Home Health ଡେଙ୍ଗୁ ବଢାଇଛି ଘରୋଇ ସଂସ୍ଥାର ବେପାର

ଡେଙ୍ଗୁ ବଢାଇଛି ଘରୋଇ ସଂସ୍ଥାର ବେପାର

ଭୁବନେଶ୍ୱର : ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ସରକାରୀ ଭାବେ ଶହେ ଟପିଥିବାବେଳେ ବେସରକାରୀ ଭାବେ ଏହା ବହୁଗୁଣିତ । ତେବେ ଡେଙ୍ଗୁର ଏହି କାୟାବିସ୍ତାର ଏବେ ଘରୋଇ ନିଦାନ କେନ୍ଦ୍ର ପାଇଁ ଆର୍ଶୀବାଦ ହୋଇଛି ।

ସରକାରୀ ଭାବେ ରାଜଧାନୀରୁ ଯେତିକି ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ବାସ୍ତବ ସଂଖ୍ୟା କିନ୍ତୁ ତାହାର ୪/୫ଗୁଣା ଅଧିକ । କାରଣ ଯେଉଁମାନେ କେବଳ କ୍ୟାପିଟାଲ ହସ୍ପିଟାଲ, ଏମ୍‍ସ ଓ ଆରଏମଆରସିରେ ନିଜର ରକ୍ତ ପରୀକ୍ଷା କରି ଡେଙ୍ଗୁ ଚିହ୍ନଟ ହେଉଛନ୍ତି ସେମାନଙ୍କ ନାଁ ସରକାରୀ ତାଲିକାରେ ରହୁଛି । ଯେଉଁମାନେ ଘରୋଇ ନିଦାନ କେନ୍ଦ୍ରରେ ରକ୍ତ ପରୀକ୍ଷାକରି ଡେଙ୍ଗୁ ଚିହ୍ନଟ ହେଉଛନ୍ତି ସେମାନଙ୍କ ସଂଖ୍ୟା ଢେର ଅଧିକ ଥିଲେ ବି ସରକାରୀ ଭାବେ ତାହା ଦର୍ଶାଯାଉନାହିଁ ।

ତେବେ ଘରୋଇ ନିଦାନ କେନ୍ଦ୍ରରେ ଏବେ ଡେଙ୍ଗୁ ପରୀକ୍ଷାପାଇଁ ୩୦୦ ରୁ ୫୦୦ ଟଙ୍କା ନିଆଯାଉଥିଲେ ବି ଲୋକେ ବାଧ୍ୟ ହୋଇ ସେଠାକୁ ଯାଉଛନ୍ତି । ଏହାର କାରଣ ହେଲା କ୍ୟାପିଟାଲ ହସ୍ପିଟାଲ ଓ ଏମ୍‍ସରେ ଲମ୍ବାଧାଡିର ଯନ୍ତ୍ରଣା । ଡେଙ୍ଗୁ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଅତି କମ୍‍ରେ ୩/୪ ଟି ସ୍ଥାନରେ ଲମ୍ବା ଧାଡିରେ ଛିଡା ହେବା ଅପେକ୍ଷା ଘରୋଇ କ୍ଲିନିକ ମୁହାଁ ହେଉଛନ୍ତି ଲୋକେ ।

ସେହିଭଳି ଡେଙ୍ଗୁ ଆକ୍ରାନ୍ତମାନଙ୍କର ପାଟ୍‍ଲେଟ୍‍ ସ୍ତର ଜାଣିବାପାଇଁ ପ୍ରତିଦିନ କିମ୍ବା ଦିନେ ଛାଡି ଦିନେ ରକ୍ତ ପରୀକ୍ଷା ଆବଶ୍ୟକ ହେଉଥିବାବେଳେ ଲୋକେ କ୍ୟାପିଟାଲ ହସ୍ପିଟାଲରେ ଭିଡରେ ଛିଡା ହେବା ଅପେକ୍ଷା ଘରୋଇ ନିଦାନ କେନ୍ଦ୍ରକୁ ଯାଉଛନ୍ତି । ପାଟଲେଟ୍‍ ସ୍ତର ପାଇଁ ହେଉଥିବା ପରୀକ୍ଷା ଲାଗି ନିଦାନ କେନ୍ଦ୍ରଗୁଡିକ ୧୦୦ ରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ନେଉଛନ୍ତି । ତେବେ ଏହି ପରୀକ୍ଷା ରିପୋର୍ଟ କେତେ ସଠିକ୍‍ ତାହା ଜାଣିବାର ଅବକାଶ କାହାର ନାହିଁ ।

ରାଜଧାନୀରେ ଏବେ ହୁ ହୁ ହୋଇ ଡେଙ୍ଗୁ ରୋଗୀ ବଢୁଥିବାବେଳେ କ୍ୟାପିଟାଲ ହସ୍ପିଟାଲରେ କିନ୍ତୁ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ । ଗତବର୍ଷ ଡେଙ୍ଗୁ ବ୍ୟାପିବା ସମୟରେ ୟୁନିସେଫ୍‍ ପକ୍ଷରୁ ଆକ୍ରାନ୍ତଙ୍କର ମତାମତ ଲୋଡାଯାଇଥିଲା । ଅନେକ ଆକ୍ରାନ୍ତ ଡେଙ୍ଗୁରୋଗୀଙ୍କ ରକ୍ତ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲ ସମେତ ଅନ୍ୟାନ୍ୟ ହସ୍ପିଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ମତ ଦେଇଥିଲେ । ହେଲେ ୟୁନିସେଫ୍‍ କିମ୍ବା ସ୍ୱାସ୍ଥ୍ୟ ବିଭାଗ ଏ ଦିଗରେ କୌଣସି ପଦକ୍ଷେପ ନନେବାରୁ ଏବେ ଲୋକେ ଘରୋଇ ନିଦାନ କେନ୍ଦ୍ର ମୁହାଁ ହେଉଥିବାବେଳେ ସେମାନେ ମନଇଚ୍ଛା ଫି ଆଦାୟ ସହିତ ବହୁ କ୍ଷେତ୍ରରେ ଡେଙ୍ଗୁ ଆକ୍ରାନ୍ତମାନଙ୍କୁ ଘରୋଇ ଡାକ୍ତରଖାନାକୁ ପଠାଇ ଦେଉଛନ୍ତି । (ତଥ୍ୟ)