Home Infrastructure ତାଳଚେର-ବିମଳାଗଡ ରେଳପଥ ସରିବ କେବେ?

ତାଳଚେର-ବିମଳାଗଡ ରେଳପଥ ସରିବ କେବେ?

ଭୁବନେଶ୍ୱର : ତାଳଚେର-ବିମଳାଗଡ ରେଳପଥ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ଥିବା ସମୟରେ ଅଟଳ ବିହାରୀ ବାଜପେୟୀ ୨୦୦୩-୦୪ ବର୍ଷରେ ଘୋଷଣା କରିବା ସହ ଏଥିଲାଗି ମଞ୍ଜୁରୀ ମଧ୍ୟ ମିଳିଥିଲା । ତେବେ ଇତିମଧ୍ୟରେ ପ୍ରାୟ ୧୯ବର୍ଷ ଅତିବାହିତ ହୋଇଥିଲେ ମଧ୍ୟ ଏହି ରେଳପଥ ନିର୍ମାଣ କାର୍ଯ୍ୟ କେବେ ସରିବ ତାହା କେହି ନିର୍ଦ୍ଦିଷ୍ଟ ଭାବେ କହିପାରୁ ନାହାନ୍ତି ।

ପ୍ରାୟ ଦେଢ଼ ଶହ କିଲୋମିଟର ଦୈର୍ଘ୍ୟର ତାଳଚେର-ବିମଳାଗଡ ରେଳପଥ କାର୍ଯ୍ୟକାରୀ ହେଲେ ଭୁବନେଶ୍ୱରରୁ ରାଉରକେଲା ମଧ୍ୟରେ ଦୂରତା ୧୦୦ କିଲୋମିଟରରୁ ଅଧିକ କମିବ । ଏହାଫଳରେ ରେଳଯାତ୍ରା ସମୟ କମିବା ସହିତ ଯାତ୍ରୀମାନଙ୍କୁ ବି ବର୍ତ୍ତମାନ ତୁଳନାରେ ଢ଼େର କମ୍‍ ଭଡା ଦେବାକୁ ପଡିବ । କେବଳ ସେତିକି ନୁହେଁ, ଏହି ରେଳପଥ କାର୍ଯ୍ୟକାରୀ ହେଲେ ରାଉରକେଲା ଇସ୍ପାତ କାରଖାନା ସମେତ ଅନେକ ଛୋଟବଡ କାରଖାନା ଓ ଖଣିଖାଦାନର ସାମଗ୍ରୀ ରପ୍ତାନି ବାବଦ ଖର୍ଚ୍ଚ ମଧ୍ୟ ଢ଼େର କମିବ ଏବଂ ଏଥିରୁ ସରକାର ମଧ୍ୟ ବେଶ୍‍ ଲାଭ ଉଠାଇବେ ।

ତାଳଚେର-ବିମଳାଗଡ ରେଳପଥର ପ୍ରାୟ ୭୯ କିଲୋମିଟର ଅନୁଗୁଳ ଜିଲ୍ଲା ମଧ୍ୟରେ ରହୁଥିବା ବେଳେ ୩୨ କିଲୋମିଟର ଦେବଗଡ ଓ ୩୯ କିଲୋମିଟର ସୁନ୍ଦରଗଡ ଜିଲ୍ଲାରେ ରହିବ । ଏହି ରେଳପଥ ଲାଗି ମୂଳରୁ ପ୍ରାୟ ୨ ହଜାର କୋଟି ଟଙ୍କାର ଅଟକଳ ଥିବାବେଳେ ଏଯାବତ୍‍ ପାଖାପାଖି ଦେଢ଼ ହଜାର କୋଟି ଟଙ୍କା ମଞ୍ଜୁର କରାଯାଇ ସାରିଲାଣି । ତଥାପି ମଧ୍ୟ ଆବଶ୍ୟକ ପରିମାଣର ଜମିଜମା ସଂପୂର୍ଣ୍ଣ ଭାବେ ମିଳିପାରି ନଥିବାରୁ ରେଳପଥ ନିର୍ମାଣ କାର୍ଯ୍ୟ ଅତି ଧିମା ଗତିରେ ଚାଲିଛି ।

