ଭୁବନେଶ୍ୱର : ସ୍ୱଚ୍ଛତା ବଜାୟ ରଖିବା ପାଇଁ ୫-ଟି ପଦକ୍ଷେପ ର ଏକ ଅଂଶ ଭାବରେ ଅର୍ଥ ବିଭାଗ ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମ ଅଧୀନରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ମାଧ୍ୟମରେ ୧୮,୭୦୮ କୋଟି ଟଙ୍କା ସୁରୁଖୁରୁରେ ବିତରଣ କରିବାରେ ସହାୟକ ହୋଇଛି ।
ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ ଦେବ ଡିବିଟି କାର୍ଯ୍ୟର ସମୀକ୍ଷା କରିବା ପରେ ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ ନଭେମ୍ବର ସୁଦ୍ଧା ୬.୮୪ କୋଟି କାରବାର ମାଧ୍ୟମରେ ହିତାଧିକାରୀଙ୍କୁ ଏହି ରାଶି ବଣ୍ଟନ କରାଯାଇଥିବା ଜଣାପଡ଼ିଛି ।
କେନ୍ଦ୍ରୀୟ ଯୋଜନା ସମେତ ୨୫ଟି କାର୍ଯ୍ୟକ୍ରମ ଓ ୬୧ଟି ଯୋଜନା ମାଧ୍ୟମରେ ହିତାଧିକାରୀଙ୍କୁ ଏହି ପାଣ୍ଠି ହସ୍ତାନ୍ତର କରାଯାଇଛି । ୨୦୨୨-୨୩ ଆର୍ଥିକ ବର୍ଷରେ ଡିବିଟି ମାଧ୍ୟମରେ ମୋଟ ୨୫,୯୦୩ କୋଟି ଟଙ୍କା ହସ୍ତାନ୍ତର ହୋଇଥିବା ବେଳେ ୨୦୨୧-୨୨ରେ ୨୦,୦୯୬ କୋଟି ଟଙ୍କା ପ୍ରଦାନ କରାଯାଇଛି । ଚଳିତ ବର୍ଷ ମନରେଗା ଯୋଜନା ଅଧୀନରେ ଡିବିଟି ମାଧ୍ୟମରେ ୩,୪୬,୧,୩୦୧ ହିତାଧିକାରୀଙ୍କୁ ସର୍ବାଧିକ ୫,୦୭୫ କୋଟି ଟଙ୍କାର ପାଣ୍ଠି ପ୍ରଦାନ କରାଯାଇଥିବା ବେଳେ ଗ୍ରାମୀଣ ଆବାସ ଯୋଜନାରେ ୨,୭୪,୬,୭୫୪ ହିତାଧିକାରୀଙ୍କୁ ୫,୧୮୧ କୋଟି ଟଙ୍କାର ଡିବିଟି ପ୍ରଦାନ କରାଯାଇଛି ।
ସେହିପରି ଧାନ କିଣାରେ ୧,୬୬,୦,୦୭୯ ଜଣ ଚାଷୀଙ୍କ ଆକାଉଣ୍ଟକୁ ୨୮୦୯ କୋଟି ଟଙ୍କା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) ଅଧୀନରେ ୧୯୮୯ କୋଟି ଟଙ୍କା, କାଳିଆ ଯୋଜନାରେ ୧୭୮୬ କୋଟି ଟଙ୍କା, କେନ୍ଦୁପତ୍ର କାର୍ଯ୍ୟକ୍ରମରେ ୨୧୮ କୋଟି ଟଙ୍କା ଏବଂ କୃଷି ଯାନ୍ତ୍ରିକୀକରଣ ସବସିଡି ଅଧୀନରେ ୧୯୭ କୋଟି ଟଙ୍କା ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଛି ।
