Home Election ତଳକୁ ତକଳୁ ଯାଉଛି କଂଗ୍ରେସ

ତଳକୁ ତକଳୁ ଯାଉଛି କଂଗ୍ରେସ

ଭୁବନେଶ୍ୱର : ଓଡ଼ିଶା ବିଧାନସଭା ନିର୍ବାଚନରେ ୧୯୯୫ ପରଠାରୁ କଂଗ୍ରେସର ଆସନ ସଂଖ୍ୟା ଓ ଭୋଟ ହାର କମୁଛି । ୧୯୮୫ରେ ଓଡ଼ିଶା ବିଧାନସଭା ନିର୍ବାଚନରେ କଂଗ୍ରେସ ୫୧ ପ୍ରତିଶତରୁ ଅଧିକ ଭୋଟ ପାଇଥିବା ବେଳେ ଏହା କମି କମି ୨୦୧୯ ବେଳକୁ ୧୬ ପ୍ରତିଶତରେ ପହଞ୍ôଚଛି । ଏଥର ଏହି ହାର ଆହୁରି କମୁଛି ନା ବଢ଼ୁଛି ତାହା ସ୍ପଷ୍ଟ ହୋଇଯିବ ।

୧୯୬୧-୬୨ ପର୍ଯ୍ୟନ୍ତ କଂଗ୍ରେସ ରାଜ୍ୟରେ ଲଗାତାର ଭାବେ ସରକାର ଗଢ଼ୁଥିଲା । ତେବେ ୧୯୬୬ରେ ଦଳର ବିପର୍ଯ୍ୟୟ ଘଟିଲା, ଯାହା ୧୯୭୪ର ନିର୍ବାଚନରେ ଭରଣା କରାଯାଇପାରିଲା । ତେବେ ୧୯୭୭ରେ ଓଡ଼ିଶାରେ କଂଗ୍ରେସ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଥିବା ବେଳେ ୧୯୮୦ରେ ୧୧୮ ଓ ୧୯୮୫ରେ ୧୧୭ଟି ଆସନ ଦଖଲ କରିଥିଲା ।

୧୯୯୦ରେ କିନ୍ତୁ କଂଗ୍ରେସର ଆସନ ସଂଖ୍ୟା ୧୦କୁ ଖସିଆସିବା ସହ ଭୋଟ ପ୍ରତିଶତ ୩୦ ପ୍ରତିଶତକୁ ବି ଖସିଥିଲା । ୧୯୯୫ରେ କିନ୍ତୁ କଂଗ୍ରେସ ଓଡ଼ିଶା ବିଧାନସଭାରେ ୮୦ଟି ଆସନ ଦଖଲ ସହ ୩୯ ପ୍ରତିଶତ ଭୋଟ ପାଇ ସରକାର ଗଢ଼ିଥିଲା । ୧୯୯୫ରୁ ୨୦୦୦ ମଧ୍ୟରେ କଂଗ୍ରେସର ୩ଜଣ ନେତା ମୁଖ୍ୟମନ୍ତ୍ରୀ ହୋଇଥିଲେ ।

୨୦୦୦ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ୨୬ଟି ଆସନ ସହ ପ୍ରାୟ ୩୪ ପ୍ରତିଶତ ଭୋଟ ପାଇଥିବା ବେଳେ ୨୦୦୪ରେ ଏହା ୩୮ଟି ଆସନ ସହ ପ୍ରାୟ ୩୫ ପ୍ରତିଶତ ଭୋଟ ପାଇଥିଲା । ୨୦୦୯ରେ କିନ୍ତୁ କଂଗ୍ରେସର ଆସନ ସଂଖ୍ୟା ଓଡ଼ିଶା ବିଧାନସଭାରେ ୨୭କୁ ହ୍ରାସ ପାଇବା ସହିତ ଭୋଟ ହାର ୨୯ ପ୍ରତିଶତକୁ କମିଥିଲା ।

୨୦୧୪ର ଓଡ଼ିଶା ବିଧାନସଭା ନିର୍ବାଚନରେ ଦେଶର ଏହି ସର୍ବ ପୂରାତନ ଜାତୀୟ ଦଳ ୧୬ଟି ସହ ପାଖାପାଖି ୨୬ ପ୍ରତିଶତ ଭୋଟ ପାଇଥିଲା । ୨୦୦୦ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସ ହାତରେ ବିରୋଧୀ ଦଳ ନେତା ପଦବୀ ରହିଥିଲା । ତେବେ ୨୦୧୯ର ବିଧାନସଭା ନିର୍ବାଚନରେ ଏହି ଦଳ ତୃତୀୟ ସ୍ଥାନକୁ ଖସିଆସିବା ସହ ମାତ୍ର ୯ଟି ଆସନ ପାଇବା ସଂଗେ ସଂଗେ ୧୬ ପ୍ରତିଶତ ଭୋଟ ପାଇ ସନ୍ତୁଷ୍ଟ ରହିଥିଲା ।

