ଭୁବନେଶ୍ୱର : ରାଜ୍ୟର ୧୫ରୁ ୨୪ବର୍ଷ ବୟସର ଯୁବକ ଯୁବତୀଙ୍କ ମଧ୍ୟରୁ ୧୫ ପ୍ରତିଶତ ବି କମ୍ପ୍ୟୁଟରରେ ଫାଇଲ୍ଟିଏ ପଠାଇବା ଜାଣି ନାହାନ୍ତି । ସେହିଭଳି କମ୍ପ୍ୟୁଟରରେ ଥିବା ଲେଖାକୁ ଫାଇଲ କିମ୍ବା ଫୋଲ୍ଡରରେ ରଖିବା କ୍ଷେତ୍ରରେ ବି ୫୦ ପ୍ରତିଶତରୁ ଅଧିକ ଯୁବକ ଯୁବତୀ ଅଜ୍ଞ ।
ଦେଶର ଯୁବକ ଯୁବତୀମାନଙ୍କ କମ୍ପ୍ୟୁଟର ଜ୍ଞାନ ସଂକ୍ରାନ୍ତରେ କେନ୍ଦ୍ର ଇଲେକଟ୍ରୋନିକ୍ସ ଓ ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ରାଜ୍ୟସଭାରେ ଦେଇଥିବା ସୂଚନାରୁ ଏହା ଜଣାପଡିଛି । କମ୍ପ୍ୟୁଟରରେ ଫାଇଲ ଓ ଫୋଲଡରଟିଏ ତିଆରି କରି ସେଥିରେ ଡାଟା ରଖିବା ୧୫ରୁ ୨୪ବର୍ଷ ଯୁବକ ଯୁବତୀଙ୍କ ମଧ୍ୟରୁ ମାତ୍ର ୪୩.୧ ପ୍ରତିଶତ ଜାଣିଛନ୍ତି । ୧୫ରୁ ୨୯ବର୍ଷ ବୟସର ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି ହାର ୪୧.୭ ପ୍ରତିଶତ ରହିଛି । ତେବେ ଗାଁ ଗହଳର ଲୋକଙ୍କ ଅପେକ୍ଷା ସହରାଞ୍ଚଳର ଲୋକେ ଏ କ୍ଷେତ୍ରରେ ଢେର ଆଗରେ ଅଛନ୍ତି ।
ଏହି ସୂଚନା ଅନୁଯାୟୀ ଓଡିଶାର ୧୫ରୁ ୨୪ ବର୍ଷ ବୟସର ଯୁବବର୍ଗଙ୍କ ମଧ୍ୟରୁ ୩୪.୧ ପ୍ରତିଶତ କମ୍ପ୍ୟୁଟରରେ ଫାଇଲ ଓ ଫୋଲଡର ପ୍ରସ୍ତୁତି ଜାଣିଥିବାବେଳେ ୩୨.୮ ପ୍ରତିଶତ ଡାଟାର କପି ପେଷ୍ଟ ଜାଣିଛନ୍ତି । ସେହିଭଳି ୨୦.୬ ପ୍ରତିଶତ ଇ-ମେଲ ଜରିଆରେ ତଥ୍ୟ ଫଟୋ ଆଦି ପଠାଇବା ଜାଣିଥିବାବେଳେ ୬.୧ ପ୍ରତିଶତ ନୂତନ କମ୍ପ୍ୟୁଟର ସଂଯୋଗ ଶିଖିଛନ୍ତି ।
କମ୍ପ୍ୟୁଟରରେ ସଫ୍ଟୱେର ଡାଉନଲୋଡ, ଇନଷ୍ଟଲ, କନଫିଗର ଆଦି ସଂକ୍ରାନ୍ତରେ ୧୭.୫ ପ୍ରତିଶତ ଅବଗତ ରହିଛନ୍ତି । ତେବେ ବିଭିନ୍ନ ସଭା ସମିତିରେ କମ୍ପ୍ୟୁଟର ମାଧ୍ୟମରେ ଦର୍ଶାଯାଉଥିବା ତଥ୍ୟ ଫଟୋ, ଭିଡିଓ ଆଦି ସଂକ୍ରାନ୍ତରେ ମାତ୍ର ୪ ପ୍ରତିଶତ ଜାଣିଛନ୍ତି । ଗୋଟିଏ କମ୍ପ୍ୟୁଟରରୁ ଫାଇଲ୍ଗୁଡିକ ଅନ୍ୟ ଏକ କମ୍ପ୍ୟୁଟରକୁ ପଠାଇବା ସଂକ୍ରାନ୍ତରେ ୧୪.୬ ପ୍ରତିଶତ ଜାଣିଥିବାବେଳେ କମ୍ପ୍ୟୁଟରରେ କୌଣସି ପ୍ରୋଗ୍ରାମ ଲେଖିବା ସଂକ୍ରାନ୍ତରେ ମାତ୍ର ୧.୧ ପ୍ରତିଶତ ଜାଣିଛନ୍ତି ।
ତେବେ କମ୍ପ୍ୟୁଟର ଶିକ୍ଷା କ୍ଷେତ୍ରରେ କେରଳ ସବୁଠାରୁ ଆଗରେ ରହିଛି । ଏଠାରେ ୯୨ ପ୍ରତିଶତରୁ ଅଧିକ ଲୋକେ କମ୍ପ୍ୟୁଟରରେ ଫାଇଲ୍ ଓ ଫୋଲଡର ତିଆରି ଜାଣିଥିବାବେଳେ ଗୋଆରେ ଏଡା ୭୩ ଓ ହିମାଚଳପ୍ରଦେଶରେ ୭୦ ପ୍ରତିଶତରୁ ଅଧିକ ରହିଛି ।
ଅନ୍ୟ ପକ୍ଷରେ କେନ୍ଦ୍ର ସରକାର ଡିଜିଟାଲ ସାକ୍ଷରତା ଉପରେ ଜୋର ଦେବା ସହିତ ୨୦୧୭ ମସିହାରୁ ପିଏମଦିଶା ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏହା ଜରିଆରେ ଗାଁ ଗହଳର ଲୋକଙ୍କୁ ଡିଜିଟାଲ କ୍ଷେତ୍ରରେ ସଶକ୍ତ କରାଯାଉଛି । ୨୦୨୩ ଜୁଲାଇ ୧୭ ତାରିଖପର୍ଯ୍ୟନ୍ତ ଏହି ଯୋଜନାରେ ୭କୋଟିରୁ ଅଧିକ ଲୋକଙ୍କ ପଞ୍ଜିକୃତ ହୋଇଥିବାବେଳେ ୬.୫ କୋଟି ତାଲିମ ପାଇଛନ୍ତି । ଏମାନଙ୍କୁ ମଧ୍ୟରୁ ୪.୫୧ କୋଟିଙ୍କୁ ପ୍ରମାଣପତ୍ର ମିଳିଥିବାବେଳେ ଏଥିରେ ମହିଳାଙ୍କ ସଂଖ୍ୟା ସର୍ବାଧିକ ୨.୫୮ କୋଟି ଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି । (ତଥ୍ୟ)