ଭୁବନେଶ୍ୱର : ସମ୍ବଲପୁର ଏବଂ ଗଞ୍ଜାମ ଜିଲ୍ଲାରେ ଶତ ପ୍ରତିଶତ ଡିଜିଟାଇଜେସନ ପାଇଁ ବ୍ୟାଙ୍କଗୁଡିକ ସକାଶେ ସମୟସୀମା ଧାର୍ଯ୍ୟ ହୋଇଛି । ଏହି ଦୁଇ ଜିଲ୍ଲାରେ ଥିବା ସମସ୍ତ ବ୍ୟାଙ୍କକୁ ଏଥିପାଇଁ ୨୦୨୨ ଡିସେମ୍ବର ୩୧ ତାରିଖକୁ ଶେଷ ସମୟ ଦିଆଯାଇଛି ।
ଭାରତୀୟ ରିଜର୍ଭ ବ୍ୟାଙ୍କ୍ ସମଗ୍ର ଦେଶରେ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଉଛନ୍ତି । ତଦନୁଯାୟୀ ଏହି ଦୁଇ ଜିଲ୍ଲାରେ ଡିସେମ୍ବର ୩୧ ତାରିଖ ସୁଦ୍ଧା ବ୍ୟାଙ୍କ କାରବାରକୁ ଶତ ପ୍ରତିଶତ ଡିଜିଟାଲ କରିବାକୁ କୁହାଯାଇଛି । ଚଳିତ ବର୍ଷ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ସମ୍ବଲପୁରରେ ଡିଜିଟାଲ ପ୍ରଦର୍ଶନ ସେଭିଙ୍ଗସ୍ ଆକାଉଣ୍ଟ କ୍ଷେତ୍ରରେ ୮୮.୭୩ ପ୍ରତିଶତ ଥିବାବେଳେ କରେଣ୍ଟ ଆକାଉଣ୍ଟ କ୍ଷେତ୍ରରେ ୮୦.୩୫ ପ୍ରତିଶତ ରହିଥିଲା । ଅନୁରୂପ ଭାବେ ଗଞ୍ଜାମ ଜିଲ୍ଲାରେ ଏହି ସମୟ ମଧ୍ୟରେ ଏହି ଦୁଇ ଆକାଉଣ୍ଟରେ ଡିଜିଟାଲ ପ୍ରଦର୍ଶନ ଯଥାକ୍ରମେ ୮୭.୭୯ ଏବଂ ୭୮.୬୮ ପ୍ରତିଶତ ରହିଥିଲା ।
୨୦୨୨ ଡିସେମ୍ବର ୩୧ ସୁଦ୍ଧା ଉଭୟ ବ୍ୟକ୍ତିଗତ ଓ ବ୍ୟବସାୟିକ ଆକାଉଣ୍ଟଗୁଡିକର ଶତ ପ୍ରତିଶତ ଡିଜିଟାଇଜେସନ କରିବାକୁ ବ୍ୟାଙ୍କଗୁଡିକୁ କୁହାଯାଇଛି । ସମଗ୍ର ରାଜ୍ୟରେ ଏହି ଡିଜିଟାଇଜେସନ କାର୍ଯ୍ୟ ଚାଲିଥିବାବେଳେ ଏହି ଦୁଇ ଜିଲ୍ଲାକୁ ସ୍ୱତନ୍ତ୍ର ଭାବେ ନିଆଯାଇଛି । ସମ୍ବଲପୁରରେ ଭାରତୀୟ ଷ୍ଟେଟ ବ୍ୟାଙ୍କ୍ ଲିଡ୍ ବ୍ୟାଙ୍କ୍ ହୋଇଥିବାବେଳେ ଗଞ୍ଜାମରେ ଲିଡ୍ ବ୍ୟାଙ୍କ୍ ହେଉଛି ୟୁନିୟନ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ । ଉଭୟ ବ୍ୟାଙ୍କ୍ ଦୁଇ ଜିଲ୍ଲାରେ ନୋଡାଲ ବ୍ୟାଙ୍କ୍ ଭାବେ କାର୍ଯ୍ୟ କରୁଛନ୍ତି ।
ପୂର୍ବରୁ କଟକ ଓ ବଲାଙ୍ଗିର ଜିଲ୍ଲା ଡିଜିଟାଇଜେସନ କାର୍ଯ୍ୟ ହାତକୁ ନେଇଥିଲେ ଏବଂ ସରକାରୀ ଭାବେ ଏହି ଦୁଇ ଜିଲ୍ଲାରେ ଶତ ପ୍ରତିଶତ ଡିଜିଟାଇଜେସନ କାର୍ଯ୍ୟ ସରିଥିବା ଘୋଷଣା ହୋଇଛି । କଟକ ଜିଲ୍ଲା ଶତ ପ୍ରତିଶତ ଡିଜିଟାଇଜେସନ ପାଇଁ ଚିହ୍ନଟ ହେବାପର ଏହି ଉପକୂଳ ଜିଲ୍ଲା ମଧ୍ୟ ଆର୍ଥିକ ସାକ୍ଷରତା ଲାଗି ପାଇଲଟ ପ୍ରକଳ୍ପ ଭାବେ ଚିହ୍ନଟ ହୋଇଛି ଏବଂ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ସେବା ବିଭାଗ ଏହାର ଅଗ୍ରଗତି ଉପରେ ନଜର ରଖିଛି ।
ତେବେ ମିଳିଥିବା ସୂଚନା ଅନୁଯାୟୀ କଟକ ଜିଲ୍ଲାରେ ବ୍ୟାଙ୍କ୍ ଗୁଡିକର ପ୍ରଦର୍ଶନ ଏତେଟା ସନ୍ତୋଷଜନକ ନୁହେଁ ଏବଂ ଏଭଳି ଦୁର୍ବଳ ପ୍ରଦର୍ଶନକୁ ଆର୍ଥିକ ସେବା ବିଭାଗ ଗୁରୁତ୍ୱର ସହ ନେଇଛି । ଏହାକୁ ନେଇ ବିଭାଗର ବରିଷ୍ଠ ଅଧିକାରୀମାନେ ଚିନ୍ତିତ ଥିବା ଜଣାଯାଇଛି । ବର୍ତ୍ତମାନ ବ୍ୟାଙ୍କ୍ଗୁଡିକୁ ଧାର୍ଯ୍ୟ ସମୟରେ ପାଇଲଟ ପ୍ରକଳ୍ପ କାର୍ଯ୍ୟ ସାରିବାପାଇଁ କୁହାଯାଇଛି । (ତଥ୍ୟ)