ଅନୁସୂଚିତ ଜାତି, ଜନଜାତି ଛାତ୍ରବୃତ୍ତି ଯୋଜନାରେ ୨୮୫ କୋଟି ଟଙ୍କା, ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (ଏନଏସଏପି) ଅଧୀନରେ ୪୨୮ କୋଟି ଟଙ୍କା, ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନ୍ଏଚ୍ଏମ୍) ଅଧୀନରେ ୧୯୯ କୋଟି ଟଙ୍କା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ) ସହରାଞ୍ଚଳ ଅଧୀନରେ ୧୭୯ କୋଟି ଟଙ୍କା କେନ୍ଦ୍ର ସରକାର ଛାତ୍ରଛାତ୍ରୀଙ୍କୁ ହସ୍ତାନ୍ତର କରିଛନ୍ତି ।
ବିଜୁ ଯୁବ ସଶକ୍ତୀକରଣ ଯୋଜନା (୫୧ କୋଟି), ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା (୩୯ କୋଟି), ଉଚ୍ଚଶିକ୍ଷା ବିଭାଗ ଛାତ୍ରବୃତ୍ତି (୨୦ କୋଟି), ଇନପୁଟ୍ ସବସିଡି (୨୫ କୋଟି), ମହିଳା ଓ ଶିଶୁ ବିକାଶ (୧୩୯ କୋଟି), ମତ୍ସ୍ୟ ବିକାଶ ରାଜ୍ୟ ଯୋଜନା (୨୩ କୋଟି), ପଶୁ ସମ୍ବଳ ବିକାଶ ରାଜ୍ୟ ଯୋଜନା (୪୪ କୋଟି), ସ୍ୱଚ୍ଛ ଭାରତ ମିଶନ (୯ କୋଟି) ଏବଂ ଡିଏୱାଇ-ଏନୟୁଏଲଏମ (୩ କୋଟି) ।
ସୂଚନା/ପାଣ୍ଠିର ସରଳ ଏବଂ ଦ୍ରୁତ ପ୍ରବାହ ପାଇଁ କଲ୍ୟାଣକାରୀ ଯୋଜନାରେ ପ୍ରଚଳିତ ପ୍ରକ୍ରିୟାକୁ ପୁନଃ କାର୍ଯ୍ୟକ୍ଷମ କରି ଏବଂ ହିତାଧିକାରୀଙ୍କ ସଠିକ ଚିହ୍ନଟ, ନକଲିକରଣ ଏବଂ ଠକେଇ ହ୍ରାସ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ୨୦୧୩ ଜାନୁଆରୀ ୧ ତାରିଖରେ ଦେଶରେ ସରକାରୀ ବିତରଣ ବ୍ୟବସ୍ଥାରେ ସଂସ୍କାର ଆଣିବା ଉଦ୍ଦେଶ୍ୟରେ ଡିବିଟି ଆରମ୍ଭ କରାଯାଇଥିଲା ।
ଡିବିଟିର ପ୍ରଥମ ପର୍ଯ୍ୟାୟ ୪୩ଟି ଜିଲ୍ଲାରେ ଆରମ୍ଭ ହୋଇଥିବା ବେଳେ ପରେ ବୃତ୍ତି, ମହିଳା, ଶିଶୁ ଓ ଶ୍ରମ କଲ୍ୟାଣ ସମ୍ବନ୍ଧୀୟ ୨୭ଟି ଯୋଜନାରେ ଆଉ ୭୮ଟି ଜିଲ୍ଲାକୁ ସାମିଲ କରାଯାଇଥିଲା । ଡିସେମ୍ବର ୧୨, ୨୦୧୪ରେ ସାରା ଦେଶରେ ଡିବିଟିକୁ ଆହୁରି ସମ୍ପ୍ରସାରଣ କରାଯାଇଥିଲା । ଡିବିଟିର ଲାଭ ଦୁର୍ନୀତି ରୋକିବା, ବାଟମାରଣା ହ୍ରାସ କରିବା ଏବଂ ଏହାର ସୀମା ବୃଦ୍ଧିର ପ୍ରଭାବ ଉପରେ ଧ୍ୟାନ କେନ୍ଦ୍ରିତ କରିଛି । (ତଥ୍ୟ)