Home Administration ତଣ୍ଡ ଗଣୁଛି ଓୟୁଏଟି

ତଣ୍ଡ ଗଣୁଛି ଓୟୁଏଟି

ଭୁବନେଶ୍ୱର : ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) କର୍ତ୍ତୃପକ୍ଷ ଏବେ ନିଜର ଭଙ୍ଗା ଦଦରା କ୍ୱାଟର୍ସ ପାଇଁ ରାଜକୋଷରୁ ବର୍ଷକୁ ହାରାହାରି ୨୦ଲକ୍ଷ ଟଙ୍କାର ତଣ୍ଡ ଗଣୁଛନ୍ତି । ଏହି ଘରଗୁଡିକୁ ମରାମତି କରି କର୍ମଚାରୀମାନଙ୍କୁ ଦିଆଯାଉନଥିବାରୁ ଏଭଳି ଅବସ୍ଥା ଉପୁଜିଛି ।

ଓୟୁଏଟି କର୍ତ୍ତୃପକ୍ଷ ନିଜର କର୍ମଚାରୀଙ୍କ ରହିବାପାଇଁ ବିଭିନ୍ନ ବର୍ଗର ମୋଟ୍‍ ୬୮୦ଟି କ୍ୱାଟର୍ସ ନିର୍ମାଣ କରିଛନ୍ତି । ହେଲେ ଏହାର ମରାମତି ଓ ରକ୍ଷାଣାବେକ୍ଷଣ ଅଭାବରୁ ୬୦ପ୍ରତିଶତ ଖାଲି ପଡିଛି । ଏହିସବୁ ଘରଗୁଡିକରୁ ଲୋକେ କବାଟ, ଝରକା, ଆଜବେଷ୍ଟସ ଆଦି ଚୋରିକରି ନେଇଯାଉଥିବାବେଳେ ନିଶାଡିଙ୍କ ପାଇଁ ସୁରକ୍ଷିତ ସ୍ଥାନ ପାଲଟିଛି । ଦିନ ରାତି ଏହି ଭଙ୍ଗା ଦଦରା ଘରେ ଏବେ ନିଶାଡିମାନେ ପଇଁତରା ମାରୁଛନ୍ତି ।

ତେବେ କ୍ୱାଟର୍ସ ଅକାମୀ ହୋଇଥିଲେ ବି ଓୟୁଏଟି କର୍ତ୍ତୃପକ୍ଷ ଘର ଟିକସ ବାବଦରେ ସରକାରଙ୍କୁ ବାର୍ଷିକ ୧୭ଲକ୍ଷ ଟଙ୍କା ଗଣୁଛନ୍ତି । ସେହିଭଳି ପାଣି ପାଇଁ ମାସକୁ ଏକ ଲକ୍ଷ ୨୦ହଜାର ଟଙ୍କାର ବିଲ୍‍ ପଇଠ ହେଉଛି । ହୋଲଡିଂ ଟିକସ ଓ ପାଣି ବିଲ୍‍ ମିଶି ବର୍ଷକୁ ପ୍ରାୟ ୩୦ଲକ୍ଷ ଟଙ୍କା ପଇଠ ହେଉଥିବାବେଳେ ମାତ୍ର ୪୦ ପ୍ରତିଶତ ଘରେ ରହୁଥିବା କର୍ମଚାରୀମାନଙ୍କ ଠାରୁ ଅର୍ଥ ଆଦାୟ ହେଉଛି ।

ବର୍ଷ ବର୍ଷ ଧରି ଓୟୁଏଟି କର୍ତ୍ତୃପକ୍ଷ ଏଭଳି ତଣ୍ଡ ଗଣୁଥିବାବେଳେ କ୍ୱାଟର୍ସଗୁଡିକୁ ମରାମତି କରିବାପାଇଁ ମନ ବଳାଉ ନାହାନ୍ତି । ଏହା ବି ଅନେକ କର୍ମଚାରୀଙ୍କୁ ସୁହାଇଛି । କ୍ୱାଟର୍ସରେ ନରହି ସେମାନେ ମୋଟା ଆକାରର ଘରଭଡା ମାସକୁ ମାସ ଗଣି ନେଉଛନ୍ତି । କିଛି କର୍ମଚାରୀଙ୍କ କହିବାକଥା ଯେ ରାଜଧାନୀରେ କେନ୍ଦ୍ରସ୍ଥଳରେ ଥିବା କ୍ୱାଟର୍ସରେ ରହିବାପାଇଁ ଆଗ୍ରହ ଥିଲେ ବି ସେଗୁଡିକ ଯେଉଁଭଳି ଅବସ୍ଥାରେ ଅଛି ସେଠାରେ ରହିବା ସମ୍ଭବପର ନୁହେଁ । ବର୍ଷ ବର୍ଷ ଧରି ଏହା ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ ରହିଛି । କର୍ତ୍ତୃପକ୍ଷ ଏହାକୁ ଭାଙ୍ଗି ସେହି ସ୍ଥାନରେ ଫ୍ଲାଟ ନିର୍ମାଣ କରିଦେଲେ କର୍ମଚାରୀଙ୍କୁ ଭଲ ଘର ଯୋଗାଇବା ସହିତ ତଣ୍ଡ ଗଣିବାରୁ ରକ୍ଷାପାଇ ଯାଆନ୍ତେ ।

ଓୟୁଏଟି କର୍ତ୍ତୃପକ୍ଷଙ୍କ ଏଭଳି ଉଦାସୀନା ଯୋଗୁଁ ଏବେ ଅବ୍ୟବହୃତ କ୍ୱାଟର୍ସ ଚାରିପଟେ ବସ୍ତି ଗଢି ଉଠିବା ସହିତ ପ୍ରତିଦିନ ଏହି ଅଞ୍ଚଳରେ ଚୋରି ବଢିବାରେ ଲାଗିଛି । ସରକାରୀ କ୍ୱାଟର୍ସର ସାଜ ସରଞ୍ଜାମରେ ବସ୍ତି ତିଆରି ହେଉଥିବାବେଳେ ଓୟୁଏଟି କର୍ତ୍ତୃପକ୍ଷ ଏହାକୁ ରୋକିବା ବଦଳରେ ମାସକୁ ମାସ ରାଜକୋଷରୁ ଏକ ରକମ ତଣ୍ଡଗଣି ଚାଲିଛନ୍ତି ।