ଭୁବନେଶ୍ୱର : ତମାଖୁ ସେବନ ହେଉଛି ୧୪ ପ୍ରକାରର କର୍କଟ ଏବଂ ଅନ୍ୟାନ୍ୟ ଗୁରୁତର ସ୍ୱାସ୍ଥ୍ୟ ଜନିତ ସମସ୍ଯାର ଏକ ପ୍ରମୁଖ କାରଣ। ପ୍ରତିବର୍ଷ ବିଶ୍ୱରେ ୮ ନିୟୁତ ଲୋକଙ୍କର ତମାଖୁ ସେବନ ଯୋଗୁଁ ମୃତ୍ୟୁ ଘଟିଥାଏ ଓ ଯେଉଁଥିରେ ପ୍ରାୟ ୧.୨ ନିୟୁତ ଲୋକ ପରୋକ୍ଷ ଧୂମପାନର ସଂସ୍ପର୍ଶରେ ଆସିବାରୁ ମୃତ୍ୟୁବରଣ କରନ୍ତି। ପିଲା ଓ ଯୁବକ ମାନେ ବିଶେଷ ଭାବରେ ସାଙ୍ଗସାଥୀଙ୍କ ଦ୍ଵାରା ପ୍ରଭାବିତ ହୋଇ ତମାଖୁ ସେବନ କରିଥାନ୍ତି ।
ବିଶ୍ଵ ତମାଖୁ ନିଷେଧ ଦିବସ ପାଳନ ଉପଲକ୍ଷେ ପିପୁଲ୍ସ କଲଚରାଲ ସେଣ୍ଟର (ପିକକ୍) ଓ କୋଆଲିସନ ଫର ଟକାକୋ ଫ୍ରୀ ଓଡିଶା ଦ୍ଵାରା ଆୟୋଜିତ “ପିଲା ଓ ଯୁବକମାନଙ୍କୁ ତମାଖୁ ଜନିତ ସ୍ୱାସ୍ଥ୍ୟହାନିରୁ ରକ୍ଷା କରିବା” ଶୀର୍ଷକ ଏକ ୱେବିନାରରେ ବିଶେଷଜ୍ଞମାନେ ତମାଖୁ ସେବନକୁ ମୁକାବିଲା କରିବା ପାଇଁ ମିଳିତ ପ୍ରୟାସର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ବିଶ୍ୱ ତମାଖୁ ନିଷେଧ ଦିବସ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଵେଚ୍ଛାସେବୀ ସଙ୍ଗଠନ, ଯୁବ ପ୍ରତିନିଧି ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏକତ୍ରିତ ହୋଇ ତମାଖୁ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ସମସ୍ଯାକୁ ହ୍ରାସ କରିବାର ବିଭିନ୍ନ ଉପାୟ ଉପରେ ଆଲୋଚନା କରିଥିଲେ।
ପିକକ୍ ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି, ଏହି ୱେବିନାରରେ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ ଏହି ୱେବିନିନାର ଉଦ୍ଦେଶ୍ୟ ହେଉଛି ଶିଶୁ ଏବଂ ଯୁବକମାନଙ୍କୁ ତମାଖୁ ସେବନରୁ ରକ୍ଷା କରିବା ପାଇଁ ବିଭିନ୍ନ ଉପାୟ ଉପରେ ଆଲୋକପାତ କରିବା। ଓଡିଶା ସରକାରଙ୍କର ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ସ୍ୱାସ୍ଥ୍ୟ ସେବା (ଏନସିଡି) ର ଅତିରିକ୍ତ ନିର୍ଦ୍ଦେଶକ ଡକ୍ଟର ସୁଶାନ୍ତ କୁମାର ସ୍ୱାଇଁ କହିଲେ ଯେ ତମାଖୁ କର୍କଟ, ଫୁସଫୁସ ସଂକ୍ରମଣ, ଶିଶୁମାନଙ୍କଠାରେ କମ୍ ଓଜନ, ଆଦି ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବାରେ ସକ୍ଷମ। ସେ ତମାଖୁ କିମ୍ବା ତମାଖୁ ଜନିତ ଦ୍ରବ୍ୟ ବ୍ୟବହାର କରୁଥିବା ଯୁବକମାନଙ୍କୁ ତମାଖୁ ସେବନରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ ।
