Home General ଡାଲି ପାଇଁ ନିର୍ଭରଶୀଳ

ଡାଲି ପାଇଁ ନିର୍ଭରଶୀଳ

ଭୁବନେଶ୍ୱର : ଜାତୀୟ ସ୍ତରରେ ସମସ୍ତ ଉଦ୍ୟମ ସତ୍ୱେ ଡାଲି ଉତ୍ପାଦନରେ ଭାରତ ଆତ୍ମନିର୍ଭର ହୋଇପାରୁ ନାହିଁ । ଚାଉଳ ଓ ଗହମ ଉତ୍ପାଦନରେ ବଳକା ହୋଇଥିବାବେଳେ ଡାଲି ପାଇଁ କିନ୍ତୁ ଭାରତ ଅନ୍ୟ ଦେଶ ଉପରେ ନିର୍ଭରଶୀଳ ।

ମିଳିଥିବା ସୂଚନା ଅନୁଯାୟୀ ଦେଶରେ ଚାଉଳ ଉତ୍ପାଦନ ବର୍ଷକୁ ବର୍ଷ ବଢିବାରେ ଲାଗିଛିା ୨୦୨୦-୨୧ ବର୍ଷରେ ଭାରତରେ ୧୨୪୩ ଲକ୍ଷ ମେଟ୍ରିକ ଟନ୍‍ ଚାଉଳ ଉତ୍ପାଦନ ହୋଇଥିବାବେଳେ ୨୦୨୨-୨୩ ବର୍ଷରେ ତାହା ୧୩୫୭ଲକ୍ଷ ମେଟ୍ରିକ ଟନ୍‍କୁ ଅତିକ୍ରମ କରିଯାଇଛି । ସେହିଭଳି ଗହମ ଉତ୍ପାଦନ ମଧ୍ୟ ବଢିଛି । ଦେଶରେ ୨୦୨୦-୨୧ ବର୍ଷରେ ୧୦୯୫ଲକ୍ଷ ମେଟ୍ରିକ ଟନ୍‍ ଗହମ ଉତ୍ପାଦନ ହୋଇଥିବାବେଳେ ୨୦୨୨-୨୩ରେ ତାହା ୧୧୦୫ଲକ୍ଷକୁ ଅତିକ୍ରମ କରିଯାଇଛି । ତେବେ ଡାଲି ଉତ୍ପାଦନ କିନ୍ତୁ କମିଯାଇଛି । ୨୦୨୦-୨୧ ବର୍ଷରେ ଦେଶରେ ୨୫୪ଲକ୍ଷ ମେଟ୍ରିକ ଟନ୍‍ ଡାଲି ଉତ୍ପାଦନ ହୋଇଥିବାବେଳେ ୨୦୨୧-୨୨ ବର୍ଷରେ ତାହା ୨୭୩ଲକ୍ଷ ମେଟ୍ରିକ ଟନ୍‍କୁ ବୃଦ୍ଧି ପାଇଥିଲା । ତେବେ ୨୦୨୨-୨୩ ବର୍ଷରେ ଏହା ୨୬୦ ଲକ୍ଷ ମେଟ୍ରିକ ଟନ୍‍ରୁ ସାମାନ୍ୟ ଅଧିକ ରହିଛି ।

ଡାଲି ଉତ୍ପାଦନ ହ୍ରାସ ପାଇବା ଫଳରେ ଭାରତକୁ ଏଥିପାଇଁ ବିଦେଶ ଉପରେ ଅଧିକ ନିର୍ଭର କରିବାକୁ ପଡୁଛି । ବିଦେଶରୁ ୨୦୨୨-୨୩ ବର୍ଷରେ ଭାରତ ୨୪୫୯ ହଜାର ମେଟ୍ରିକ ଟନ୍‍ ଡାଲି ଆମଦାନୀ କରିଛି । ଅବଶ୍ୟ ପୂର୍ବବର୍ଷ ତୁଳନାରେ ଏହା ସାମାନ୍ୟ କମ୍‍ ରହିଛି । କିନ୍ତୁ ୨୦୨୨-୨୩ ବର୍ଷରେ ଭାରତ ବିଦେଶରୁ ୬.୬୭ ହଜାର ଟନ୍‍ ଚାଉଳ ଓ ୧୩.୫୭ହଜାର ଟନ୍‍ ଗହମ ଆମଦାନି କରିଥିଲା । ଏଭଳି ସ୍ଥିତି ଯୋଗୁଁ ଡାଲି ଆମଦାନୀ କ୍ଷେତ୍ରରେ ଆମ ଦେଶ ବିପୁଳ ପରିମାଣର ବୈଦେଶିକ ମୁଦ୍ରା ବ୍ୟୟ କରୁଛି ।

ଡାଲି ଆମଦାନୀର ଅନ୍ୟତମ କାରଣ ହେଲା ଆମ ଦେଶରେ ପ୍ରତିବର୍ଷ ଡାଲିର ଚାହିଦା ବଢିବାରେ ଲାଗିଛି । ୨୦୧୬-୧୭ ବର୍ଷରେ ଭାରତର ଡାଲି ଜାତୀୟ ଶସ୍ୟର ଚାହିଦା ୨୩୬ଲକ୍ଷ ମେଟ୍ରିକ ଟନ୍‍ ଥିବାବେଳେ ୨୦୨୦-୨୧ ବର୍ଷରେ ଏହା ୨୬୭ଲକ୍ଷ ଟନ୍‍କୁ ଅତିକ୍ରମ କରିଯାଇଛି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଯେ ସେହିବର୍ଷ ଚାହିଦା ତୁଳନାରେ ଭାରତରେ ଅଧିକ ପରିମାଣରେ ଡାଲି ଉତ୍ପାଦନ ହୋଇଥିଲା । ତେବେ ବିଭିନ୍ନ ରାଜ୍ୟରେ ମୁଗ, ବୁଟ, ବିରି, କୋଳଥ, କାନ୍ଦୁଲ ଭଳି ଡାଲି ବ୍ୟାପକ ଭାବେ ଉତ୍ପାଦନ ହେଉଥିବାବେଳେ ଲୋକଙ୍କ ଚାହିଦା କିନ୍ତୁ ହରଡ ଡାଲି ପ୍ରତି ଅଧିକରହିଛି । ତେଣୁ ଚାହିଦା ମେଣ୍ଟାଇବାପାଇଁ ଭାରତ ସରକାର ପ୍ରତିବର୍ଷ ବିଦେଶରୁ ବିପୁଳ ପରିମାଣର ହରଡ ଓ ମସୁର ଭଳି ଡାଲି ଆମଦାନୀ କରୁଛନ୍ତି ।

ତେବେ ଇତି ମଧ୍ୟରେ କେନ୍ଦ୍ର ସରକାର ଦେଶକୁ ଡାଲି କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବାପାଇଁ ଡାଲି ମିଶନ କାର୍ଯ୍ୟକାରୀ କରିଛନ୍ତି । ଡାଲି ଚାଷକୁ ଏହି ମିଶନର ଜରିଆରେ ଅଗ୍ରାଧିକାର ପ୍ରଦାନ କରାଯାଉଛି । ଫଳରେ ଆଗାମୀ କିଛି ବର୍ଷ ମଧ୍ୟରେ ଡାଲି କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳ ହୋଇପାରିବ ବୋଲି କେନ୍ଦ୍ର ସରକାର ଦୃଢତାର ସହ କହୁଛନ୍ତି । (ତଥ୍ୟ)