Home Agriculture ଡ୍ରୋନ ଦ୍ୱାରା ଔଷଧ ସିଞ୍ଚନ ପରୀକ୍ଷଣ

ଡ୍ରୋନ ଦ୍ୱାରା ଔଷଧ ସିଞ୍ଚନ ପରୀକ୍ଷଣ

ଡେଲାଙ୍ଗ : ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ସ୍ଥିତ ସର୍ବଭାରତୀୟ ଉନ୍ନତି କୃଷି ଯନ୍ତ୍ରପାତି ଗବେଷଣା ପ୍ରକଳ୍ପ ତରଫରୁ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ବେରବୋଇ ଗ୍ରାମରେ ଧାନ ଫସଲରେ ଔଷଧ ସିଞ୍ଚନ ପାଇଁ ଡ୍ରୋନର ପରୀକ୍ଷଣ ଅନୁଷ୍ଠିତ ହୋଇଯାଇଛି ।

ଏହି ଅଞ୍ଚଳର ଆଗଧାଡିର ଚାଷୀ ମନୋରଞ୍ଜନ ସିଂହଙ୍କ ପ୍ରାୟ ୫ଏକର ଧାନ ବିଲରେ କୀଟନାଶକ ଓ ନାନୋ ୟୁରିଆର ମିଶ୍ରଣକୁ ଡ୍ରୋନ ସାହାଯ୍ୟରେ ସିଞ୍ଚନ କରାଯାଇଥିଲା । କୃଷି ଯନ୍ତ୍ରପାତି ଗବେଷଣା ପ୍ରକଳ୍ପର ମୁଖ୍ୟ ବୈଜ୍ଞାନିକ ଡକ୍ଟର ପଦ୍ମଲୋଚନ ପ୍ରଧାନ ପରୀକ୍ଷଣ ସମୟରେ ଉପସ୍ଥିତ ଥଲେ ।

ଏହି ଅବସରରେ ଡକ୍ଟର ପ୍ରଧାନ ଚାଷୀମାନଙ୍କୁ ବୁଝାଇବାକୁ ଯାଇ କହିଥିଲେ ଯେ ଚାଷୀମାନେ ବ୍ୟବହାର କରୁଥିବା ଔଷଧ ସିଞ୍ଚନ ଯନ୍ତ୍ର ସାହାଯ୍ୟରେ ମାତ୍ର ଏକ ରୁ ଦେଢ ଏକର ଜମିରେ ଔଷଧ ପକାଇ ପାରୁଥିବାବେଳେ ଡ୍ରୋନ ସାହାଯ୍ୟରେ ମାତ୍ର ୭ ମିନିଟ୍‍ରେ ଏକ ଏକର ଜମିରେ ଔଷଧ ସିଞ୍ଚନ କରାଯାଇ ପାରିବ ।

କୀଟନାଶକ ଔଷଧ ବ୍ୟତିତ ଅନ୍ୟାନ୍ୟ ତରଳ ଅଣୁସାର ମଧ୍ୟ ଡ୍ରୋନ ଦ୍ୱାରା ବିଭିନ୍ନ ଫସଲରେ ପ୍ରୟୋଗ କରାଯାଇ ପାରିବ ବୋଲି ଡକ୍ଟର ପ୍ରଧାନ ସୂଚନା ଦେଇଥିଲେ । ଓୟୁଏଟିର ପିଏଚ୍‍ଡି ଛାତ୍ରୀ ଇପ୍ସିତା ରଥ ଓ ଟେକ୍ସିସିଆନ ଶ୍ରୀକାନ୍ତ କୁମାର ପ୍ରଧାନ ପରୀକ୍ଷଣରେ ସହଯୋଗ କରିଥିଲେ ।