ଭୁବନେଶ୍ୱରର କିଟ୍ ର ଜନସ୍ୱାସ୍ଥ୍ୟ ବିଭଗର ପ୍ରଫେସର ଡକ୍ଟର ପ୍ରତାପ କୁମାର ଜେନା ପରୋକ୍ଷ ଧୂମପାନର ବିପଦ ବିଷୟରେ ବିଶେଷ ଭାବରେ ଆଲୋଚନା କହିଥିଲେ ଏବଂ ଯୁବପିଢ଼ି ଏବଂ ପିଲାମାନଙ୍କୁ ଏହି କ୍ଷତିକାରକ କାର୍ଯ୍ୟରୁ ଦୂରେଇ ରହିବା ଉଚିତ ବୋଲି କହିଥିଲେ। ବରିଷ୍ଠ ସ୍ତମ୍ଭକାର ଏବଂ ଗାନ୍ଧୀବାଦୀ ପ୍ରହଲାଦ ସିହ୍ନା ଓଡ଼ିଶାକୁ ତମାଖୁ ମୁକ୍ତ କରିବା ପାଇଁ ସମସ୍ତଙ୍କର ଭୂମିକା ବିଷୟରେ ଆଲୋକପାତ କରିଥିଲେ। ସେ ଯୁବ ଗୋଷ୍ଠୀଙ୍କର ଗୁରୁତ୍ତ୍ଵପୂର୍ଣ୍ଣ ଭୂମିକା ଓ ସମାଜରେ ପ୍ରଭାବଶାଳୀ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ତ୍ଵ ଆରୋପ କରିଥିଲେ। ଆଇନର କଡାକଡି ରୂପେ ପାଳନ ଉପରେ ସରକାର ଦ୍ରୁଷ୍ଟି ଦେବା ଉଚିତ ବୋଲି ଶ୍ରୀଯୁକ୍ତ ସିହ୍ନା ନିଜର ମତ ରଖିଥିଲେ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ତମାଖୁ ନିୟନ୍ତ୍ରଣ ପ୍ରକୋଷ୍ଠର ରାଜ୍ୟ ପରାମର୍ଶଦାତା ଡକ୍ଟର ଗିରିଜା ଶଙ୍କର ମିଶ୍ର କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କର ଆରମ୍ଭ କରିଥିବା ତମାଖୁ ମୁକ୍ତ ଶିକ୍ଷା ଅନୁଷ୍ଠାନ ଉପରେ ଆଲୋକପାତ କରିଥିଲେ। ତମାଖୁ ଦ୍ରବ୍ୟର ବହୁଳ ପ୍ରଚାର ଓ ପ୍ରସାର ଓ ବିକ୍ରୟ ସ୍ଥାନରେ ତମାଖୁ ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲଗାଇବା ଓ ତମାଖୁର ଚାହିଦାକୁ କମାଇବା ପାଇଁ ଜନସଚେତନତା ସୃଷ୍ଟି କରିବା ଉଚିତ ବୋଲି ସେ ନିଜର ମତ ରଖିଥିଲେ । ପିକକ୍ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଯୁବପିଢ଼ି ଏବଂ ପିଲାମାନଙ୍କୁ ଶପଥ ପାଠ କରାଇଥିଲେ। ପିକକ୍ ର ପୂଜା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ୱେବିନାରରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ଶତାଧିକ ସ୍ଵେଚ୍ଛାସେବୀ ସଂଗଠନ ଓ ଯୁବପ୍ରତିନିଧି ଅଂଶଗ୍ରହଣ କରିଥିଲେ।