Home News in Odia ଡ୍ରେନରେ ପଶିବ ପଙ୍କ

ଡ୍ରେନରେ ପଶିବ ପଙ୍କ

ଭୁବନେଶ୍ୱର : ଓଡିଶାରେ ମୌସୁମୀ ପ୍ରବେଶ କରିଥିବାବେଳେ ଖୋଦ ରାଜଧାନୀରେ ଏବେ ରାସ୍ତାଘାଟ ଓ ନାଳ ସଫେଇକାମ ଲୋକଙ୍କ ପାଇଁ ସମସ୍ୟା ଭାବେ ଉଭା ହୋଇଛି । ଡ୍ରେନରୁ ବାହାରୁଥିବା ପଙ୍କ ଓ ରାସ୍ତାରୁ ଉଠୁଥିବା ବାଲିକୁ ବିଭିନ୍ନ ସ୍ଥାନରେ ଗଦାକରି ରଖାଯିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଏହା ପୂତ୍ତିଗନ୍ଧମୟ ଅବସ୍ଥା ସୃଷ୍ଟି କରୁଛି ।

ବିଭିନ୍ନ ସ୍ତରରୁ ସମାଲୋଚନାର ଶିକାର ହେବାପରେ ପୌର କର୍ତ୍ତୃପକ୍ଷ ରାଜଧାନୀର ନାଳ ନର୍ଦ୍ଦମା ସଫା କରିବାରେ ଲାଗିଛନ୍ତି । ତେବେ ଆଗୁଆ ମୌସୁମୀ ଆସିବାର ସୂଚନା ପାଇ ମଧ୍ୟ ବିଭିନ୍ନ ସ୍ଥାନରେ ଠିକାଦାରମାନେ ନାଳ ନର୍ଦ୍ଦମା ସଫାକାର୍ଯ୍ୟ ଜାରି ରଖିଛନ୍ତି । ହେଲେ ନାଳରୁ ବାହାରୁଥିବା ମଇଳାକୁ ତତ୍କାଳ ଉଠାଇନେବା ବଦଳରେ ତାହାକୁ ଗଦାକରି ରଖୁଥିବା ଲକ୍ଷ୍ୟ କରାଯାଉଛି ।

ରାଜଧାନୀରେ ଏବେ ବର୍ଷା ଜାରି ରହିଥିବାରୁ ଯେଉଁସବୁ ସ୍ଥାନରେ ରାସ୍ତାଉପରେ ମାଟି ଓ ପଙ୍କ ଗଦା ହୋଇଥିଲା ତାହା ଧିରେ ଧିରେ ପୁଣି ଡ୍ରେନରେ ପଶିବା ଆରମ୍ଭ କରିଛି । ଗୋଦରାର ସାରୁ କିଆରି କୋଡିବା ଭଳି ଅବସ୍ଥା । ବ୍ୟାପକ ଅର୍ଥ ବ୍ୟୟରେ ଯେଉଁସବୁ ଅଳିଆ ଉଠିଥିଲା ତାହାକୁ କର୍ତ୍ତୃପକ୍ଷ ପୁଣିଥରେ ଉଠାଇବେ । ସେହିଭଳି ବିଭିନ୍ନ ସ୍ଥାନରେ ଲୋକଙ୍କ ଘର ଆଗରେ ଦିନ ଦିନ ଧରି ମାଟି, ବାଲି ଗଦାଇ ରଖିବା ଯୋଗୁଁ ଲୋକେ ମଧ୍ୟ ଯାତାୟତରେ ଅସୁବିଧା ଭୋଗୁଛନ୍ତି ।

