ସବୁ କେଉଁ ଦାୟିତ୍ୱରେ ରହିବେ ଏବଂ ଜିଲ୍ଲା ଓ ବ୍ଲକ ସ୍ତରରେ କେଉଁମାନଙ୍କୁ ସାଂଗଠନିକ ଦାୟିତ୍ୱରେ ରଖାଯିବ ସେଥିଘେନି ଗାଁରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଚର୍ଚ୍ଚା ସହିତ ଆଶାୟୀମାନଙ୍କ ଲବି ଚାଲିଛି । ବିଶେଷକରି ଅନ୍ୟ ଦଳରୁ ଆସି ବିଜେଡିରେ ସାମିଲ ହୋଇଥିବା ନେତାମାନେ ସାଂଗଠନିକ ଚଉକି ହାସଲ ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଉଥିବା ଦେଖାଯାଉଛି ।
ବିଜେପିରେ ମଧ୍ୟ ଦେଶ ବ୍ୟାପି ସଦସ୍ୟ ସଂଗ୍ରହ ଅଭିଯାନ ପ୍ରାୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏହି ଆଧାରରେ ଦଳର ସମ୍ବିଧାନ ଅନୁଯାୟୀ ମଣ୍ଡଳ, ଜିଲ୍ଲା ଠାରୁ ଆରମ୍ଭକରି ରାଜ୍ୟ ଓ ଜାତୀୟ ସ୍ତର ପର୍ଯ୍ୟନ୍ତ ସଭାପତି ନିର୍ବାଚନ କରାଯିବ । ଗତ ନିର୍ବାଚନ ପୂର୍ବରୁ ମନମୋହନ ସାମଲଙ୍କୁ ସଭାପତି ଦାୟିତ୍ୱ ଦିଆଯାଇଥିଲା । ଏଥର ପୁଣିଥରେ ମନମୋହନଙ୍କୁ ସଭାପତି କରାଯାଇପାରେ ବୋଲି ତାଙ୍କ ସମର୍ଥକମାନେ ଆଶା କରୁଥିବାବେଳେ ଏହି ପଦବୀ ପାଇଁ ଆହୁରି ଅନେକ ନାମ ଚର୍ଚ୍ଚାରେ ରହିଛି ।
ସେହିଭଳି ମଣ୍ଡଳ, ବ୍ଲକ ଓ ଜିଲ୍ଲାସ୍ତରୀୟ କମିଟିର ବହୁ ସ୍ଥଳରେ ନେତୃତ୍ୱ ପରିବର୍ତ୍ତନ ହୋଇପାରେ । ଭିନ୍ନ ଦଳରୁ ଆସି ବିଜେପିରେ ବିଧାୟକ ଓ ସାଂସଦ ହୋଇଥିବା ଏବଂ ନେତୃତ୍ୱ ଜାହିର କରୁଥିବା କିଛି ନେତା ମଧ୍ୟ ଦଳୀୟ ସଂଗଠନର ମଙ୍ଗ ଧରିବାପାଇଁ ଆଗ୍ରହୀ । ତେବେ କାହା ମୁଣ୍ଡରେ ହାତୀ ସୁନାକଳସ ଢାଳିବ ତାହା କିଛିଦିନ ଭିତରେ ସ୍ପଷ୍ଟ ହୋଇଯିବ ।
ନିର୍ବାଚନ ବିପର୍ଯ୍ୟୟ ପରେ ଓଡିଶା କଂଗ୍ରେସ ସଂଗଠନର ବିଭିନ୍ନ କମିଟିକୁ ଭାଙ୍ଗି ଦିଆଯାଇଛି । ପ୍ରଦେଶ କଂଗ୍ରେସ କମିଟିର ଏବେ କେହି ସଭାପତି କି ଅନ୍ୟ କାର୍ଯ୍ୟକର୍ତ୍ତା ନାହାନ୍ତି । ଛାମୁଆ ସଂଗଠନ ସମେତ ଜିଲ୍ଲା ଓ ବ୍ଲକ ସଂଗଠନଗୁଡିକରେ ବି ନେତୃତ୍ୱ ମରୁଡି ସୃଷ୍ଟି ହୋଇଛି । ଛଅମାସ ଧରି ବିନା ନେତୃତ୍ୱରେ ପ୍ରଦେଶ କଂଗ୍ରେସ ଚାଲିଛି । ଓଡିଶା ପାଇଁ ଥିବା କଂଗ୍ରେସ ପ୍ରଭାରୀ ଡକ୍ଟର ଅଜୟ କୁମାରଙ୍କ ଆବାହକତ୍ୱରେ ଏକ ପରିଚାଳନା କମିଟି ଗଢାଯାଇଥିଲେ ମଧ୍ୟ ଏହାର ଉପସ୍ଥିତି କେହି ଅନୁଭବ କରୁନାହାନ୍ତି । ଝାଡଖଣ୍ଡ ବାସିନ୍ଦା ଅଜୟ ସେଠାରେ ନିର୍ବାଚନ ଲଢି ହାରି ଯାଇଛନ୍ତି ।
ଓଡିଶା ପ୍ରଦେଶ କଂଗ୍ରେସ ସଭାପତି କିଏ ହେବ ସେ ସଂକ୍ରାନ୍ତରେ ସୁପାରିଶ୍ କରିବାପାଇଁ ନୂଆ ନୂଆ ପର୍ଯ୍ୟବେକ୍ଷକଙ୍କୁ ଦାୟିତ୍ୱ ଦେଇ ଚାଲିଛନ୍ତି । ପ୍ରଥମେ କୁହାଯାଉଥିଲା ଦୁର୍ଗାପୂଜା ସୁଦ୍ଧା ନୂଆ ପିସିସି ସଭାପତି ନିଯୁକ୍ତ ହେବେ । ପରେ କୁହାଗଲା ଦୀପାବଳୀ ସୁଦ୍ଧା ଏହା ହୋଇଯିବ । ନୂଆବର୍ଷ ଆରମ୍ଭ ହେବା ପୂର୍ବରୁ ପିସିସି ସଭାପତି ନିଯୁକ୍ତ ହୋଇସାରିଥିବେ ବୋଲି କେତେକ ନେତା ଦମ୍ଭର ସହିତ କହିଥିବାବେଳେ ଏବେ କହୁଛନ୍ତି ଚଳିତ ଜାନୁୟାରୀମାନ ଶେଷ ସୁଦ୍ଧା ପ୍ରଦେଶ କଂଗ୍ରେସ କମିଟି ନୂଆ ସଭାପତି ଦେଖିବ । ଏହି ପଦବୀ ପାଇଁ ବି ଦଳର ବହୁ ନେତା ବିଭିନ୍ନ ମହଲରେ ଲବି କରୁଛନ୍ତି । (ତଥ୍ୟ)