ଭୁବନେଶ୍ୱର : ସମଗ୍ର ବିଶ୍ବରେ ତମାଖୁ ବ୍ୟବହାର ମୃତ୍ୟୁ ର ଅନ୍ୟତମ କାରଣ ବୋଲି ବିବେଚନା କରାଯାଉଛି ଓ ପ୍ରତିବର୍ଷ ୮ ନିୟୁତ ଲୋକ ତମାଖୁ ବ୍ଯବାହାର ଯୋଗୁଁ ମୃତ୍ୟୁ ବରଣ କରିଥାନ୍ତି । ଅଧିକାଂଶ କିଶୋର ୧୮ ବର୍ଷ ପୂର୍ବରୁ ଧୂମପାନ ଆରମ୍ଭ କରିଥାନ୍ତି ଓ ତମାଖୁ ଜନିତ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ଯାର ଶିକାର ହୋଇଥାନ୍ତି ।
ବହୁକ୍ଷେତ୍ରରେ ଯୁବଗୋଷ୍ଠୀ ସେମାନଙ୍କ ପରିବାର ସଦସ୍ୟଙ୍କ ଦ୍ଵାରା ମଧ୍ୟ ପ୍ରଭାବିତ ହୋଇ ଧୂମପାନ କରିଥାନ୍ତି । ତମାଖୁ ବ୍ୟବହାର ପଛରେ ଅନେକ କାରଣ ରହିଛି ଯଥା ମାନସିକ ଚାପ, ସାମାଜିକ ବ୍ୟବସ୍ଥା, ବଜାର ପ୍ରଭାବ, ବିଜ୍ଞାପନ ଏବଂ ତମାଖୁ ସାମଗ୍ରୀର ସହଜ ଉପଲବ୍ଧତା ।
ଯୁବଗୋଷ୍ଟୀଙ୍କୁ ସୁସ୍ଥ ରଖିବା ନିମନ୍ତେ ତମାଖୁ ସେବନର କୁପ୍ରଭାବ ସମ୍ପର୍କରେ ସେମାନଙ୍କୁ ସଚେତନ କରାଇବା, ତମାଖୁ ନିୟନ୍ତ୍ରଣ ନିମନ୍ତେ ଥିବା ଆଇନ ସିଗାରେଟ ଏବଂ ଅନ୍ୟ ତମାଖୁ ସାମଗ୍ରୀ ଆଇନ (କୋଟପା) ବିଷୟରେ ସେମାନଙ୍କୁ ଅବଗତ କରାଇବା, ତମାଖୁ ମୁକ୍ତ ପରିବେଶ ନିମନ୍ତେ ଯୁବଗୋଷ୍ଠୀଙ୍କ ଅଭିଯାନକୁ ମଜଭୁତ କରିବା ତଥା ତମାଖୁ ନିୟନ୍ତ୍ରଣ ନିମନ୍ତେ ବିଭିନ୍ନ ସ୍ତରରେ ଯୁବକ ଯୁବତୀ ମାନଙ୍କୁ ପ୍ରୋତ୍ସାହିତ କରିବା ନିମନ୍ତେ ଯୁବଗୋଷ୍ଠୀ ପାଇଁ ତମାଖୁ ନିୟନ୍ତ୍ରଣ ସଚେତନତା କର୍ମଶାଳା ରାଜ୍ୟର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ପିପୁଲ୍ସ୍ କଲ୍ଚରାଲ୍ ସେଣ୍ଟର (ପିକକ୍) ଦ୍ଵାରା ବାଲିଅନ୍ତା ଠାରେ ଆୟୋଜନ କରାଯାଇଥିଲା ।
ଏଥିରେ ୨୩ ଜଣ ଯୁବ ପ୍ରତିନିଧି ଅଂଶଗ୍ରହଣ କରିଥିଲେ । ପିକକ୍ର ଯୁବ ସଂଯୋଜିକା ଆଲିସ ଓ ପ୍ରକଳ୍ପ ସଂଯୋଜକ ସତ୍ୟଶିବ ତାଲିମ ପ୍ରଦାନ କରିଥିଲେ । ଏହି କର୍ମଶାଳା ଅତିଥି ରୂପେ ଯୁବ ସଂଯୋଜିକା ଆଲିସ ଓ ପ୍ରକଳ୍ପ ସଂଯୋଜକ ସତ୍ୟଶିବ ତାଲିମ ପ୍ରଦାନ କରିଥିଲେ । ଏହି କର୍ମଶାଳାରେ ଅତିଥି ରୂପେ ଯୋଗଦେଇ ପାହାଳ ଥାନା ଅଧିକାରୀ ସୁଚିତ୍ରା ପରିଡା ତମାଖୁ ସେବନର କୁପ୍ରଭାବ ସମ୍ପର୍କରେ ଯୁବଗୋଷ୍ଠିଙ୍କୁ ସଚେତନ କରିଥିଲେ ତଥା ତମାଖୁ ସେବନରୁ ଦୂରେଇ ରହିବାକୁ ଆହ୍ୱାନ ଦେଇଥିଲେ । ପିକକ୍ର ଜ୍ୟୋତିଶଙ୍କର ମହାନ୍ତି, ଉପମା ମହାନ୍ତି, ଅଳ୍ପନା ଦାସ ପ୍ରମୁଖ ଏହି କର୍ମଶାଳାର ପରିଚାଳନା କରିଥିଲେ ।