୨୦୨୪ର ବିଧାନସଭା ନିର୍ବାଚନ ଓଡ଼ିଶା କଂଗ୍ରେସ ପାଇଁ ଏକ ବଡ଼ ସୁଯୋଗ ଦେଇଥିବା ବେଳେ ବିଭିନ୍ନ କାରଣରୁ ଏହାକୁ ହାତଛଡ଼ା କରିବା ପରିପ୍ରେକ୍ଷୀରେ ଏଥର ଲଢ଼େଇ ମୁଖ୍ୟତଃ ବିଜେଡି ଓ ବିଜେପି ମଧ୍ୟରେ ହେଉଛି । ଅବଶ୍ୟ କେତେକ ସ୍ଥାନରେ କଂଗ୍ରେସ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ଏକ୍‍ଜିଟ୍‍ ପୋଲ୍‍ ତଥ୍ୟ ବିଶ୍ଳେଷଣରୁ ଜଣାପଡୁଛି ।

ଏଥର ଓଡ଼ିଶାରେ ନିର୍ବାଚନ ପ୍ରଚାର ଲାଗି ବିଜେଡିର ମଙ୍ଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାରକା ପ୍ରଚାରକ ଭିକେ ପାଣ୍ଡିଆନ୍‍ ଧରିଥିବା ବେଳେ ବିଜେପି ପାଇଁ ପ୍ରଚାର କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ପ୍ରାୟ ୨୦ଜଣ କେନ୍ଦ୍ରମନ୍ତ୍ରୀ, ବିଭିନ୍ନ ରାଜ୍ୟର ବିଜେପି ମୁଖ୍ୟମନ୍ତ୍ରୀ, ଦଳର କେନ୍ଦ୍ରୀୟ ସଭାପତିଙ୍କ ସମେତ ହେମା ମାଳିନୀ ଓ ଅରୁଣ ଗୋବିଲ୍‍ଙ୍କ ଭଳି ଷ୍ଟାର୍‍ ପ୍ରଚାରକମାନେ ଆସିଥିଲେ ।

କଂଗ୍ରେସର ୪୦ଜଣିଆ ଷ୍ଟାର ପ୍ରଚାରକଙ୍କ ଭିତରୁ କେବଳ ରାହୁଲ ଗାନ୍ଧୀ, ଦଳର କେନ୍ଦ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, କଂଗ୍ରେସର ସଂପାଦକ ସଚିନ ପାଇଲଟ୍‍, ରାଜ୍ୟ ପ୍ରଭାରୀ ଅଜୟ କୁମାର ଆଦିଙ୍କୁ ଦେଖିବାକୁ ମିଳିଥିଲା । ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ଠାରୁ ଆରମ୍ଭ କରି କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅନେକ ପୂର୍ବତନ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ପ୍ରଚାର କରିବାକୁ ଆସିବେ ବୋଲି ବାରମ୍ବାର ଘୋଷଣା କରାଯାଇଥିଲେ ମଧ୍ୟ କେଉଁ କାରଣରୁ ଦଳର ଏହି ଜାତୀୟ ନେତାମାନେ ଓଡ଼ିଶାକୁ ନିର୍ବାଚନ ପ୍ରଚାର ପାଇଁ ଆସିଲେ ନାହିଁ ତାହା ଏ ପର୍ଯ୍ୟନ୍ତ କେହି ସ୍ପଷ୍ଟ କରୁନାହାନ୍ତି । ସାମ୍ବାଦିକ ସମ୍ମିଳନୀ ଓ ସଭାସମିତିରେ ଦଳୀୟ ନେତାମାନେ କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାରକୁ ସମାଲୋଚନା କରୁଥିବା ବେଳେ ରାଜ୍ୟରେ କିନ୍ତୁ କଂଗ୍ରେସ ବିକଳ୍ପ ଶକ୍ତି ଭାବରେ ଉଭା ହୋଇପାରୁ ନଥିବାରୁ ତୃଣମୂଳ ସ୍ତରରେ ଥିବା ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ କମିବାରେ ଲାଗିଛି । (ତଥ୍ୟ)