ଭୁବନେଶ୍ୱର : ପୁରୀ, ସମ୍ବଲପୁର ଓ ରାଉରକେଲା ପୌରସଂସ୍ଥାଗୁଡିକର ନିର୍ବାଚନ କେବେ ହେବ ତାହା ସ୍ପଷ୍ଟ ଭାବେ କେହି କହିପାରୁ ନାହାନ୍ତି । ଆଇନ୍ ଅଦାଲତ ମାମଲାର ଦ୍ୱାହି ଦେଇ ଏହି ୩ଟି ପୌରସଂସ୍ଥାରେ ବର୍ଷ ବର୍ଷ ଧରି ନିର୍ବାଚନ କରାଯାଉନଥିବାରୁ ନିର୍ବାଚିତ ଲୋକପ୍ରତିନିଧିଙ୍କ ଅନୁପସ୍ଥିତରେ ବିଭାଗୀୟ ଅଧିକାରୀମାନଙ୍କ ଦୟା ଅନୁଗ୍ରହରେ ଏଠି କାମ ଚାଲୁଛି ।
ପ୍ରାୟ ୧୦ବର୍ଷ ତଳେ ରାଉରକେଲା ଓ ସମ୍ବଲପୁର ପୌରପାଳିକାକୁ ମହାନଗର ନିଗମରେ ପରିଣତ କରାଯାଇଥିଲା । ମହାନଗର ନିଗମ ଘୋଷଣା କରାଯିବା ପରଠାରୁ ଅନ୍ୟତ୍ର ଦୁଇ ଦୁଇଥର ନିର୍ବାଚନ ସରିଥିବାବେଳେ ସମ୍ବଲପୁର ଓ ରାଉରକେଲାରେ କିନ୍ତୁ ନିର୍ବାଚନ ହେଉନାହିଁ । କେତେକ ଅଞ୍ଚଳକୁ ମହାନଗର ନିଗମ ପରିସରଭୁକ୍ତ କରିବା ଏବଂ କେତେକ ନିର୍ଦ୍ଦିଷ୍ଟ ୱାର୍ଡକୁ ସଂରକ୍ଷିତ ରଖିବା ପ୍ରସଙ୍ଗ ଘେନି ବିବାଦ ଲାଗିରହିବା ଫଳରେ ଏଠାରେ ର୍ନିବାଚନ ହୋଇପାରୁନାହିଁ ।
ସେହିଭଳି ପୁରୀ ପୌରସଂସ୍ଥାର ଦୁରବସ୍ଥା । ଏଠାକାର ନିର୍ବାଚିତ ପୌର ପରିଷଦର କାର୍ଯ୍ୟକାଳ ଶେଷ ହେବାପରେ ଅନ୍ୟ ପୌରସଂସ୍ଥାଗୁଡିକ ସହିତ ପୁରୀରେ ବି ନିର୍ବାଚନ କରାଯିବାକଥା । କିନ୍ତୁ ସ୍ଥାନ ସଂରକ୍ଷଣ ଓ ଅନ୍ୟାନ୍ୟ ପ୍ରସଙ୍ଗ ଘେନି ଏଠି କେଁ ଉପୁଜିବାରୁ ଶ୍ରୀକ୍ଷେତ୍ର ପୁରୀ ପାଇଁ ପୌର ପରିଷଦ ଗଢାଯାଇ ପାରୁନାହିଁ ।
ଗତ ପ୍ରବାସୀ ଭାରତୀୟ ସମ୍ମିଳନୀ ଓ ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମବେଳେ ବହୁ ପ୍ରତିନିଧି ପୁରୀ ଯାଇଥିଲେ । ତେବେ ଶ୍ରୀକ୍ଷେତ୍ର ପୁରୀର ପ୍ରବେଶପଥରୁ ବେଳାଭୂମି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଅଳିଆ ଆବର୍ଜନା ଗଦାହୋଇ ରହିଥିବାରୁ ଏହାକୁ ଲୋକ ଲୋଚନରୁ ଦୂରେଇ ରଖିବାପାଇଁ କପଡା ବାଡ ଦିଆଯାଇଛି । ତେବେ ଆବର୍ଜନାପାଣିର ଗନ୍ଧକୁ କିନ୍ତୁ ଏହି କପଡା ବାଡ ଅଟକାଇ ପାରୁନାହିଁ । ଫଳରେ ଶ୍ରୀକ୍ଷେତ୍ର ପୁରୀରେ ପ୍ରବେଶ କରିବା ସମୟରୁ ଭକ୍ତ ଓ ପର୍ଯ୍ୟଟକମାନଙ୍କୁ ନାକରେ ରୁମାଲ ଦେବାକୁ ପଡୁଛି ।
