ଭୁବନେଶ୍ୱର : ଚାରିବର୍ଷ ଭିତରେ ଓଡିଶାରେ ଧର୍ତ୍ତବ୍ୟ ଅପରାଧ ମାମଲା ସଂଖ୍ୟା ଢେର ବଢିଛି । ୨୦୨୧ମସିହାରେ ରାଜ୍ୟରେ ୧,୫୫,୪୨୦ ଟି ଧର୍ତ୍ତବ୍ୟ ଅପରାଧିକ ମାମଲା ରୁଜୁ ହୋଇଥିବାବେଳେ ୨୦୨୪ ବର୍ଷରେ ରୁଜୁ ହୋଇଥିବା ଏଭଳି ମାମଲା ସଂଖ୍ୟା ୨,୧୪,୧୧୩କୁ ବୃଦ୍ଧି ପାଇଛି । ଏଥିରୁ ରାଜ୍ୟରେ ବର୍ଷକୁ ବର୍ଷ ଅପରାଧ ବୃଦ୍ଧି ପାଉଥିବା ସ୍ପଷ୍ଟ ହୋଇଯାଇଛି । ୨୦୨୧ ଓ ୨୦୨୪ ବର୍ଷ ପାଇଁ ରାଜ୍ୟ ସରକାର ଜାରି କରିଥିବା ଶ୍ୱେତପତ୍ରରୁ ଏହି ତୁଳାନତ୍ମକ ତଥ୍ୟ ମିଳିଛି ।
ତେବେ ଓଡିଶାରେ ଧର୍ଷଣ ମାମଲା ସଂଖ୍ୟା କମୁଥିବା ଏହି ଶ୍ୱେତପତ୍ରର ବିବରଣୀ କହୁଛି । ୨୦୨୧ରେ ରାଜ୍ୟରେ ୩୩୨୭ଟି ଧର୍ଷଣ ମାମଲା ରୁଜୁ ହୋଇଥିବାବେଳେ ୨୦୨୪ରେ ୩୦୫୪ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ଏଥିରେ ଦର୍ଶାଯାଇଛି । ମୋଟାମୋଟି ଭାବେ ଦିନକୁ ହାରାହାରି ୮ରୁ ୧୦ଟି ବଳାତ୍କାର ମାମଲା ରୁଜୁ ହେଉଛି । ବିଭିନ୍ନ କାରଣରୁ ଏ କିସମର ଅନେକ ମାଲା ରୁଜୁ ହେଉନଥିବାବେଳେ ବାସ୍ତବରେ ବଳାତ୍କାର ସଂଖ୍ୟା ଢେର ଅଧିକ ହେବବୋଲି ବିଭିନ୍ନ ମହିଳା ସଂଗଠନ ଆଶଙ୍କାବ୍ୟକ୍ତ କରୁଛନ୍ତି ।
ସରକାରୀ ବିବରଣୀ ମୁତାବକ ୨୦୨୧ରେ ରାଜ୍ୟରେ ୧୩୯୪ଟି ହତ୍ୟା ମାମଲା ରୁଜୁ ହୋଇଥିବାବେଳେ ୨୦୨୪ରେ ୧୨୫୮ଟି ହତ୍ୟା ମାମଲା ଦରଜ ହୋଇଛି । ଏଥିରୁ ରାଜ୍ୟରେ ହତ୍ୟା ମାମଲା ତୁଳନାତ୍ମକ ଭାବେ କମିଥିବା ଜଣାପଡିଛି । ୨୦୨୧ବର୍ଷରେ ଓଡିଶାରେ ୫୫୨ଟି ଡକାୟତି, ୨୮୨୬ଟି ଲୁଣ୍ଠନ, ୫୧୩୩ଟି ସିନ୍ଧିଚୋରି ଓ ୧୩,୦୨୪ଟି ଚୋରି ମାମଲା ରୁଜୁ ହୋଇଥିବାବେଳେ ୨୦୨୪ରେ ୩୫୬ଟି ଡକାୟତି, ୨୫୮୨ଟି ଲୁଣ୍ଠନ, ୬୪୦୮ଟି ସିନ୍ଧି ଚୋରି ଓ ୧.୮୦୫ଟି ଚୋରି ମାମଲା ରୁଜୁ ହୋଇଛି । ଏଥିରୁ ଓଡିଶାରେ ଚୋରି ମାମଲା ସଂଖ୍ୟା ବଢୁଥିବା ସ୍ପଷ୍ଟ ଜଣାପଡିଛି ।
