Home Banking ଡିଜିଟାଲ ଦେୟ ସମ୍ପ୍ରସାରିତ

ଡିଜିଟାଲ ଦେୟ ସମ୍ପ୍ରସାରିତ

ଭୁବନେଶ୍ୱର : ରାଜ୍ୟର ୪ଟି ଜିଲ୍ଲାରେ ଧାର୍ଯ୍ୟ ସମୟରେ ଶତ ପ୍ରତିଶତ ଡିଜିଟାଲ ଦେୟ ବ୍ୟବସ୍ଥା କାର୍ଯ୍ୟକାରୀ ପରେ ଆଉ ୧୧ ଜିଲ୍ଲାକୁ ଏହାର ସମ୍ପ୍ରସାରଣ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ୍‍ (ଆରବିଆଇ) ପ୍ରସ୍ତାବ ଦେଇଛି । ଏହି ସବୁ ଜିଲ୍ଲାଗୁଡିକ ହେଲା ମୟୁରଭଞ୍ଜ, ବରଗଡ, ପୁରୀ, ଗଜପତି, ବାଲେଶ୍ୱର, କୋରାପୁଟ, ସୋନପୁର, ଖୋରଧା, ଢେଙ୍କାନାଳ, କଳାହାଣ୍ଡି ଏବଂ କେନ୍ଦୁଝର ।

ଭାରତୀୟ ଷ୍ଟେଟ୍‍ ବ୍ୟାଙ୍କ୍‍ (ଏସ୍‍ବିଆଇ) କୁ ବରଗଡ, କୋରାପୁଟ, ସୋନପୁର, ଖୋରଧା ଏବଂ କଳାହାଣ୍ଡି ଜିଲ୍ଲା ଦିଆଯାଇଥିବାବେଳେ ୟୁକୋ ବ୍ୟାଙ୍କ୍‍କୁ ପୁରୀ, ବାଲେଶ୍ୱର ଏବଂ ୟୁନିଅନ ବ୍ୟାଙ୍କ୍‍କୁ ଢେଙ୍କାନାଳ, ଗଜପତି ଓ ବ୍ୟାଙ୍କ୍‍ ଅଫ୍‍ ଇଣ୍ଡିଆକୁ ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ପ୍ରଦାନ କରାଯାଇଛି ।

ପୂର୍ବରୁ ଏହି ଯୋଜନା ଚାରିଟି ଜିଲ୍ଲା ଯଥା କଟକ, ବଲାଙ୍ଗିର, ସମ୍ବଲପୁର ଏବଂ ଗଞ୍ଜାମରେ କାର୍ଯ୍ୟକାରୀ ହୋଇଥିଲା । ତଦନୁଯାୟୀ ଏହି ୪ଟି ଜିଲ୍ଲାକୁ ଶତ ପ୍ରତିଶତ ଡିଜିଟାଇଜ୍‍ ଜିଲ୍ଲା ଭାବେ ଘୋଷଣା କରାଯାଇଛି । ସୂଚନା ଅନୁଯାୟୀ ଚଳିତ ମାସ ଶେଷ ସୁଦ୍ଧା ଶତ ପ୍ରତିଶତ ଡିଜିଟାଇଜେସନ ପାଇଁ ଆରବିଆଇ ସମୟ ଧାର୍ଯ୍ୟ କରିଥିଲା ।

ବ୍ୟାଙ୍କ୍‍ଗୁଡିକୁ ୧୧ଟି ଜିଲ୍ଲାର ନୋଡାଲ ଅଫିସରଙ୍କ ନାମ ସହିତ ରାଜ୍ୟ ନୋଡାଲ ଅଫିସରଙ୍କ ନାମ ମଧ୍ୟ ଜଣାଇ ଦିଆଯାଇଛି । ଏସଏଲବିସି ପକ୍ଷରୁ ପ୍ରତ୍ୟେକ ଜିଲ୍ଲାରେ ଥିବା ବ୍ୟାଙ୍କ୍‍ଶାଖା ସମତେ ନୋଡାଲ ଅଫିସରଙ୍କ ସୂଚନା ସଂକ୍ରାନ୍ତରେ ଆରବିଆଇକୁ ଅବଗତ କରାଯାଇଛି ।

ତଦନୁଯାୟୀ ଆରବିଆଇ ପକ୍ଷରୁ ସମ୍ପୃକ୍ତ ଜିଲ୍ଲାର ବ୍ୟାଙ୍କ୍‍ଗୁଡିକ ସହିତ ଏକ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇ ଯୋଗ୍ୟ ଆକାଉଣ୍ଟଗୁଡିକୁ ଦୃଷ୍ଟି ଦେବାପାଇଁ କୁହାଯାଇଛି । ଅନୁରୂପ ଭାବେ ଗତ ଜୁନ୍‍ ମାସରେ ଭୁବନେଶ୍ୱର ଆରବିଆଇ ପକ୍ଷରୁ ନିର୍ଦ୍ଦିଷ୍ଟ ଜିଲ୍ଲା ପକ୍ଷରୁ ଦାଖଲ ହୋଇଥିବା ସମସ୍ତ ଯୋଗ୍ୟ ସେଭିଙ୍ଗ୍‍ସ୍‍ ଏବଂ କରେଣ୍ଟ ଆକାଉଣ୍ଟ ସଂକ୍ରାନ୍ତରେ ସମୀକ୍ଷା କରାଯାଇଥିଲା । ତଦନୁଯାୟୀ ଏଥିରୁ ମିଳିଥିବା ଅଭିଜ୍ଞତା ଆଧାରରେ ସମସ୍ତ ଜିଲ୍ଲାରେ ଶତ ପ୍ରତିଶତ ଡିଜିଟାଲ ଦେୟ ପାଇଁ ଖସଡା ପ୍ରସ୍ତୁତ କରିବାକୁ ପରାମର୍ଶ ଦିଆଯାଇଛି । (ତଥ୍ୟ)