Home Environment ତିନି ବର୍ଷରେ ମଲେଣି ୨୪୫ ହାତୀ

ତିନି ବର୍ଷରେ ମଲେଣି ୨୪୫ ହାତୀ

ଭୁବନେଶ୍ୱର : ଗତ ତିନି ବର୍ଷ ମଧ୍ୟରେ ରାଜ୍ୟରେ ୨୪୫ଟି ହାତୀ ମଲେଣି । ଏମାନଙ୍କ ମଧ୍ୟରୁ ଶିକାରୀଙ୍କ ହାତରେ ୬ଟି ହାତୀ ମରିଛନ୍ତି । ଆଜି ବିଧାନସଭାରେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ।

ମନ୍ତ୍ରୀ ଶ୍ରୀ ଅମାତ ଦର୍ଶାଇଛନ୍ତି ଯେ ଗତ ତିନି ବର୍ଷ ଅର୍ଥାତ୍‍ ୨୦୧୯-୨୦ ରୁ ୨୦୨୧-୨୨ ମଧ୍ୟରେ ରାଜ୍ୟରେ ୨୪୫ଟି ହାତୀ ମରିଛନ୍ତି । ଏଥି ମଧ୍ୟରୁ ୬ଟି ହାତୀଙ୍କର ଶିକାର ହୋଇଛି । ଏହି ସମୟରେ ହାତୀ ଶିକାର ଓ ଦାନ୍ତ ଚାଲାଣ ଏବଂ ବାଘ ଦେବାବଶେଷ ଚୋରା ଚାଲାଣ ଅଭିଯୋଗରେ ୪୭ଜଣ ଗିରଫ ହୋଇଛନ୍ତି ।

ସେମାନଙ୍କ ଠାରୁ ୩୯ଟି ହାତୀ ଦାନ୍ତ, ଗୋଟିଏ ବାଘ ଛାତ ଏବଂ ୯ଟି ବାଘ ନଖ ଜବତ ହୋଇଛି । ଏଥି ମଧ୍ୟରୁ କେନ୍ଦୁଝର ବନ୍ୟପ୍ରାଣୀ ଡିଭିଜନରୁ ସର୍ବାଧିକ ୧୬ ହାତୀ ଦନ୍ତ ଜବତ ହୋଇଥିବାବେଳେ ମୟରଭଞ୍ଜରୁ ୧୨ଟି, ବାଲେଶ୍ୱରରୁ ୪ଟି, ଅନୁଗୁଳ, ଦେବଗଡ ଓ ସୁବର୍ଣ୍ଣପୁର ଡିଭିଜନରୁ ୨ଟି କରି ଏବଂ କଟକର ଆଠଗଡ ଡିଭିଜନରୁ ଗୋଟିଏ ହାତୀଦାନ୍ତ ଜବତ ହୋଇଛି ।

ସେହିଭଳି କଳାହାଣ୍ଡି ଉତ୍ତର ଡିଜିଜନରୁ ଗୋଟିଏ ବାଘ ଛାଲ ସହିତ ୯ଟି ବାଘଦାନ୍ତ ଜବତ ହୋଇଥିବାବେଳେ ଗିରଫ ହୋଇଥିବା ଶିକାରୀଙ୍କ ମଧ୍ୟରୁ ବାଲେଶ୍ୱରରୁ ସର୍ବାଧିକ ୮ଜଣ, ମୟୁରଭଞ୍ଜରୁ ୭ଜଣ, ସୁବର୍ଣ୍ଣପୁରରୁ ୬ଜଣ, କେନ୍ଦୁଝରରୁ ୫ଜଣ, ବୌଦରୁ ୪ଜଣ, କଳାହାଣ୍ଡି ଉତ୍ତର, ଅନୁଗୁଳ ଓ ଦେବଗଡ ବନ୍ୟପ୍ରାଣୀ ଡିଭିଜନରୁ ୩ଜଣ କରି ଏବଂ କଟକ, ଆଠଗଡ ଓ କଳାହାଣ୍ଡି ଦକ୍ଷିଣ ଡିଭିଜନରୁ ୨ଜଣ କରି ଗିରଫ ହୋଇଛନ୍ତି ।