୨୦୨୧ ବର୍ଷରେ ଓଡିଶାରେ ୫୧୩୮ଟି ପ୍ରତାରଣା ଓ ୨୨୨୦ଟି ଦଙ୍ଗା ମାମଲା ରୁଜୁ ହୋଇଥିବାବେଳେ ୨୦୨୪ ବର୍ଷରେ ରୁଜୁ ହୋଇଥିବା ଏହି କିସମର ମାମଲା ସଂଖ୍ୟା ଥିଲା ଯଥାକ୍ରମେ ୬୩୦୭ ଓ ୧୪୭୧ । ତେବେ ଓଡିଶାରେ ମୋଟରଯାନ ଦୁର୍ଘଟଣା ଓ ଅନ୍ୟ ବିବିଧ ମାମଲା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।
୨୦୨୧ ବର୍ଷରେ ରାଜ୍ୟରେ ୧୦,୯୮୩ ମୋଟରଯାନ ଦୁର୍ଘଟଣା ମାମଲା ରୁଜୁ ହୋଇଥିବାବେଳେ ୨୦୨୪ ବର୍ଷରେ ଏହି କିସମର ୧୨,୩୭୫ଟି ମାମଲା ରୁଜୁ ହୋଇଛି । ସେହିପରି ୨୦୨୧ ବର୍ଷରେ ୧,୧୦,୮୨୩ଟି ବିବିଧ ମାମଲା ରୁଜୁ ହୋଇଥିବାବେଳେ ୨୦୨୪ରେ ଏହି ସଂଖ୍ୟା ୧,୬୨,୪୯୭ ରହିଥିଲା ।
ସେହିପରି ୨୦୨୧ରେ ରୁଜୁ ହୋଇଥିବା ମୋଟ୍ ୧୫୫,୪୨୦ଟି ଧର୍ତ୍ତବ୍ୟ ଅପରାଧ ମାମଲାରୁ ୧,୪୯,୨୩୩ ମାମଲା ସତ୍ୟ ଘଟଣା ଉପରେ ଆଧାରିତ ବୋଲି ଦର୍ଶାଯାଇଥିବାବେଳେ ୨୦୨୪ରେ ରୁଜୁ ହୋଇଥିବା ୨,୧୪,୧୧୩ଟି ଧର୍ତ୍ତବ୍ୟ ଅପରାଧ ମଧ୍ୟରୁ ୨,୦୭,୨୦୪ଟି ସତ୍ୟ ଘଟଣା ଉପରେ ଆଧାରିତ ବୋଲି କୁହାଯାଉଛି । ରାଜ୍ୟରେ ଅପରାଧିକ ମାମଲା ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଦଣ୍ଡବିଧାନ ହାର କିନ୍ତୁ ଅତି ନଗଣ୍ୟ ରହୁଛି । ଭାରତ ସରକାରଙ୍କ ଏନସିଆରବି ରିପୋର୍ଟର ସର୍ବଶେଷ ତଥ୍ୟ ମୁତାବକ ଓଡିଶାରେ ମହିଳାଙ୍କ ପ୍ରତି ଘଟୁଥିବା ଅପରାଧିକ ମାମଲାରୁ ବର୍ଷରେ ୫ପ୍ରତିଶତ ବି ଫଏସଲା ହୋଇପାରୁନଥିବାବେଳେ ଯେତିକି ବି ମାମଲା ଫଏସଲା ହେଉଛି ସେଥିରେ ଦଣ୍ଡବିଧାନ ହାର ୧୦ ପ୍ରତିଶତରୁ କମ୍ ରହୁଛି । ଏହାଛଡା ରାଜ୍ୟରେ ନିଶା କାରବାର ବୃଦ୍ଧି ପାଉଥିବାବେଳେ ହିଂସା ଓ ଅପରାଧ ବଢୁଛି ଏବଂ ନିଶା ଜନିତ ମାମଲାରେ ମଧ୍ୟ ଦଣ୍ଡବିଧାନ ହାର ଉତ୍ସାହପ୍ରଦ ନୁହେଁ ବୋଲି କୁହାଯାଉଛି । (ତଥ୍ୟ)