Home General ଡିଜିପିଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଓ ସତ୍ୟାଗ୍ରହ

ଡିଜିପିଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଓ ସତ୍ୟାଗ୍ରହ

କଟକ : ନବନିର୍ମାଣ କୃଷକ ସଂଗଠନର ନେତୃତ୍ବମାନଙ୍କ ଉପରେ ମିଛ ମନଗଢ଼ା ମାମଲା ଦାୟର କରି ଗଣତାନ୍ତ୍ରିକ ଆନ୍ଦୋଳନକୁ ପୁଲିସ ସହାୟତାରେ ଦବାଇ ଦେବାର ହୀନ ଚକ୍ରାନ୍ତ ଓ ସମ୍ବିଧାନର ହତ୍ୟା କହିଲେ ଅତ୍ୟୁକ୍ତି ହେବନାହିଁ।

ମାର୍ଚ୍ଚ ୩୦ରେ କେନ୍ଦୁଝର ଘଟଗାଁରୁ ଆରମ୍ଭ ହୋଇଥିବା ପଦଯାତ୍ରାକୁ କଟକର ଫୁଲନଖରା ଠାରେ ହିଂସା ଓ ଦଙ୍ଗା କେଶ୍ ଲଗାଇ ସଂଗଠନର ପ୍ରତିଷ୍ଠାତା ଅକ୍ଷୟ କୁମାରଙ୍କ ସମେତ ୧୩ଜଣଙ୍କୁ ୧୪ ଦିନ ଜେଲରେ ପୁରାଇବା ହେଉ, ବା ନୟାଗଡ଼ରେ ଜାନୁୟାରୀ ୨୨ ତାରିଖରେ ଚାଷୀ ରାଲି ହେଉଥିବା ବେଳେ ସଂଗଠନର ପ୍ରତିଷ୍ଠାତା ଓ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର, ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଓ ନବନିର୍ମାଣ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ମନଓ୍ବର ଅଲ୍ଲୀଙ୍କ ଉପରେ ଆର୍ମସ୍ ଆକ୍ଟ ଲଗାଇବା ହେଉ।

ସୋନପୁରରେ ମାର୍ଚ୍ଚ ୧୯ ତାରିଖରେ ନବନିର୍ମାଣ ସଂଗଠନର ଜିଲ୍ଲା ସଂଯୋଜକ ପ୍ରଦ୍ୟୁମ୍ନ ପାଢ଼ୀଙ୍କ ଉପରେ ଡକାୟତି ଓ ଆର୍ମସ୍ ଆକ୍ଟ ଲଗାଇ ୧୪ଦିନ ଜେଲକୁ ପଠାଗଲା। ମେ ୧୯ ତାରିଖରେ ଜଗତସିଂହପୁରର ସଂଗଠନର ରାଜ୍ୟ ସହସଂଯୋଜକ ରଶ୍ମିରଂଜନ ସ୍ବାଇଁଙ୍କ ଉପରେ ଜାତିଆଣା ଓ ହିଂସାର ଛିଟା ଲଗାଗଲା। ଏ ସମସ୍ତ କେବଳ ପୋଲିସର ମନଗଢ଼ା କପୋଳକଳ୍ପିତ କାହାଣୀ ସହିତ ଗଣତନ୍ତ୍ର ଓ ସମ୍ବିଧାନର ହତ୍ୟା ବୋଲି ନବନିର୍ମାଣ କୃଷକ ସଂଗଠନର ପ୍ରତିଷ୍ଠାତା ଓ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଅଭିଯୋଗ କରିଛନ୍ତି।

ଗଣତାନ୍ତ୍ରିକ ଓ ସାମ୍ବିଧାନିକ ମୂଲ୍ୟକୁ ବଞ୍ଚାଇବା ପାଇଁ ପୋଲିସର ଏଭଳି ଅମାନୁଷିକ ଅତ୍ୟାଚାରର ପ୍ରତିବାଦରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡ଼ିଶାର ପୋଲିସ୍ ମୁଖ୍ୟାଳୟସ୍ଥିତ ପୋଲିସ ଡିଜି ଅଫିସ୍ ସାମ୍ନାରେ ଗଣଧାରଣା ଓ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ଜିଲ୍ଲାରୁ ଶତାଧିକ କର୍ମକର୍ତ୍ତାମାନେ ଏକାଠି ହୋଇଥିଲେ। ଚାଷୀ ନେତାଙ୍କ ଉପରେ ଲାଗିଥିବା ମିଛ କେସ୍ ଗୁଡ଼ିକୁ ତୁରନ୍ତ ପ୍ରତ୍ୟାହାର ଦାବି କରି ସ୍ମାରକପତ୍ର ଦିଆଯାଇଥିଲା।