ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୋଟରଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ଯୋଜନାକୁ ଅନୁମୋଦନ କରିଛନ୍ତି। ଏହି ଯୋଜନାକୁ କାର୍ଯ୍ୟକାରୀ କରିବାପାଇଁ ଗଠନହେବାକୁଥିବା କଲ୍ୟାଣବୋର୍ଡ ପ୍ରସ୍ତାବକୁ ମଧ୍ୟ ମୁଖ୍ୟମନ୍ତ୍ରୀ ସ୍ୱୀକୃତି ପ୍ରଦାନ କରିଛନ୍ତି। ମୋଟରଯାନ ଡ୍ରାଇଭର ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେରଖି ଏହି କଲ୍ୟାଣଯୋଜନା କାର୍ଯ୍ୟାକାରୀ କରାଯାଉଛି। ଏହି ଯୋଜନା କାର୍ଯ୍ୟକାରୀ କରିବାପାଇଁ ରାଜ୍ୟସରକାରଙ୍କ ତରଫରୁ ବୋର୍ଡକୁ ପ୍ରାରମ୍ଭିକଭାବେ ଅନୁଦାନ ପ୍ରଦାନ କରାଯିବ।
ପରବର୍ତ୍ତୀ ସମୟରେ, ବୋର୍ଡ, ପଞ୍ଜୀକରଣ ଶୁଳ୍କ ସଂଗ୍ରହ, ଯାନ ମାଲିକଙ୍କ ଅବଦାନ ଏବଂ ଅନ୍ୟାନ୍ୟ ଉତ୍ସରୁ ପାଣ୍ଠି ସଂଗ୍ରହ କରି ଏହି ଯୋଜନାକୁପରିଚାଳନା କରିବେ ।
ପ୍ରାରମ୍ଭରେ ପରିବହନ ଡ୍ରାଇଭର ଓ ଅନ୍ୟାନ୍ୟ କର୍ମଚାରୀଙ୍କ ପାଇଁ ନିମ୍ନଲିଖିତ ସୁବିଧାର ପ୍ରାବଧାନ କରାଯାଇଛି । ମୃତ୍ୟୁ କ୍ଷେତ୍ରରେ,ମୃତ ଡ୍ରାଇଭର/ କର୍ମଚାରୀଙ୍କ ମନୋନୀତ ବ୍ୟକ୍ତିଙ୍କୁ ୪ ଲକ୍ଷ ଟଙ୍କା (୪,୦୦,୦୦୦/-) ପ୍ରଦାନ କରାଯିବ। ଅତି ଗଭୀର ଆଘାତ କ୍ଷେତ୍ରରେ ୮୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯିବ ।
ସ୍ଥାୟୀ ଅକ୍ଷମତା ମାମଲାରେ ମୋଟର ପରିବହନ ଡ୍ରାଇଭର କିମ୍ବା କର୍ମଚାରୀଙ୍କୁ ୧ଲକ୍ଷ ପଚାଶ ହଜାର ଟଙ୍କା(୧,୫୦,୦୦୦/ -) ପ୍ରଦାନ କରାଯିବ । ସାଧାରଣ ମୃତ୍ୟୁ ମାମଲାରେ ମନୋନୀତ ବ୍ୟକ୍ତିଙ୍କୁ ୨ ଲକ୍ଷ ଟଙ୍କା (୨,୦୦,୦୦୦/-) ପ୍ରଦାନ କରାଯିବ ।
ଏହା ବ୍ୟତୀତ, ସେମାନେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମଧୁ ବାବୁ ପେନସନ୍ ଯୋଜନା ଆଦିରେ ସେମାନଙ୍କୁ ଯୋଗ୍ୟତା ଅନୁଯାୟୀ ଅନ୍ତର୍ଭୁକ୍ତ କରାଯିବ ।
ଏହି ଯୋଜନା କର୍ଯ୍ୟକାରୀ ହେବାଦ୍ୱାରା ୫ ଲକ୍ଷରୁ ଉର୍ଦ୍ଧ୍ୱ ମୋଟର ଯାନ ଡ୍ରାଇଭର ଓ କର୍ମଚାରୀ ଉପକୃତ ହେବେ। ଏଥି ନିମନ୍ତେ ଗଠିତ ହେବାକୁ ଥିବା କଲ୍ୟାଣ ବୋର୍ଡରେ ସରକାରୀ ସଦସ୍ୟଙ୍କ ସହିତ ମୋଟର ପରିବହନ ଡ୍ରାଇଭର / କର୍ମଚାରୀ ମାନଙ୍କର ପ୍ରତିନିଧି ମଧ୍ୟ ସଦସ୍ୟ ରହିବେ। ବୋର୍ଡର କ୍ଷମତା ଏବଂ କାର୍ଯ୍ୟଗୁଡିକ ଏହି ଯୋଜନାରେ ବୟାନ କରାଯାଇଛି ।