ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଆଇଏସ୍ ସ୍ତରରେ ଅଦଳ ବଦଳ କରିଛନ୍ତି । ୧୯୯୩ ବ୍ୟାଚ ଆଇଏଏସ ଅଫିସର ଦେଓ ରଂଜନ ସିଂହ ହେଲେ ଉନ୍ନୟନ କମିଶନର। ୧୯୯୧ ବ୍ୟାଚ ଆଇଏଏସ ଅଫିସର ସତ୍ୟବ୍ରତ ସାହୁଙ୍କୁ ରାଜ୍ୟ ସରକାର ରାଜସ୍ବ ପର୍ସଦ ସଦସ୍ୟ ଭାବେ ବଦଳି କରିଛନ୍ତି ।
ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଥିଲେ ସତ୍ୟବ୍ରତ ସାହୁ। ସେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ଦାୟିତ୍ବରେ ଥିଲେ। ତାଙ୍କୁ ରାଜସ୍ବ ପର୍ସଦ ସଦସ୍ୟ ଭାବେ ବଦଳି କରାଯାଇଛି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ ସିଂହଙ୍କୁ ଉନ୍ନୟନ କମିଶନର ଭାବେ ବଦଳି କରାଯାଇଛି। ତେବେ ସେ ପୂର୍ବ ପରି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ବରେ ରହିବେ।
ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମାଙ୍କୁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସେ ପୂର୍ବ ପରି ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ଇପିକଲର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବରେ ରହିବେ।
ମହିଳା ଓ ଶିଶୁ କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଶୁଭା ଶର୍ମାଙ୍କୁ ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ବରେ ଅବସ୍ଥାପିତ କରାଯାଇଛି। ଅବକାରୀ ବିଭାଗର ପ୍ରମୁଖ ସଚିବ ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି।
ସମବାୟ ବିଭାଗର ସଚିବ ରାଜେଶ ପ୍ରଭାକର ପାଟିଲଙ୍କୁ ସ୍ବତନ୍ତ୍ର ରିଲିଫ କମିଶନର ଓ ଓସଡମାର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ମଧୁମିତା ରଥଙ୍କୁ ନୟାଗଡ ଜିଲ୍ଲାପାଳ ଭାବେ ବଦଳି କରାଯାଇଥିବା ବେଳେ ନୟାଗଡ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରଓ୍ବାଲଙ୍କୁ ଗଜପତି ଜିଲ୍ଲାପାଳ ଭାବେ ବଦଳି କରାଯାଇଛି।

