Home Education ଡ୍ରପ୍‍ଆଉଟ୍‍ ସମସ୍ୟା ଉଦବେଗଜନକ

ଡ୍ରପ୍‍ଆଉଟ୍‍ ସମସ୍ୟା ଉଦବେଗଜନକ

ଭୁବନେଶ୍ୱର : ‘ସଭିଏଁ ପଢ଼ିବେ-ସଭିଏଁ ବଢ଼ିବେ’ ନାରା ଦେଇ ୫ରୁ ୧୪ବର୍ଷ ବୟସ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ବିଦ୍ୟାଳୟରେ ପାଠ ପଢ଼ାଇବା ଲାଗି ସରକାର ବିଭିନ୍ନ ଯୋଜନା ପ୍ରଚଳନ କରୁଥିବାବେଳେ ଅଧାରୁ ପାଠ ଛାଡୁଥିବା ସମସ୍ୟାର କିନ୍ତୁ ପୂର୍ଣ୍ଣ ସମାଧାନ ହୋଇପାରୁ ନାହିଁ । ରାଜ୍ୟର କେତେକ ଜିଲ୍ଲାରେ ୨୦ରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମେଟ୍ରିକ ପରୀକ୍ଷା ଦେବା ପୂର୍ବରୁ ପାଠପଢ଼ାରେ ଡୋରି ବାନ୍ଧୁଛନ୍ତି । ପାଠପଢ଼ା ଛାଡୁଥିବା ପିଲାଙ୍କ ଭିତରେ ଝିଅମାନଙ୍କ ସଂଖ୍ୟା ବି ଢେର ଅଧିକ ରହୁଛି ।

ସରକାରୀ ହିସାବ ମୁତାବକ ୨୦୨୧-୨୨ ବର୍ଷରେ ନବମ, ଦଶମ ଶ୍ରେଣୀରେ ୧୬ ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀ ପାଠପଢ଼ା ଛାଡ଼ିଥିଲେ । ସେହିଭଳି ୨୦୨୨-୨୩ ବର୍ଷରେ ଏମାନଙ୍କ ହାର ପାଖାପାଖି ୧୮ ପ୍ରତିଶତ ରହିଥିଲା । ୨୦୨୩-୨୪ ବର୍ଷରେ କିନ୍ତୁ ୧୨.୮ ପ୍ରତିଶତ ପିଲା ଅଧାରୁ ପାଠପଢ଼ା ଛାଡ଼ିଥିବାବେଳେ ୨୦୨୪-୨୫ ବର୍ଷରେ ଏହି ହାର ୧୫ ପ୍ରତିଶତ ରହିଛି ।

ଅନୁଗୁଳ ଜିଲ୍ଲାରେ ୨୦୨୪-୨୫ ବର୍ଷରେ ନବମ ଓ ଦଶମ ଶ୍ରେଣୀ ସ୍ତରରେ ୨୦ ପ୍ରତିଶତ ପିଲା ପାଠପଢ଼ା ଛାଡ଼ିଥିବାବେଳେ ଏହି ହାର ଭଦ୍ରକ ଜିଲ୍ଲାରେ ୨୧.୯, ବୌଦ୍ଧ ଜିଲ୍ଲାରେ ୨୩.୮, ଗଜପତିରେ ୨୧ ପ୍ରତିଶତ ଥିଲା । ସେହିପରି ଝାରସୁଗଡ଼ା ଜିଲ୍ଲାରେ ମେଟ୍ରିକ ସ୍ତରରେ ଡ୍ରପ୍‍ଆଉଟ୍‍ ହାର ଉକ୍ତ ବର୍ଷରେ ୨୦.୨ ପ୍ରତିଶତ ଥିବାବେଳେ କେନ୍ଦୁଝରରେ୨୨, କୋରାପୁଟରେ ୨୧.୫, ମାଲକାନଗିରିରେ ୨୧.୩, ନବରଙ୍ଗପୁରେ ୨୯.୭, ନୂଆପଡ଼ାରେ ୨୩.୨ ଓ ରାୟଗଡ଼ାରେ ୨୦.୨ ପ୍ରତିଶତ ଥିଲା । ଏହି ସରକାରୀ ପରିସଂଖ୍ୟାନରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି ଯେ ଏବେ ବି ଓଡ଼ିଶାରେ ବହୁ ଛାତ୍ରଛାତ୍ରୀ ଅଧରୁ ପାଠ ଛାଡୁଛନ୍ତି ।