ଭିଭିଆଇପିମାନେ କାଚବନ୍ଦ ଏସି ଗାଡିରେ ପୁରୀ ଆସୁଥିବାରୁ ସେମାନଙ୍କ ନାକରେ ଦୁର୍ଗନ୍ଧ ବାଜୁନାହିଁ । କିନ୍ତୁ ଯେଉଁମାନେ ଖୋଲା ପବନ ଖାଇବାପାଇଁ କାଚ ଖୋଲାରଖି ଗାଡିରେ ଯାଉଛନ୍ତି ଏବଂ ଦୁଇ ଚକିଆ, ତିନି ଚକିଆ ଓ ସାଧାରଣ ବସରେ ପୁରୀ ଯାତ୍ରା କରୁଛନ୍ତି ଦୁର୍ଗନ୍ଧରେ ସେମାନଙ୍କ ନାକ ଫାଟିପଡୁଛି । ଏ ପ୍ରସଙ୍ଗରେ ସ୍ଥାନୀୟ ସାଂସଦ ଓ ବିଧାୟକମାନେ ଏକ ପ୍ରକାର ହାତଟେକି ଦେଉଛନ୍ତି ବୋଲି ଲୋକେ ଖୋଲା ଅଭିଯୋଗ କରୁଛନ୍ତି ।
ଶ୍ରୀକ୍ଷେତ୍ର ପୁରୀର ପବିତ୍ରତା ରକ୍ଷା କରିବାପାଇଁ ଏହାର ପରିମଳ ଓ ପରିଚ୍ଛନ୍ନତା ଉପରେ ଜିଲ୍ଲା ପ୍ରଶାସନ ଏବଂ ପୌରସଂସ୍ଥା ସର୍ବାଧିକ ଗୁରତ୍ୱଆରୋପ କରିବାକଥା । ରାଜ୍ୟ ପ୍ରଶାସନର ହର୍ତ୍ତାକର୍ତ୍ତାମାନେ ବାରମ୍ବାର ପୁରୀ ଆସୁଥିବାରୁ ସେମାନେ ବି ଏ ପ୍ରସଙ୍ଗରେ ଅନ୍ୟ ସଂସ୍ଥାମାନଙ୍କୁ ଚେତାବନୀ ଦେବା ଆବଶ୍ୟକ । କିନ୍ତୁ ନିର୍ବାଚନ ପୌର ପରିଷଦ ନଥିବାରୁ ସାହି ବସ୍ତିର ଲୋକେ ବାବୁମାନଙ୍କ ନିକଟରେ ଏ ପ୍ରସଙ୍ଗ ଯେତେ ଉଠାଇଲେ ବି ତାହାର ସମାଧାନ ହୋଇପାରୁ ନାହିଁ ।
ରାଜ୍ୟ ସରକାର ତୁରନ୍ତ ଆଇନ୍ ବିଭାଗ, ନଗର ଉନ୍ନୟନ ବିଭାଗ ଏବଂ ରାଜ୍ୟ ନିର୍ବାଚନ କମିଶନଙ୍କ ସହ ଆଲୋଚନା କରି ସମ୍ବଲପୁର ଓ ରାଉରକେଲା ମହାନଗର ନିଗମ ଏବଂ ପୁରୀ ପୌରସଂସ୍ଥାର କିଭଳି ତୁରନ୍ତ ନିର୍ବାଚନ କରାଯାଇ ପାରିବ ସେ ଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି । ପୁରୀରେ ନର୍ଦ୍ଦମା ପାଣି ଠିକଣା ଭାବେ ଖଲାସ କରାଯାଉନଥିବାରୁ ତାହାର ପ୍ରଭାବ ସମୁଦ୍ର ଓ ଚିଲିକା ହ୍ରଦ ଉପରେ ପଡିପାରେ ବୋଲି ମଧ୍ୟ ପରିବେଶପ୍ରେମୀମାନେ ଆଶଙ୍କାବ୍ୟକ୍ତ କରୁଛନ୍ତି (ତଥ୍ୟ)