ସାଧାରଣ ଲୋକେ ଘର ତିଆରି ପାଇଁ ଇଟା, ଗୋଡି, ବାଲି ଆଦି ଘର ସାମ୍ନାରେ ରଖିଲେ ବିଏମ୍‍ସିର ଏନଫୋର୍ସମେଣ୍ଟ ଗାଡି ତୁରନ୍ତ ସେଠାରେ ପହଞ୍ଚି ନାଲିଆଖି ଦେଖାଇବା ସହିତ ଫାଇନ୍‍ କାଟୁଛନ୍ତି । ହେଲେ ରାସ୍ତା ଓ ନାଳ ସଫା କରୁଥିବା ଠିକାଦାରମାନେ ସପ୍ତାହ ବ୍ୟାପି ଆବର୍ଜନାକୁ ଲୋକଙ୍କ ଘର ଆଗରେ ଗଦାକରି ରଖୁଥିବାବେଳେ ଏନଫୋର୍ସମେଣ୍ଟ ସ୍କ୍ୱାଡ୍‍ କିଭଳି ଏହାକୁ ଦେଖିପାରୁ ନାହିଁ ତାହାକୁ ନେଇ ଏବେ ଅନେକ ପ୍ରଶ୍ନ କରୁଛନ୍ତି ।

ପ୍ରତିବର୍ଷ ମୌସୁମୀ ଆଗମନର ଢେର ପୂର୍ବରୁ ସହରାଞ୍ଚଳରେ ଜଳବନ୍ଦୀ ସମସ୍ୟାର ମୁକାବିଲା ପାଇଁ କର୍ତ୍ତୃପକ୍ଷ ନାଳ ନର୍ଦ୍ଦମା ଆଦିକୁ ସଫାକରିଥାନ୍ତି । ହେଲେ ଚଳିତବର୍ଷ ସେଥିରେ ବ୍ୟତିକ୍ରମ ଦେଖାଦେଇଛି । ମୌସୁମୀ ପ୍ରବେଶ କରିଥିଲେ ମଧ୍ୟ ସଫେଇ କାର୍ଯ୍ୟ ପୂରା ଦମ୍‍ରେ ଆରମ୍ଭ ହୋଇପାରି ନାହିଁ । ଆଗକୁ ବି ଆଉ ସଫା କରିବାର ସେଭଳି ସୁଯୋଗ ନାହିଁ । ଯେଉଁସବୁ ସ୍ଥାନରେ ନାଳଗୁଡିକ ସଫା ହୋଇଥିଲା ସେଠାରେ ବାହାରିଥିବା ଆବର୍ଜନା ପୁଣି ନାଳ ଭିତରେ ପଶିବା ଆରମ୍ଭ କରିଛି ।

କର୍ତ୍ତୃପକ୍ଷ ଏବେ ସହରର ଛୋଟ ଛୋଟ ନାଳକୁ ସଫା କରୁଥିବାବେଳେ ଜଳ ନିଷ୍କାସନ ପାଇଁ ଥିବା ୧୧ଟି ବଡ ବଡ ନାଳ କେବେ ସଫାହେବ ତାହାକୁ ନେଇ ଆଶଙ୍କା ପରିଲକ୍ଷିତ ହୋଇଛି । କାରଣ ବର୍ତ୍ତମାନ ରାଜଧାନୀରେ ଯେଭଳି କେତେକ ସ୍ଥାନରେ ହଠାତ୍‍ ବାଦଲଫଟା ବର୍ଷା ହେଉଛି ଯଦି ସେଭଳି ଅବସ୍ଥା ଲାଗିରୁହେ ତେବେ ଜଳବନ୍ଦୀରେ ରାଜଧାନୀବାସୀ ପଡିବା ଏକ ପ୍ରକାର ନିଶ୍ଚିତ ।

ତେଣୁ ଯେଉଁସବୁ ସ୍ଥାନରେ ଠିକାଦାରମାନେ ରାସ୍ତାଉପରେ ନାଳ ନର୍ଦ୍ଦମାର ଆବର୍ଜନା ଗଦାଇ ରଖିଛନ୍ତି ତାହାକୁ ତୁରନ୍ତ ଉଠାଇବାପାଇଁ ପଦକ୍ଷେପ ନିଅନ୍ତୁ । ବିଏମ୍‍ସି କର୍ତ୍ତୃପକ୍ଷ ତୁରନ୍ତ ସ୍ଥାନୀୟ ୱାର୍ଡ ଅଫିସର ଓ ସାନିଟାରୀ ଇନ୍ସପେକ୍ଟରଙ୍କ ଜରିଆରେ ଏ ଦିଗରେ ପଦକ୍ଷେପ ନେବାକୁ ମତପ୍ରକାଶ ପାଉଛି । (ତଥ୍ୟ)