ସମ୍ବିଧାନରେ ୧୪ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କୁ ପାଠ ପଢ଼ାଇବା ବ୍ୟବସ୍ଥା ଥିବାବେଳେ ଶିକ୍ଷା ଅଧିକାର ଆଇନ୍‍ରେ ଏହାକୁ ସୁନିଶ୍ଚିତ କରାଯାଇଛି । ଏଥିଲାଗି ପିଲାଟିଏ ପ୍ରାଥମିକ ବିଦ୍ୟାଳୟରେ ଭର୍ତ୍ତି ହେବା ପୂର୍ବରୁ ଅଙ୍ଗନବାଡ଼ି କେନ୍ଦ୍ରରେ ତାହାର ପୋଷଣ ଦିଗରେ ଧ୍ୟାନ ଦିଆଯାଏ । ପ୍ରଥମର ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ମାଗଣାରେ ମଧ୍ୟାହ୍ନ ଭୋଜନ, ପାଠ୍ୟ ଉପକରଣ ଓ ପୋଷାକ ଆଦି ଯୋଗାଯିବାର ବ୍ୟବସ୍ଥା ରହିଛି । ଏହାଛଡ଼ା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗଗୁଡ଼ିକ ମାଧ୍ୟମରେ ବହୁ ସଂଖ୍ୟକ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇ ସେଠାରେ ବି ପିଲାମାନଙ୍କ ଲାଗି ଷ୍ଟାଇପେଣ୍ଡର ବ୍ୟବସ୍ଥା କରି ପାଠ ପଢ଼ାଯାଉଛି ।

ସରକାରଙ୍କ ସମସ୍ତ ଯୋଜନା ସତ୍ତ୍ୱେ ଅଧାରୁ ପାଠ ଛାଡ଼ିବା ସମସ୍ୟା ଲାଗି ରହିଛି । ଯେଉଁମାନେ ପାଠ ଛାଡ଼ିଦେଉଛନ୍ତି ସେମାନଙ୍କୁ ପୁଣି କିଭଳି ବିଦ୍ୟାଳୟକୁ ଫେରାଇ ଅଣାଯାଇପାରିବ ସେ ଦିଗରେ ବି ସରକାରୀ କାର୍ଯ୍ୟକ୍ରମମାନ ଚାଲୁଛି । ଏହା ସତ୍ତ୍ୱେ ହଜାର ହଜାର ଛାତ୍ରଛାତ୍ରୀ ମେଟ୍ରିକ ପରୀକ୍ଷା ଦେଉନାହାନ୍ତି । ଏହାର ମୁଖ୍ୟ କାରଣ ହେଉଛି ନବମ ଓ ଦଶମ ସ୍ତରରେ ଡ୍ରପ୍‍ଆଉଟ୍‍ ହାର ଅଧିକ ରହୁଛି । ଆଗରୁ ଡ୍ରପ୍‍ଆଉଟ୍‍ କ୍ଷେତ୍ରରେ ଝିଅମାନଙ୍କ ସଂଖ୍ୟା ଅଧିକ ରହୁଥିବାବେଳେ ଏବେ କିନ୍ତୁ ଏ ସ୍ଥଳରେ ବାଳକମାନଙ୍କ ସଂଖ୍ୟା ଅଧିକ ରହୁଥିବା ସରକାର ସ୍ୱୀକାର କରୁଛନ୍ତି । ‘ବେଟି ପଢ଼ାଅ- ବେଟି ବଢ଼ାଅ’ ଯୋଜନା ଚାଲିବା ପରେ ଝିଅମାନଙ୍କ କ୍ଷେତ୍ରରେ ଡ୍ରପ୍‍ଆଉଟ୍‍ ହାର କମିବା ଶୁଭ ସଂକେତ ବୋଲି କୁହାଯାଉଛି । ତେବେ ଅନେକ ଅବସରପ୍ରାପ୍ତ ଶିକ୍ଷକ କହୁଛନ୍ତି ଯେ ଅନେକ ବ୍ୟକ୍ତି ପରିବାର ସହ ଦାଦନ ଖଟିବା ପାଇଁ ଭିଟାମାଟି ଛାଡ଼ି ପଳାଉଥିବାରୁ ଏହି ସମସ୍ୟା ଲାଗି ରହୁଛି । (ତଥ୍ୟ)