ଭୁବନେଶ୍ୱର : ସହରାଞ୍ଚଳରେ ଚଳାଚଳ କରୁଥିବା ମୋ ବସ୍ରେ ଦୈନିକ ୩ଲକ୍ଷରୁ ଅଧିକ ଯାତ୍ରୀ ଯା ଆସ କରୁଥିବାବେଳେ ଏମାନଙ୍କ ମଧ୍ୟରୁ ହାରାହାରି ୨୩ ପ୍ରତିଶତ ଡିଜିଟାଲ ବ୍ୟବସ୍ଥାରେ ଅର୍ଥ ପ୍ରଦାନ କରୁଛନ୍ତି । ଡିଜିଟାଲ ପ୍ରଦାନରେ ଇସ୍ପାତ ସହର ରାଉରକେଲା ସବୁଠାରୁ ପଛରେ ପଡିଛି ।
ରାଜ୍ୟର ୫ଟି ସହରରେ ଏବେ ୫୦୯ ଟି ଆମ ବସ୍ ଚଳାଚଳ କରୁଛି । ଏଥି ମଧ୍ୟରୁ କ୍ୟାପିଟାଲ ରିଜିଅନ ଅର୍ଥାତ୍ ଭୁବନେଶ୍ୱର-କଟକରେ ସର୍ବାଧିକ ୩୭୧ଟି ବସ୍ ଚଳାଚଳ କରୁଥିବାବେଳେ ରାଉରକେଲାରେ ୯୫ଟି, ସମ୍ବଲପୁରରେ ୨୪ଟି ଓ ବ୍ରହ୍ମପୁରରେ ୧୯ଟି ବସ୍ ଚଳାଚଳ କରୁଛି । ଏହିସବୁ ବସ୍ଗୁଡିକ ସମ୍ପୃକ୍ତ ସହରର ୧୦୬ଟି ରୁଟ୍ରେ ଗଡୁଛି ଏବଂ ଏଥିରେ ଦୈନିକ ୩ଲକ୍ଷ ୨୨ହଜାରରୁ ଅଧିକ ଲୋକ ଯାତାହତ କରୁଛନ୍ତି ।
ତେବେ ଯାତ୍ରୀ ପରିବହନରୁ ଦୈନିକ ୩୫ଲକ୍ଷରୁ ଅଧିକ ଟଙ୍କା ରାଜସ୍ୱ ଆଦାୟ ହେଉଥିଲେ ମଧ୍ୟ ଖୁମ୍ କମ୍ ସଂଖ୍ୟକ ଯାତ୍ରୀ ଡିଜିଟାଲ ପଦ୍ଧତିରେ ଭଡା ପ୍ରଦାନ କରୁଛନ୍ତି । କ୍ୟାପିଟାଲ ରିଜିଅନରେ ଦୈନିକ ଅଢେଇ ଲକ୍ଷରୁ ଅଧିକ ଯାତ୍ରୀ ଯା ଆସ କରୁଥିବାବେଳେ ମାତ୍ର ୩୪ ପ୍ରତିଶତ ଡିଜିଟାଲ ପେମେଣ୍ଟ କରୁଛନ୍ତି । ରାଉରକଲୋରେ ଏହା ସର୍ବନିମ୍ନ ୬ ପ୍ରତିଶତ ଥିବାବେଳେ ସମ୍ବଲପୁରରେ ୨୨ ଓ ବ୍ରହ୍ମପୁରରୋ ୧୯ ପ୍ରତିଶତ ରହିଛି ।
ଆମ ବସ ପରିଚାଳନା ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷ ଡିଜିଟାଲ ଦେୟପାଇଁ ମାସିକିଆ କାର୍ଡ ଠାରୁ ଆରମ୍ଭ କରି ୟୁପିଆଇ, ମୋବାଇଲ୍ ଟିକଟ, ଏଟିଭିଏମ୍ ଓ ଓଏନଡିସି ଭଳି ବ୍ୟବସ୍ଥା କରିଥିଲେ ମଧ୍ୟ ଯାତ୍ରୀମାନେ କାହିଁକି ଡିଜିଟାଲ ପେମେଣ୍ଟରୁ ମୁହଁ ଫେରାଉଛନ୍ତି ତାହା ବଡ ପ୍ରଶ୍ନବାଚୀ ହୋଇଛି । ବସ୍ ଭଡା ୫ଟଙ୍କାରୁ ଆରମ୍ଭ ହେଉଥିବାବେଳେ ଅଧିକାଂଶ ସମୟରେ ଯାତ୍ରୀମାନଙ୍କୁ ନଗଦ ଆକାରରେ ବଳକା ଅର୍ଥ ଫେରାଇବାକୁ କର୍ତ୍ତୃପକ୍ଷ ନାକେଦମ ହେଉଥିବାବେଳେ ଏହାକୁ ନେଇ କେତେକ ସମୟରେ ଯାତ୍ରୀ ଓ ବସ୍ କର୍ମଚାରୀଙ୍କ ମଧ୍ୟରେ ଉଚ୍ଚବାଚ ବି ହେଉଛି ।
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଡିଜିଟାଲ ପେମେଣ୍ଟ ଉପରେ ଜୋର ଦେବା ସହିତ ଏଥିପାଇଁ ପୁରସ୍କାର ରାଶି ଘୋଷଣା କରୁଥିବାବେଳେ ରାଜ୍ୟର ସହରାଞ୍ଚଳ ବସ୍ ଯାତ୍ରୀମାନେ କାହିଁକି ଏଥିପ୍ରତି ମୁହଁ ଫେରାଉଛନ୍ତି ତାହା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରୁଛି । ତେବେ ବସ୍ ଚଳାଚଳ ଦାୟିତ୍ୱରେ ଥିବା କ୍ରୁଟ୍ କର୍ତ୍ତୃପକ୍ଷ ଦେୟ ବ୍ୟବସ୍ଥାକୁ ଆହୁରି ସରଳ କରିବା ସହିତ ଲୋକେ ଯେଭଳି ମୋବାଇଲ୍ ଫୋନ୍ ବ୍ୟବହାର କରି ସେମାନଙ୍କ ଭଡା ଦେଇପାରିବେ ସେଥିପାଇଁ ପଦକ୍ଷେପ ନେବାକୁ ମତପ୍ରକାଶ ପାଉଛି । (ତଥ୍ୟ)