ଭୁବନେଶ୍ୱର : ରାଜଧାନୀରେ ଡ୍ରେନେଜ ସଫେଇ ଓ ନିର୍ମାଣ କାମ ଅଧାପନ୍ତରିଆ ଭାବେ ପଡିଥିବାରୁ ଅସରାଏ ବର୍ଷା ହେଲେ ଅନେକ ଅଞ୍ଚଳରେ ନାହିଁ ନଥିବା ସମସ୍ୟା ଉପୁଜୁଛି । ବର୍ଷାଦିନ ପୂର୍ବରୁ ସବୁ ଡ୍ରେନଗୁଡିକର ସଫେଇ ଓ ମରାମତି କାମ ସରିବାକଥା । କିନ୍ତୁ ଏଯାବତ୍ ତାହା ପୂର୍ଣ୍ଣାଙ୍ଗ ହୋଇନଥିବାରୁ ପ୍ରାକ୍ ମୌସୁମୀ ବର୍ଷାରେ ସ୍ଥିତି ବେହାଲ ହେଉଛି ।
ମୁକୁଳା ଡ୍ରେନରେ ପଡି ଗତ କିଛିବର୍ଷ ମଧ୍ୟରେ ରାଜଧାନୀରେ ଅନେକ ଛାତ୍ରଙ୍କ ସମେତ ସାଧାରଣ ଲୋକ ମୃତାହତ ହୋଇଛନ୍ତି । ଡ୍ରେନରେ ଖସି କଟକରେ ବି କଲେଜ ଛାତ୍ରୀ ମରିବାର ଉଦାହରଣ ରହିଛି । ଏହା ସତ୍ୱେ ବର୍ଷ ବର୍ଷ ଧରି ସବୁ ମୁକୁଳା ଡ୍ରେନ ଉପରେ ଢାଙ୍କୁଣି ପକାଯାଇ ପାରିନାହିଁ । ଭୁବନେଶ୍ୱର ଲୋକସଭା ସଦସ୍ୟ ଅପରାଜିତା ଷଡଙ୍ଗୀଙ୍କ ପଳାସପଲ୍ଲୀ ସ୍ଥିତ କାର୍ଯ୍ୟାଳୟ ଠାରୁ ପ୍ରାୟ ୨ଶହ ମିଟର ଦୂରରେ ଫ୍ଲାଇଓଭର ନିକଟରେ ରହିଥିବା ମୁକୁଳା ଡ୍ରେନରେ ବାରମ୍ବାର ଦୁର୍ଘଟଣା ଘଟୁଛି । ଏହାର ନିରାକରଣ ହେଉନାହିଁ ।
ସେହଭଳି ଡ୍ରେନେଜ ଓ ସ୍ୱରେଜ ସଫା କରୁଥିବା ଗଙ୍ଗୁଆନାଳରୁ ଜବରଦଖଲ ହଟାଇ ଏହାକୁ ପ୍ରଶସ୍ତ ନିରାପଦ କରିବାପାଇଁ ବର୍ଷ ବର୍ଷ ଧରି ବିବୃତ୍ତିବାଜି ଚାଲିଥିଲେ ବି କ୍ଷେତ୍ରରେ କିନ୍ତୁ କାମ ଆଗେଇଥିବାଭଳି ମନେ ହେଉନାହିଁ । କେବଳ ସେତିକି ନୁହେଁ, ଦୟା, ଗଙ୍ଗୁଆ, କୁଆଖାଇ ଆଦିକୁ ପ୍ରଦୂଷଣମୁକ୍ତ କରିବାଲାଗି ରାଜ୍ୟ ସରକାର ଓ ବିଏମସି ସମେତ ବିଭିନ୍ନ ସଂସ୍ଥା ବାରମ୍ବାର କହି ଆସୁଛନ୍ତି । କିନ୍ତୁ ଏଗୁଡିକ ପ୍ରଦୂଷଣମୁକ୍ତ ହେବା ପରିବର୍ତ୍ତେ ଦିନକୁ ଦିନ ଅଧିକ ପ୍ରଦୂଷିତ ହେଉଛନ୍ତି ।
ସ୍ୱରେଜ ଓ ଡ୍ରେନେଜ ସମସ୍ୟା ଯୋଗୁଁ ରାଜଧାନୀରେ ମଶାବଂଶ ବୃଦ୍ଧି ପାଇବା ସହିତ ବିଭିନ୍ନ କିସମର ରୋଗବ୍ୟାଧି ବଢୁଛି । ଏହା ସତ୍ୱେ ବି ସମସ୍ୟା ଯେଉଁ ତିମିରେକୁ ସେଇ ତିମିରେ । ଅନେକ ସ୍ଥାନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାହାଡ ଉପରେ ଶହ ଶହ ବାସଗୃହ ନିର୍ମାଣ କରାଯାଇଛି । ଏଗୁଡିକରୁ ବର୍ଷାଦିନେ ଯେଉଁ ବାଟଦେଇ ପାଣି ଆସୁଛି ତାହା ପାହାଡତଳି ଅଞ୍ଚଳରେ ଥିବା ଜନବସତି ପାଇଁ ବିପଦ ସୃଷ୍ଟି କରୁଛି । ଅନେକ ଅଞ୍ଚଳରେ ଡ୍ରେନେଜ ସଫେଇ ଠିକଣାଭାବେ ହୋଇନଥିବାରୁ ଅସରାଏ ବର୍ଷାରେ ନର୍ଦ୍ଦମା ପାଣି ଲୋକଙ୍କ ଘରେ ପଶୁଛି । ଖୋଦ ରାଜଧାନୀରେ ଏଭଳି ଦୁରବସ୍ଥା ଲାଗି ରହିଥିବାବେଳେ ରାଜ୍ୟର ଅନ୍ୟ ପୌରାଞ୍ଚଳରେ ସମସ୍ୟା କିଭଳି ଉତ୍କଟତର ହୋଇଥିବ ତାହା ସହଜରେ ଅନୁମେୟ ।
ରାଜଧାନୀର ଅନେକ ୱାର୍ଡରେ ଲୋକେ ପୂତ୍ତିଗନ୍ଧମୟ ପରିବେଶରେ ରହୁଛନ୍ତି । ପରିସ୍ଥିତି ସୁଧାରିବା ପରିବର୍ତ୍ତେ ଡ୍ରେନରୁ ଗନ୍ଧ ଆସିବା ସ୍ୱାଭାବିକ ବୋଲି କର୍ତ୍ତୃପକ୍ଷ ହାଲୁକା ମନ୍ତବ୍ୟ ଦେଇ ସ୍ଥାନୀୟ ବାସିନ୍ଦାଙ୍କ ରୋଷର ଶିକାର ହେଉଛନ୍ତି । ଡ୍ରେନ ସଫେଇ ପାଇଁ ବିପୁଳ ଅର୍ଥ ବ୍ୟବସ୍ଥା ଥିବାବେଳେ ବର୍ଷାଦିନ ପୂର୍ବରୁ କାହିଁକି ସଫେଇ କାମ ସରୁନାହିଁ ବୋଲି ଅନେକ କର୍ପୋରେଟର ମଧ୍ୟ ଖୋଲା ପ୍ରଶ୍ନ କରୁଛନ୍ତି । ଡ୍ରେନ ସମସ୍ୟାର ସମାଧାନ ହୋଇପାରୁନଥିବାବେଳେ ରାଜଧାନୀର ବିଭିନ୍ନ ଅଞ୍ଚଳରେ ସଂଗୃହିତ ଅଳିଆଗଦା ସମସ୍ୟାକୁ ଉତ୍କଟତର କରୁଛି । ସୈନିକସ୍କୁଲ ପଛରୁ ଓ ଅନ୍ଧାରୁଆ ଅଞ୍ଚଳରୁ ଡମ୍ପିଂୟାର୍ଡ ହଟାଇବାପାଇଁ ବିଜେପି ବିରୋଧିଦଳରେ ଥିବାବେଳେ ଆନ୍ଦୋଳନ କରୁଥିଲା । ଏବେ ରାଜ୍ୟରେ ବିଜେପି ସରକାର ପ୍ରତିଷ୍ଠାର ବର୍ଷେ ପୂରିବାକୁ ବସିଥିବାବେଳେ ସୈନିକସ୍କୁଲ ପଛରୁ ଅଳିଆଗଦା ହଟାଇବା ପରିବର୍ତ୍ତେ ସୈନିକସ୍କୁଲକୁ ହଟାଇବାପାଇଁ ଯେଉଁ ଉଦ୍ୟମ ଚାଲିଛି ତାହାକୁ ଦଳମତ ନିର୍ବିଶେଷରେ ବିଭିନ୍ନ ମହଲରୁ ବିରୋଧ ହେଉଛି । ରାଜଧାନୀକୁ ସର୍ବାଙ୍ଗ ସୁନ୍ଦର କରିବା ଲାଗି ବର୍ଜ୍ୟବସ୍ତୁର ଠିକଣା ପରିଚାଳନା ସହିତ ନାଳ ନର୍ଦ୍ଦମାଗୁଡିକର ଯତ୍ନ ଏବଂ ଏହାର ଜଳକୁ ବିଶୋଧିତ କରି ଜଳସେଚତନ କାର୍ଯ୍ୟରେ ବିନିଯୁକ୍ତ କରିବା ସଂଗେ ସଂଗେ ଦୟା, ଗଙ୍ଗୁଆ, କୁଆଖାଇ ଆଦିକୁ ପ୍ରଦୂଷଣମୁକ୍ତ କରିବାଲାଗି ପରିବେଶବିତ୍ମାନେ ଦାବି କରୁଛନ୍ତି । (ତଥ୍ୟ)