ଭୁବନେଶ୍ୱର : ଓଡ଼ିଶା ପାଇଁ ବର୍ଷକୁ ପାଖାପାଖି ୧୪ଲକ୍ଷ ମେଟ୍ରିକ ଟନ୍ ଆଳୁ ଦରକାର ହେଉଥିବା ବେଳେ ରାଜ୍ୟରେ ଉତ୍ପାଦିତ ହେଉଛି ପ୍ରାୟ ୩ଲକ୍ଷ ମେଟ୍ରିକ୍ ଟନ୍ ଆଳୁ । ନିଜସ୍ୱ ଚାହିଦା ମେଣ୍ଟାଇବା ପାଇଁ ଓଡ଼ିଶା ଅନ୍ୟ ରାଜ୍ୟରୁ ବର୍ଷକୁ ୧୬୦୦ କୋଟିରୁ ୨୦୦୦ କୋଟି ପର୍ଯ୍ୟନ୍ତ ଟଙ୍କାର ଆଳୁ ଆମଦାନି କରୁଛି । ଅଥଚ ଆଳୁ ଉତ୍ପାଦନ କ୍ଷେତ୍ରରେ ରାଜ୍ୟକୁ ସ୍ୱାବଲମ୍ବୀ କରିବା ପାଇଁ ୧୫ବର୍ଷ ଧରି ଆକର୍ଷଣୀୟ ଘୋଷଣାମାନ କରାଯାଉଥିବା ବେଳେ କ୍ଷେତରେ ନଫଳି ସତେ ଯେମିତି ଆଳୁ ସରକାରୀ ଖାତାରେ ଫଳୁଛି ।
ଓଡ଼ିଶାର ଅବିଭକ୍ତ କୋରାପୁଟ, ଫୁଲବାଣୀ, କଳାହାଣ୍ଡି ଆଦି ଜିଲ୍ଲାରେ ଆଳୁ ଉତ୍ପାଦନ ପାଇଁ ଭରପୂର ସୁଯୋଗ ରହିଛି । ଏହାଛଡ଼ା ଅବିଭକ୍ତ ପୁରୀ, କଟକ, ଗଞ୍ଜାମ, ଅନୁଗୁଳ, ସମ୍ବଲପୁର, ସୁନ୍ଦରଗଡ଼ ଆଦି ଜିଲ୍ଲରେ ଆଳୁ ଉତ୍ପାଦନ ଲାଗି ଅନୁକୂଳ ବାତାବରଣ ଅଛି । ବିଭିନ୍ନ କୃଷକ ସଂଗଠନର ନେତାମାନେ କହୁଛନ୍ତି ଯେ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ପାଖାପାଖି ୬୦୦ ଶୀତଳ ଭଣ୍ଡାରରେ ଆଳୁ ସଂରକ୍ଷଣ ଲାଗି ବ୍ୟବସ୍ଥା ଥିବାବେଳେ ଓଡ଼ିଶାରେ ୫୦ଟି ଶୀତଳ ଭଣ୍ଡାରରେ ବି ଏଭଳି ବ୍ୟବସ୍ଥା ନାହିଁ ।
ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ପଞ୍ଜାବ ଆଦି ଯେଉଁସବୁ ରାଜ୍ୟ ଉପରେ ଓଡ଼ିଶା ଆଳୁ ପାଇଁ ନିର୍ଭରଶୀଳ ସେଠାରେ ବର୍ଷକୁ ବର୍ଷ ଆଳୁ ସଂରକ୍ଷଣ ଲାଗି ଶୀତଳ ଭଣ୍ଡାର ସଂଖ୍ୟା ବଢ଼ୁଛି । ଅଥଚ ଗତ ୨୦ବର୍ଷ ଭିିତରେ ଓଡ଼ିଶାରେ ଶୀତଳ ଭଣ୍ଡାର ସଂଖ୍ୟା କମିବାରେ ଲାଗିଛି । ଏଣୁ ନିଜସ୍ୱ ଉଦ୍ୟମରେ ଆଳୁ ଭଳି ଅର୍ଥକରୀ ଫସଲ ଉତ୍ପାଦନ ଲାଗି ଯେଉଁ ଚାଷୀମାନେ ବର୍ଷବର୍ଷ ଧରି କାମ କରୁଥିଲେ ସେମାନେ ଆଳୁ ଉତ୍ପାଦନ ପରେ ସଂରକ୍ଷଣର ସୁବିଧା ନପାଇ କ୍ୱିଣ୍ଟାଲ ପିଛା ୫୦୦/୭୦୦ ଟଙ୍କାରେ ଯାଚିଗୁଞ୍ଜି ଅନ୍ୟ ରାଜ୍ୟର ବେପାରୀମାନଙ୍କୁ ନିଜ ଉତ୍ପାଦିତ ଆଳୁ ବିକି ବିପୁଳ କ୍ଷତିର ସମ୍ମୁଖୀନ ହେବା ପରେ ଆଉ ଆଳୁ ଚାଷ ପାଇଁ ମନ ବଳାଉନାହାନ୍ତି ।