ଅଶ୍ୱିନୀ ବୈଷ୍ଣବ କେନ୍ଦ୍ର ରେଳମନ୍ତ୍ରୀ ଦାୟିତ୍ୱ ନେବା ପରେ ତାଳଚେର-ବିମଳାଗଡ ରେଳ ପ୍ରକଳ୍ପ ସଂପର୍କରେ ବାରମ୍ବାର ସମୀକ୍ଷା କରିଛନ୍ତି । ଫଳ ସ୍ୱରୂପ ଏହି ପ୍ରସ୍ତାବିତ ରେଳମାର୍ଗରେ ନିର୍ମିତ ହେବାକୁ ଥିବା ପ୍ରାୟ ୮୪୦ ମିଟର ଦୈର୍ଘ୍ୟ ଟନେଲ ପାଇଁ ଥିବା ସମସ୍ୟା ଦୂର ହୋଇଛି । ସୁନାଖଣି ଓ ସମର ଷ୍ଟେସନ ମଝିରେ ଥିବା ବରୁଆଁ ପାହାଡରେ ଏହି ଟନେଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଇତିମଧ୍ୟରେ ତାଳଚେରଠାରୁ ସୁନାଖଣି ପର୍ଯ୍ୟନ୍ତ ରେଳପଥ ନିର୍ମାଣ ଶେଷ ହୋଇଥିବା ବେଳେ ସୁନାଖଣିଠାରୁ ପରବିଲ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଚଳିତ ଆର୍ଥିକବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା ।

ଏଠାରେ ଉଲ୍ଲେଖନୀୟ ଯେ ତାଳଚେର-ବିମଳାଗଡ ରେଳପଥ ନିର୍ମାଣ ପାଇଁ ପ୍ରାୟ ୫୦ବର୍ଷ ଧରି ଦାବିହୋଇ ଆସୁଛି । ତେବେ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ଚାପ ଯୋଗୁଁ କେନ୍ଦ୍ର ସରକାର ଏହି ରେଳପଥକୁ ମଞ୍ଜୁରୀ ଦେଇଥିଲେ । ଏଥିଲାଗି ୨୦୦୪-୦୫ରୁ ୨୦୧୮-୧୯ ବର୍ଷ ମଧ୍ୟରେ ୮୩୯ କୋଟି ଟଙ୍କା ବ୍ୟବସ୍ଥା କରାଯାଇଥିବା ବେଳେ ୨୦୧୯-୨୦ର ରେଳ ବଜେଟରେ ଦେଢ଼ଶହ କୋଟି ଓ ପରବର୍ଷ ୧୪୦ କୋଟି ଟଙ୍କା ବ୍ୟବସ୍ଥା ହୋଇଥିଲା । ତେବେ ୨୦୨୧-୨୨ ବର୍ଷରେ କେନ୍ଦ୍ର ସରକାର ଏହି ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ ପାଇଁ ମାତ୍ର ୧୦ କୋଟି ଟଙ୍କା ମଞ୍ଜୁର କରିଥିଲେ ।

ଚଳିତ ବଜେଟ୍‍ରେ ଏହି ପ୍ରକଳ୍ପକୁ ୨୫୦ କୋଟି ଟଙ୍କା ମିଳିଛି । ତାଳଚେର-ବିମଳାଗଡ ରେଳପଥର ନିର୍ମାଣ କାର୍ଯ୍ୟ ଉଭୟ ପାଶ୍ୱର୍ରୁ ଏକ ସମୟରେ କରିବା ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ରେଳ ବିଭାଗ କର୍ତ୍ତୃପକ୍ଷ ସମନ୍ୱୟ ରକ୍ଷାକରି ଜମି ଅଧିଗ୍ରହଣ କାର୍ଯ୍ୟକୁ ସୁଗମ କରିପାରିଲେ ୩/୪ ବର୍ଷ ମଧ୍ୟରେ ତାଳଚେର-ବିମଳାଗଡ ରେଳପଥ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିବ ବୋଲି ଆଶା କରାଯାଉଛି । (ତଥ୍ୟ)