ଆଳୁ ଉତ୍ପାଦନ ବୃଦ୍ଧି ଲାଗି ରାଜ୍ୟ ସରକାର ଆଳୁ ମିଶନ ଆରମ୍ଭ କରିଥିଲେ ମଧ୍ୟ ଏଥିରେ କୃଷକମାନଙ୍କୁ ପ୍ରୋତ୍ସାହନ ରାଶି ଦେବା ନାମରେ ବିପୁଳ ଅର୍ଥ ହଡ଼ପ କରାଯାଇଥିବା ଅଭିଯୋଗ ବିଭିନ୍ନ କୃଷକ ସଂଗଠନ ବାରମ୍ବାର ଉଠାଇ ଆସିଛନ୍ତି । ଉନ୍ନତ କିସମର ଆଳୁ ବିହନ ଉତ୍ପାଦନ ଲାଗି ଓଡ଼ିଶାରେ ବ୍ୟବସ୍ଥା ନାହିଁ କହିଲେ ଚଳେ । ପୂର୍ବରୁ ଏଠାରେ ନଦୀ ପଠାରେ ଆଳୁ ଉତ୍ପାଦନ ଳାଗି ସଫଳ ଉଦ୍ୟମ ହୋଇଥିଲେ ବି ତାହାକୁ ବନ୍ଦ କରିଦିଆଗଲା । କେବଳ ସେତିକି ନୁହେଁ, କୃଷିର ବିକାଶ କଥା କୁହାଯାଉଥିବା ବେଳେ ଓଡ଼ିଶାରେ ଥିବା ଏକମାତ୍ର କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ଶିକ୍ଷକ ମରୁଡ଼ି ଅତି ଉତ୍କଟ ଅବସ୍ଥାରେ ଥିବାରୁ କୃଷି ଗବେଷଣା କାମ ମଧ୍ୟ ବ୍ୟାହତ ହେଉଛି ।
ଏଭଳି ସ୍ଥିତିରେ ରାଜ୍ୟ ସରକାର ବାସ୍ତବତାକୁ ଉପଲବ୍ଧି କରି ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ନିର୍ମାଣ ସହିତ କେଉଁ ବ୍ଲକର କେଉଁ ଗାଁରେ କେଉଁ ଜମିରେ ଆଳୁ ଓ ଅନ୍ୟ ଅର୍ଥକରୀ ଚାଷ କରାଯାଇପାରିବ ତାହାର ନକ୍ସା ପ୍ରସ୍ତୁତ କରି ଯୋଜନାବଦ୍ଧ ଭାବେ ଉଦ୍ୟମ କଲେ ଆଳୁ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ବଳକା ରାଜ୍ୟରେ ପରିଣତ ହୋଇପାରିବ ବୋଲି କୃଷି ବିଜ୍ଞାନୀମାନେ ମଧ୍ୟ ମତ ଦେଉଛନ୍ତି ।
କୃଷି ବିଜ୍ଞାନୀମାନେ ଗାଁ ଗହଳିକୁ ଯାଇ ଚାଷୀମାନଙ୍କୁ ଆଳୁ ଓ ଅନ୍ୟ ଅର୍ଥକରୀ ଫସଲ ଉତ୍ପାଦନ ସଂକ୍ରାନ୍ତରେ ସଚେତନ କରାଇବା ସହିତ ସେମାନଙ୍କ ଠାରୁ ଜ୍ଞାନ ଆହରଣ କରିବା ଉପରେ ପୁରୁଖା ଚାଷୀମାନେ ଗୁରୁତ୍ୱାରୋପ କରୁଛନ୍ତି । ଏହାଛଡ଼ା କୃଷି ବିଭାଗ, ଉଦ୍ୟାନ କୃଷି ବିଭାଗ, ଯୋଗାଣ, ସମବାୟ ବିଭାଗ, ଜଳସଂପଦ ବିଭାଗ, ଶକ୍ତି ବିଭାଗ ଓ ଅର୍ଥ ବିଭାଗ ଆଦି ସମନ୍ୱୟ ରକ୍ଷାକରି ଆଳୁ ସମେତ ଅନ୍ୟ ଅର୍ଥକରୀ ଫସଲ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ ଦେବା ଲାଗି ଅଗ୍ରଣୀ ଚାଷୀ, କୃଷକ ସଂଗଠନ ଓ ଅବସରପ୍ରାପ୍ତ କୃଷି ବିଜ୍ଞାନୀମାନେ ଖୋଲା ମତବ୍ୟକ୍ତ କରୁଛନ୍ତି । (ତଥ୍ୟ)